ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟସଭା ନିର୍ବାଚନ ପାଇଁ ବୁଧବାର ଦିନ ପ୍ରାର୍ଥିପତ୍ର ଦାଖଲ କଲେ ମମତା ମହାନ୍ତ। ବିଧାନସଭାରେ ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ମମତା ମହାନ୍ତ ନିଜର ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ମଙ୍ଗଳବାର ଦିନ ମମତାଙ୍କୁ ରାଜ୍ୟସଭା ପାଇଁ ପ୍ରାର୍ଥୀ ଘୋଷଣା କରିଥିଲା ବିଜେପି।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ବିଜେପି ଓଡ଼ିଶା ପ୍ରଭାରୀ ବିଜୟ ପାଲ ସିଂ ତୋମାର, ରାଜସ୍ଵ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀ ସୁରେଶ ପୂଜାରୀ, ବିଧାୟକ ଜୟନାରାୟଣ ମିଶ୍ର ତଥା ବିଜେପିର ଅନ୍ୟ ବରିଷ୍ଠ ନେତାମାନଙ୍କ ଉପସ୍ଥିତିରେ ମମତା ମହାନ୍ତ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ରାଜ୍ୟସଭା ନିର୍ବାଚନ ପାଇଁ ଅଗଷ୍ଟ ୨୧ ପ୍ରାର୍ଥିପତ୍ର ଦାଖଲର ଶେଷ ତାରିଖ ଥିଲା।

ଆସନ୍ତା ସେପ୍ଟେମ୍ବର ୩ ତାରିଖରେ ଓଡ଼ିଶା ସମେତ ଦେଶର ୯ଟି ରାଜ୍ୟରେ ଖାଲିପଡ଼ିଥିବା ୧୨ଟି ରାଜ୍ୟସଭା ଆସନରେ ଉପନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବ। ରାଜ୍ୟସଭା ଉପନିର୍ବାଚନ ପାଇଁ ଅଗଷ୍ଟ ୨୧ ତାରିଖ ପର୍ଯ୍ୟନ୍ତ ପ୍ରାର୍ଥିପତ୍ର ଦାଖଲ, ଅଗଷ୍ଟ ୨୨ ତାରିଖରେ ପ୍ରାର୍ଥିପତ୍ର ଯାଞ୍ଚ ଏବଂ ଅଗଷ୍ଟ ୨୭ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିବାର ଶେଷ ତାରିଖ ରହିଛି।

ସେପ୍ଟେମ୍ବର ୩ ତାରିଖ ସକାଳ ୯ଟା ଅପରାହ୍ଣ ୪ଟା ମଧ୍ୟରେ ରାଜ୍ୟସଭା ଉପନିର୍ବାଚନ ଲାଗି ଭୋଟ ପଡ଼ିବ। ସେହିଦିନ ସନ୍ଧ୍ୟା ୫ଟାରେ ଭୋଟ ଗଣତି କରାଯାଇ ନିର୍ବାଚନ ଫଳାଫଳ ଘୋଷଣା କରାଯିବ।

ଓଡ଼ିଶା ସମେତ ଆସାମ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ତ୍ରିପୁରା, ବିହାର, ହରିୟାଣା, ରାଜସ୍ଥାନ ଏବଂ ତେଲେଙ୍ଗାନାରେ ରାଜ୍ୟସଭା ଆସନ ଲାଗି ଉପନିର୍ବାଚନ ହେବାକୁ ଯାଉଛି।

ଯେଉଁ ପଦରୁ ଇସ୍ତଫା ଦେଇଥିଲେ ସେହି ପଦ ପାଇଁ ପୁଣି ପ୍ରାର୍ଥୀ ହୋଇଛନ୍ତି ମମତା ମହାନ୍ତ। ଏଥର କିନ୍ତୁ ଚିହ୍ନ ବଦଳିଛି। ଗତ ଜୁଲାଇ ମାସ ୩୧ ତାରିଖରେ ରାଜ୍ୟସଭା ସାଂସଦ ପଦ ସହ ବିଜେଡିରୁ ଇସ୍ତଫା ଦେଇଥିଲେ ମମତା ମହାନ୍ତ। ବିଜେଡି ଛାଡ଼ିବାର ଦିନକ ପରେ ଅଗଷ୍ଟ ୧ ତାରିଖରେ ବିଜେପିରେ ଯୋଗ ଦେଇଥିଲେ ମମତା।

ମମତା ମହାନ୍ତ ମୟୂରଭଞ୍ଜ ଜିଲ୍ଲାର କୁଡୁମୀ ସମ୍ପ୍ରଦାୟର ଜଣେ ଟାଣୁଆ ନେତ୍ରୀ। ସେ ୨୦୨୦ ମସିହାରେ ବିଜେଡି ଟିକେଟରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ। ବିଜେଡି ଛାଡ଼ି ବିଜେପି ମିଶିବା ପରେ ପୁଣି ମମତାଙ୍କ ଉପରେ ଭରସା କରିଛି ଦଳ।

Tags: #Politics #OdishaPolitics #RajyasabhaElection #Nomination #MamataMohanta #MP #RajyaSabha #Odisha #BJP

LEAVE A REPLY

Please enter your comment!
Please enter your name here