ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟସଭା ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି। ରାଜ୍ୟସଭା ପ୍ରାର୍ଥୀ ପାଇଁ ମମତାଙ୍କ ନାଁରେ ମୋହର ମାରିଛି ଦଳ। ମଙ୍ଗଳବାର ଦିନ ବିଜେପି ରାଷ୍ଟ୍ରୀୟ ମହାସଚିବ ତଥା ମୁଖ୍ୟାଳୟ ପ୍ରଭାରୀ ଅରୁଣ ସିଂ ମମତା ମହାନ୍ତଙ୍କ ନାଁ ଘୋଷଣା କରିଛନ୍ତି।
ଯେଉଁ ପଦରୁ ଇସ୍ତଫା ଦେଇଥିଲେ ସେହି ପଦ ପାଇଁ ପୁଣି ପ୍ରାର୍ଥୀ ହୋଇଛନ୍ତି ମମତା। ଏଥର କିନ୍ତୁ ଚିହ୍ନ ବଦଳିଛି। ଗତ ଜୁଲାଇ ମାସ ୩୧ ତାରିଖରେ ରାଜ୍ୟସଭା ସାଂସଦ ପଦ ସହ ବିଜେଡିରୁ ଇସ୍ତଫା ଦେଇଥିଲେ ମମତା ମହାନ୍ତ। ବିଜେଡି ଛାଡ଼ିବାର ଦିନକ ପରେ ଅଗଷ୍ଟ ୧ ତାରିଖରେ ବିଜେପିରେ ଯୋଗ ଦେଇଥିଲେ ମମତା।
ମମତାଙ୍କ ଇସ୍ତଫା ପରେ ଖାଲିପଡ଼ିଥିଲା ରଜ୍ୟସଭା ପଦ। ଖାଲି ପଡ଼ିଥିବା ଏହି ପଦ ପୂରଣ କରିବାକୁ ମମତା ମହାନ୍ତଙ୍କୁ ବିଜେପି ରାଜ୍ୟସଭା ପଠାଇବା ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା। ମଙ୍ଗଳବାର ଦିନ ମମତାଙ୍କ ନାଁ ଘୋଷଣ ହେବା ପରେ ସବୁ କଳ୍ପନା ଜଳ୍ପନା ଉପରେ ପୂର୍ଣ୍ଣଚ୍ଛେଦ ପଡ଼ିଛି।
ମମତାଙ୍କ ସହ ରାଜ୍ୟସଭା ରେସରେ ଅନେକ ନେତାଙ୍କ ନାଁ ଚର୍ଚ୍ଚାକୁ ଆସିଥିଲା। ସବୁଠାରୁ ଆଗରେ ରହିଥିଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ। ସେହିପରି ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି ଏବଂ ପୂର୍ବତନ କେନ୍ଦ୍ରମନ୍ତ୍ରୀ ବିଶ୍ଵେଶ୍ଵର ଟୁଡୁଙ୍କ ନାଁ ମଧ୍ୟ ଏହି ରେସରେ ସାମିଲ ଥିଲା। ତେବେ ମମତା ମହାନ୍ତଙ୍କୁ ରିପିଟ କରିଛି ବିଜେପି। ସଂଖ୍ୟା ଦୃଷ୍ଟିରୁ ବିଜେପି ଆସନ ଜିତିବା ଏକ ପ୍ରକାର ନିଶ୍ଚିତ।
ମମତା ମହାନ୍ତ ମୟୂରଭଞ୍ଜ ଜିଲ୍ଲାର କୁଡୁମୀ ସମ୍ପ୍ରଦାୟର ଜଣେ ଟାଣୁଆ ନେତ୍ରୀ। ସେ ୨୦୨୦ ମସିହାରେ ବିଜେଡି ଟିକେଟରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ। ବିଜେଡି ଛାଡ଼ି ବିଜେପି ମିଶିବା ପରେ ପୁଣି ମମତାଙ୍କ ଉପରେ ଭରସା କରିଛି ଦଳ।
ଆସନ୍ତା ସେପ୍ଟେମ୍ବର ୩ ତାରିଖରେ ଓଡ଼ିଶା ସମେତ ଦେଶର ୯ଟି ରାଜ୍ୟରେ ଖାଲିପଡ଼ିଥିବା ୧୨ଟି ରାଜ୍ୟସଭା ଆସନରେ ଉପନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବ। ରାଜ୍ୟସଭା ଉପନିର୍ବାଚନ ପାଇଁ ଅଗଷ୍ଟ ୨୧ ତାରିଖ ପର୍ଯ୍ୟନ୍ତ ପ୍ରାର୍ଥିପତ୍ର ଦାଖଲ, ଅଗଷ୍ଟ ୨୨ ତାରିଖରେ ପ୍ରାର୍ଥିପତ୍ର ଯାଞ୍ଚ ଏବଂ ଅଗଷ୍ଟ ୨୭ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିବାର ଶେଷ ତାରିଖ ରହିଛି।
ସେପ୍ଟେମ୍ବର ୩ ତାରିଖ ସକାଳ ୯ଟା ଅପରାହ୍ଣ ୪ଟା ମଧ୍ୟରେ ରାଜ୍ୟସଭା ଉପନିର୍ବାଚନ ଲାଗି ଭୋଟ ପଡ଼ିବ। ସେହିଦିନ ସନ୍ଧ୍ୟା ୫ଟାରେ ଭୋଟ ଗଣତି କରାଯାଇ ନିର୍ବାଚନ ଫଳାଫଳ ଘୋଷଣା କରାଯିବ।
ଓଡ଼ିଶା ସମେତ ଆସାମ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ତ୍ରିପୁରା, ବିହାର, ହରିୟାଣା, ରାଜସ୍ଥାନ ଏବଂ ତେଲେଙ୍ଗାନାରେ ରାଜ୍ୟସଭା ଆସନ ଲାଗି ଉପନିର୍ବାଚନ ହେବାକୁ ଯାଉଛି।
Tags: #Politics #OdishaPolitics #RajyasabhaElection #MamataMohanta #MP #RajyaSabha #Odisha #BJP