ଓଡ଼ିଶାଲାଇଭ୍ ବ୍ୟୁରୋ

କୋଲକାତାର ଆରଜି କର ମେଡିକାଲ କଲେଜରେ ମହିଳା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାକୁ ନେଇ ମଙ୍ଗଳବାର ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ। ଶୁଣାଣିବେଳେ ପଶ୍ଚିମବଙ୍ଗ ସରକାରଙ୍କ ଉପରେ ବର୍ଷିଛନ୍ତି ସୁପ୍ରିମକୋର୍ଟ। ଦେଶରେ ଡାକ୍ତରଙ୍କ ସୁରକ୍ଷାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ପ୍ରଧାନ ବିଚାରପତି ଜଷ୍ଟିସ ଡି ୱାଇ ଚନ୍ଦ୍ରଚୂଡ଼।

ଏହି ଦୁଷ୍କର୍ମ ଓ ହତ୍ୟା ମାମଲାରେ ସୁପ୍ରିମକୋର୍ଟ ନିଜ ଆଡୁ ମାମଲା ରୁଜୁ କରି ଶୁଣାଣି କରିଥିଲେ। ଏହି ସମୟରେ ପଶ୍ଚିମବଙ୍ଗ ସରକାର ଓ ପୋଲିସ ଉପରେ ପ୍ରବଳ ବର୍ଷିଛନ୍ତି ସୁପ୍ରିମକୋର୍ଟ। ପ୍ରଥମେ ଏହି ମାମଲାକୁ କାହିଁକି ଆତ୍ମହତ୍ୟା କୁହାଯାଇଥିଲା ବୋଲି ପ୍ରଧାନ ବିଚାରପତି ପ୍ରଶ୍ନ କରିଥିଲେ। ଘଟଣା ପରେ ପୀଡ଼ିତାଙ୍କ ପରିବାରଙ୍କୁ କାହିଁକି ପୀଡ଼ିତାଙ୍କୁ ଦେଖିବାକୁ ଦିଆଗଲା ନାହିଁ? ବହୁ ବିଳମ୍ବରେ କାହିଁକି ମାମଲା ରୁଜୁ ହେଲା? ଏଭଳି ଅନେକ କିଛି ପ୍ରଶ୍ନ କରି ନିଜର କ୍ଷୋଭ ପ୍ରକାଶ କରିଥିଲେ ସୁପ୍ରିମକୋର୍ଟ।

ସୁପ୍ରିମକୋର୍ଟ ଏହି ମାମଲାରେ ଗୁରୁବାର ସୁଦ୍ଧା ଷ୍ଟାଟସ୍‌ ରିପୋର୍ଟ ଦାଖଲ କରିବାକୁ ସିବିଆଇକୁ ନିର୍ଦ୍ଦେଶ ଦେଇଛନ୍ତି। ଯାଞ୍ଚ କେଉଁ ଯାଏଁ ହୋଇଛି ଓ ସିବିଆଇ କ’ଣ ପଦକ୍ଷେପ ଗ୍ରହଣ କରିଛି ତାହା ଏଥିରେ ଉଲ୍ଲେଖ କରିବାକୁ କୁହାଯାଇଛି। ସେହିପରି ଡାକ୍ତରଙ୍କ ସୁରକ୍ଷା ପାଇଁ ନାସନାଲ ଟାସ୍କ ଫୋର୍ସ ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ।

ଏହି ନାସନାଲ ଟାସ୍କ ଫୋର୍ସରେ ଏମ୍ସ ନିର୍ଦ୍ଦେଶକଙ୍କ ସମେତ ୧୦ ଜଣ ସଦସ୍ୟ ରହିବେ। ସେମାନେ ଡାକ୍ତରଙ୍କ ସୁରକ୍ଷା ବାବଦରେ ପଦକ୍ଷେପ ନେବା ଲାଗି ୩ ସପ୍ତାହ ମଧ୍ୟରେ ରିପୋର୍ଟ ଦାଖଲ କରିବେ। ଏହାସହ ଡାକ୍ତରମାନଙ୍କୁ ଆନ୍ଦୋଳନରୁ ଓହରିବା ପାଇଁ ସୁପ୍ରିମକୋର୍ଟ ପରାମର୍ଶ ଦେଇଛନ୍ତି। ସେହିପରି ଆରଜି କର ମେଡିକାଲ କଲେଜର ସୁରକ୍ଷା ବ୍ୟବସ୍ଥା ସିଆଇଏସଏଫକୁ ହସ୍ତାନ୍ତର କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ମଙ୍ଗଳବାର ପ୍ରଧାନ ବିଚାରପତିଙ୍କ ଅଧ୍ୟକ୍ଷତାରେ ୩ ଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଥିଲେ। ସୋସିଆଲ ମିଡିଆରେ ପୀଡିତାଙ୍କ ଫଟୋ ଓ ଭିଡିଓ ଭାଇରାଲ ହେବାକୁ ନେଇ ଶୁଣାଣି ସମୟରେ ଦୃଢ଼ ନିନ୍ଦା କରିଥିଲେ ସୁପ୍ରିମକୋର୍ଟ।

କ’ଣ ଥିଲା ଘଟଣାକ୍ରମ

ଅଗଷ୍ଟ ୯ ତାରିଖରେ କୋଲକାତାର ଆରଜି କର ମେଡିକାଲ କଲେଜରେ ଜଣେ ୩୧ ବର୍ଷୀୟ ମହିଳା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା କରାଯାଇଥିଲା। ସେ ସେଠାରେ ଚେଷ୍ଟ ମେଡିସିନ ବିଭାଗର ପିଜି ଦ୍ଵିତୀୟ ବର୍ଷର ଛାତ୍ରୀ ଥିଲେ। ମେଡିକାଲ କଲେଜର ସେମିନାର ହଲରେ ତାଙ୍କର ମୃତ ଦେହ ମିଳିଥିଲା।

ତେବେ ଏହି ଘଟଣାକୁ ପୋଲିସ ପ୍ରଥମେ ଆତ୍ମହତ୍ୟା ମାମଲା ଭାବେ ଗ୍ରହଣ କରିବାର ଅଭିଯୋଗ ହୋଇଥିଲା। ପରେ ବ୍ୟବଚ୍ଛେଦ ରିପୋର୍ଟରୁ ମହିଳା ଜଣଙ୍କ ସହ ପ୍ରଥମେ ଦୁଷ୍କର୍ମ କରାଯିବା ପରେ ତାଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିବା ସ୍ପଷ୍ଟ ହୋଇଥିଲା।

Tags: #KolkataRapeandMurderCase #SupremeCourt #TraineeDoctor #MedicalStudent #Kolkata

LEAVE A REPLY

Please enter your comment!
Please enter your name here