ଓଡ଼ିଶାଲାଇଭ୍ ବ୍ୟୁରୋ
ବେଗମ୍ ଶେଖ ହସିନା – ସାରା ବିଶ୍ୱରେ ଏବେ ଏଇ ଗୋଟିଏ ନାଁକୁ ନେଇ ବେଶ୍ ଚର୍ଚ୍ଚା ଚାଲିଛି। ରାତାରାତି ହସିନାଙ୍କ ହାତରୁ ଚାଲିଯାଇଛି ବାଂଲାଦେଶର ପ୍ରଧାନମନ୍ତ୍ରୀ ଗାଦି। ନିଜ ପଦରୁ ଇସ୍ତଫା ଦେଇ, ତାଙ୍କୁ ଜୀବନ ବଞ୍ଚାଇ ଦେଶଛାଡ଼ି ଚାଲିଯିବାକୁ ପଡ଼ିଛି।
ଏହି ଘଟଣା ଯେମିତି ଏକ ଫିଲ୍ମର କାହାଣୀ ଭଳି ଲାଗୁଛି, ହସିନାଙ୍କ ଜୀବନ ମଧ୍ୟ କୌଣସି ଏକ ଫିଲ୍ମର କାହାଣୀଠାରୁ କମ୍ ନୁହେଁ। ବାଂଲାଦେଶର ଆଇରନ୍ ଲେଡି କୁହାଯାଉଥିବା ଶେଖ ହସିନାଙ୍କ ଜୀବନ ଓ ରାଜନୈତିକ ଯାତ୍ରାକୁ ନେଇ ଅନେକ ରୋଚକ କଥା ରହିଛି।
ଶେଖ ହସିନା କିଏ?
ବାଂଲାଦେଶର ଜନକ ଶେଖ ମୁଜିବୁର ରେହମାନଙ୍କ ବଡ଼ ଝିଅ ହେଉଛନ୍ତି ଶେଖ ହସିନା। ୧୯୪୭ ମସିହା ସେପ୍ଟେମ୍ବର୨୮ ତାରିଖରେ ସେତେବେଳର ପୂର୍ବ ପାକିସ୍ତାନରେ ତାଙ୍କର ଜନ୍ମ। ସ୍କୁଲ ଏବଂ କଲେଜ ଜୀବନ ସେ ବାଂଲାଦେଶରେ କଟାଇଥିଲେ। ସେଇଠି ସ୍କୁଲ ଏବଂ କଲେଜ ପାଠପଢ଼ା।
୧୯୬୬ ମସିହାରେ ଢାକାର ଇଡେନ ମହିଳା ମହାବିଦ୍ୟାଳୟରେ ପଢ଼ିବା ବେଳେ ରାଜନୀତି ପ୍ରତି ଆକର୍ଷିତ ହୋଇଥିଲେ ଶେଖ ହସିନା। ପରେ ମହାବିଦ୍ୟାଳୟର ଛାତ୍ର ସଂସଦର ଉପସଭାପତି ହେଲେ। ସେହିଠାରୁ ହିଁ ଆରମ୍ଭ ହୋଇଥିଲା ହସିନାଙ୍କ ରାଜନୈତିକ ଯାତ୍ରା।
ପରେ ପିତା ଶେଖ ମୁଜିବୁର ରେହମାନ ହସିନାଙ୍କୁ ଆୱାମୀ ଲିଗ ଛାତ୍ର ସଂଗଠନର ଦାୟିତ୍ଵ ଦେବାକୁ ନିଷ୍ପତ୍ତି ନେଇଥିଲେ।
ପରିବାରକୁ ହରାଇଥିଲେ ଶେଖ ହସିନା
୧୯୭୧ ମସିହାରେ ସ୍ୱାଧୀନ ରାଷ୍ଟ୍ର ଭାବେ ବାଂଲାଦେଶ ଗଠନ ହେଲା। ଏହାର କିଛି ବର୍ଷ ପରେ ଶେଖ ହସିନାଙ୍କ ଉପରେ ଦୁଃଖର ପାହଡ଼ ଭାଙ୍ଗି ପଡ଼ିଥିଲା।
୧୯୭୫ ମସିହାରେ ବାଂଲାଦେଶ ସେନା ବିଦ୍ରୋହ କରିଥିଲା। ଏଥିରେ ବିଦ୍ରୋହକାରୀ ଯବାନମାନେ ଶେଖ ହସିନାଙ୍କ ବାପା, ମା’ ଏବଂ ତିନି ଭାଇଙ୍କୁ ପିଟି ପିଟି ହତ୍ୟା କରିଦେଲେ। ସେତେବେଳେ ଶେଖ ହସିନା ଓ ତାଙ୍କ ସ୍ଵାମୀ ୟୁରୋପରେ ଥିଲେ।
ହସିନାଙ୍କ ସାନ ଭଉଣୀ ଶେଖ ରିହନା ମଧ୍ୟ ବିଦେଶରେ ଥିଲେ। ତେଣୁ ସେମାନଙ୍କ ଜୀବନ ବଞ୍ଚି ଯାଇଥିଲା। ହସିନାଙ୍କ ସମ୍ପୂର୍ଣ୍ଣ ପରିବାରକୁ ସେନା ନିପାତ କରିବା ପରେ ଭାରତର ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଶେଖ ହସିନାଙ୍କୁ ଭାରତରେ ଆଶ୍ରୟ ଦେଇଥିଲେ।
୧୯୮୧ ମସିହାରେ ଶେଖ ହସିନା ବାଂଲାଦେଶକୁ ଫେରିଥିଲେ। ସେ ତାଙ୍କ ପିତାଙ୍କ ରାଜନୈତିକ ଦଳକୁ ଆଗକୁ ନେବା ପାଇଁ ସେ ନିଷ୍ପତ୍ତି ନେଇଥିଲେ।
ଶେଖ ହସିନାଙ୍କ ରାଜନୈତିକ ଜୀବନ
୧୯୮୬ ମସିହାରେ ପ୍ରଥମ ଥର ପାଇଁ ଶେଖ ହସିନା ବାଂଲାଦେଶରେ ସାଧାରଣ ନିର୍ବାଚନ ଲଢ଼ିଥିଲେ। ତେବେ ତାଙ୍କ ଦଳକୁ ସଂଖ୍ୟା ଗରିଷ୍ଠତା ମିଳିନଥିଲା। ତେଣୁ ସେ ବିରୋଧୀ ଦଳ ଆସନରେ ବସିଥିଲେ। ୧୯୯୧ ମସିହାରେ ପ୍ରଥମ ଥର ପାଇଁ ବାଂଲାଦେଶରେ ସ୍ଵାଧୀନ ନିର୍ବାଚନ ହୋଇଥିଲା। ଏଥିରେ ମଧ୍ୟ ହସିନାଙ୍କୁ ପରାଜୟର ମୁହଁ ଦେଖିବାକୁ ପଡ଼ିଥିଲା।
ଏହାପରେ ୧୯୯୬ ନିର୍ବାଚନରେ ଶେଖ ହସିନା ବିଜୟୀ ହୋଇ ପ୍ରଥମ ଥର ପାଇଁ ବାଂଲାଦେଶର ପ୍ରଧାନମନ୍ତ୍ରୀ ହୋଇଥିଲେ। ୧୯୯୬ରୁ ୨୦୦୧ ଯାଏଁ ବାଂଲାଦେଶରେ ହସିନାଙ୍କ ସରକାର ଶାସନରେ ରହିଥିଲା। ହେଲେ ୨୦୦୧ ନିର୍ବାଚନରେ ହସିନାଙ୍କୁ ପୁଣି ମିଳିଲା ପରାଜୟ।
୨୦୦୯ ସାଧାରଣ ନିର୍ବାଚନରେ ବିଜୟୀ ହୋଇ ପୁଣି ବାଂଲାଦେଶର ପ୍ରଧାନମନ୍ତ୍ରୀ ହୋଇଥିଲେ ଶେଖ ହସିନା। ୨୦୦୯ରୁ ୨୦୨୪ ଯାଏଁ ବାଂଲାଦେଶରେ ସେ କ୍ଷମତାରେ ରହିଥିଲେ।
ବଂଲାଦେଶରେ ସଂରକ୍ଷଣକୁ ନେଇ ତେଜି ଉଠିଥିବା ଛାତ୍ର ଆନ୍ଦୋଳନ ଆଜି ହସିନାଙ୍କ ୧୫ ବର୍ଷ ଶାସନର ଅନ୍ତ ଘଟାଇଛି। ଏବେ ସେ ନିଜ ଦେଶ ଛାଡ଼ି ଭାରତରେ ଶରଣ ନେଇଛନ୍ତି। ତେବେ ଆଗକୁ ବାଂଲାଦେଶ ରାଜନୀତିରେ ହସିନାଙ୍କ ଯାତ୍ରା ଆଗକୁ ବଢ଼ିବ କି ନାହିଁ ତାହା ଅସ୍ପଷ୍ଟ।
Tags: #Politics #Bangladesh #SheikhHasina #Career #Life