ଓଡ଼ିଶାଲାଇଭ୍ ବ୍ୟୁରୋ

ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ କ୍ୟାପିଟାଲ ହସ୍ପିଟାଲ ଏବଂ ବକୁଳ ଫାଉଣ୍ଡେସନ ପକ୍ଷରୁ ହସ୍ପିଟାଲ ପରିସରରେ ‘ଯାଆଁଳା ଗଛ’ ଅଭିଯାନର ଶୁଭାରମ୍ଭ କରାଯାଇଛି। ଏହି ଅଭିଯାନର ଲକ୍ଷ୍ୟ ରହିଛି ପ୍ରତ୍ୟେକ ଦିନ ହସ୍ପିଟାଲରେ ଜନ୍ମ ନେଉଥିବା ଶିଶୁଙ୍କ ପିତାମାତାଙ୍କୁ ଉପହାର ସ୍ଵରୂପ ଗୋଟିଏ ଲେଖାଏଁ ଚାରା ପ୍ରଦାନ କରାଯିବ।

ହସ୍ପିଟାଲର ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡାକ୍ତର ସସ୍ମିତା ବେହୁରିଆ ଆୟୋଜିତ କାର୍ଯ୍ୟକ୍ରମକୁ ସମସ୍ତଙ୍କୁ ସ୍ୱାଗତ କରିବା ସହ ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ବିଷୟରେ ଅବଗତ କରାଇଥିଲେ। ନିଜ ଛୁଆ ପରି ଗଛର ଯତ୍ନ ନେଇ ତାକୁ ବଡ଼ କରିବା ପାଇଁ ପିତାମାତାଙ୍କୁ ପରାମର୍ଶ ଦେଇଥିଲେ ଡାକ୍ତର ସସ୍ମିତା ବେହୁରିଆ।

“ଭାଇ ଭଉଣୀଙ୍କ ସମ୍ପର୍କ ଭଳି ଶିଶୁ ଏବଂ ଗଛ ମଧ୍ୟରେ ଅତୁଟ ସମ୍ପର୍କ ଯୋଡ଼ିବାକୁ ରାକ୍ଷୀ ପୂର୍ଣ୍ଣିମା ଅବସରରେ ଯାଆଁଳା ଗଛ ଅଭିଯାନ ଆରମ୍ଭ କରାଯାଇଛି। କେବଳ ଗଛ ପୋତି ଦେଲେ ହେବ ନାହିଁ, ଗଛ ସହ ବ୍ୟକ୍ତିଗତ ସମ୍ପର୍କ ସ୍ଥାପନ କରିବାର ଆବଶ୍ୟକତା ରହିଛି, କହିଛନ୍ତି ବକୁଳ ଫାଉଣ୍ଡେସନର ପ୍ରତିଷ୍ଠାତା ସୁଜିତ ମହାପାତ୍ର।

ଡାକ୍ତର ସୁଜାତା ମିଶ୍ର ଏବଂ ଡେଡି ଲୋକୁଙ୍କ ନେତୃତ୍ୱରେ କ୍ୟାପିଟାଲ ହସ୍ପିଟାଲର ଡାକ୍ତରମାନେ ଏହି ଅବସରରେ ୨୫ ଜଣ ପ୍ରସୂତି ମା’ ଏବଂ ସେମାନଙ୍କ ସମ୍ପର୍କୀୟଙ୍କୁ ଚାରା ପ୍ରଦାନ କରିଥିଲେ। ଏକ ବର୍ଷ ମଧ୍ୟରେ ୧୦ ହଜାର ନବଜାତଙ୍କ ପିତାମାତାଙ୍କୁ ଚାରା ପ୍ରଦାନ କରିବାକୁ ଲକ୍ଷ୍ୟ ରହିଛି। କ୍ୟାପିଟାଲ ହସ୍ପିଟାଲ ଏବଂ ବକୁଳ ଫାଉଣ୍ଡେସନ ପକ୍ଷରୁ ଆରମ୍ଭ କରାଯାଇଥିବା ଏହି ଅଭିଯାନକୁ ନବଜାତ ଶିଶୁଙ୍କ ପରିବାର ଏବଂ ହସ୍ପିଟାଲ ସଦସ୍ୟମାନେ ଉଚ୍ଚ ପ୍ରଶଂସା କରିଥିଲେ।

“ସହରୀକରଣ ଯୋଗୁଁ ମଣିଷ ପ୍ରକୃତି ସହ ଥିବା ତା’ର ସମ୍ପର୍କକୁ ଭୁଲି ଯାଇଛି। ଗଛ ଅଭିଯାନ ପୁଣି ଆମକୁ ପ୍ରକୃତି ସହ ଯୋଡ଼ିବ ବୋଲି ଆଶା କରାଯାଉଛି”, କୁହନ୍ତି ଡାକ୍ତର ପାଣିଗ୍ରାହୀ।

ଚାରା ପ୍ରଦାନର ୧୦ ଦିନ, ୧୦୦ ଦିନ ଏବଂ ଏକ ବର୍ଷ ପରେ ଉଭୟ ଶିଶୁ ଏବଂ ଗଛମାନଙ୍କର ସ୍ୱାସ୍ଥ୍ୟ ଯାଞ୍ଚ କରାଯିବ ବୋଲି କହିଛନ୍ତି ଗଛ ମଣିଷ ଭାବେ ଜଣାଶୁଣା ଡେଡି ଲୋକୁ।

Tags: #Plantation #Bhubaneswar #CapitalHospital #BakulaFoundation #NewBornBaby

LEAVE A REPLY

Please enter your comment!
Please enter your name here