ଓଡ଼ିଶାଲାଇଭ୍ ବ୍ୟୁରୋ
ଚଳିତବର୍ଷ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ହେବାକୁ ଯାଉଛି। ଏଥିରେ ଡେମୋକ୍ରାଟିକ୍ ପାର୍ଟିରୁ କମଳା ହ୍ୟାରିସ ଓ ରିପବ୍ଲିକାନ ପାର୍ଟିରୁ ଡୋନାଲ୍ଡ ଟ୍ରମ୍ପ ମୁହାଁମୁହିଁ ହେବାକୁ ଯାଉଛନ୍ତି। ନିର୍ବାଚନ ପୂର୍ବରୁ କମଳା ହ୍ୟାରିସଙ୍କୁ ଦେଶର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କ ସମର୍ଥନ ମିଳିଛି। ଡେମୋକ୍ରାଟିକ୍ ପାର୍ଟି ଜାତୀୟ ସମ୍ମିଳନୀରେ ସେ କମଳା ହ୍ୟାରିସଙ୍କୁ ପ୍ରଶଂସା କରିବା ସହ ଡୋନାଲ୍ଡ ଟ୍ରମ୍ପଙ୍କୁ ଟାର୍ଗେଟ୍ କରିଛନ୍ତି।
ରାଷ୍ଟ୍ରପତି ନିର୍ବାଚନ ପାଇଁ ଗୁରୁବାର ସିକାଗୋରେ ଡେମୋକ୍ରାଟିକ୍ ପାର୍ଟିର ଜାତୀୟ ସମ୍ମିଳନୀ ଆୟୋଜିତ ହୋଇଥିଲା। ଏଥିରେ ବାରାକ ଓବାମା ଓ ତାଙ୍କ ପତ୍ନୀ ମିଶେଲ୍ ଓବାମା ଯୋଗ ଦେଇଥିଲେ। ଏଠାରେ ସେ କମଳା ହ୍ୟାରିସଙ୍କୁ ଆମେରିକାର ଭବିଷ୍ୟତ ବୋଲି ସମ୍ବୋଧନ କରିଛନ୍ତି। ଏଠାରେ ଡେମୋକ୍ରାଟିକ୍ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ଭାବେ କମଳା ହ୍ୟାରିସଙ୍କୁ ଆନୁଷ୍ଠାନିକ ଭାବେ ନିର୍ବାଚିତ କରାଯାଇଛି।
“ଆମେରିକା ଏକ ନୂଆ ଅଧ୍ୟାୟ ପାଇଁ ପ୍ରସ୍ତୁତ ହେଉଛି। କମଳା ହ୍ୟାରିସଙ୍କୁ ଦେଶର ନୂଆ ରାଷ୍ଟ୍ରପତି ବନେଇବା ପାଇଁ ଆମେ ପ୍ରସ୍ତୁତ। ଗଣତନ୍ତ୍ରରେ ଅନେକ ଶକ୍ତି ରହିଛି। କମଳା ହ୍ୟାରିସ ଏହାକୁ ଭଲ ଭାବେ ବୁଝିଛନ୍ତି। ଆମେ ଲୋକଙ୍କ ପାଖରେ ତାଙ୍କର ବାର୍ତ୍ତା ପହଞ୍ଚାଇବା। ନଭେମ୍ବର ନିର୍ବାଚନରେ କ’ଣ ହେବ ତାହା ଉପରେ ସାରା ବିଶ୍ୱର ନଜର ରହିଛି”, କହିଛନ୍ତି ବାରାକ ଓବାମା।
ସେ ଏହି କାର୍ଯ୍ୟକ୍ରମରେ ଡୋନାଲ୍ଡ ଟ୍ରମ୍ପଙ୍କୁ କଡ଼ା ସମାଲୋଚନା କରିଥିଲେ। ଟ୍ରମ୍ପ ଆମେରିକାକୁ ବିଭାଜନ ଆଡ଼କୁ ନେଇ ଯାଉଥିବା ବାରାକ ଓବାମା ଅଭିଯୋଗ କରିଥିଲେ। ଟ୍ରମ୍ପ ଆମେରିକା ପାଇଁ ବିପଜ୍ଜନକ ବୋଲି ସେ କହିଥିଲେ।
୨୦୦୮ ମସିହାରେ ଡେମୋକ୍ରାଟିକ୍ ପାର୍ଟି ତରଫରୁ ନିର୍ବାଚନ ଲଢ଼ି ଆମେରିକାର ରାଷ୍ଟ୍ରପତି ହୋଇଥିଲେ ବାରାକ ଓବାମା। ଏହାପରେ ସେ ୨୦୧୨ ମସିହାରେ ଲଗାତର ଦ୍ଵିତୀୟଥର ପାଇଁ ଦେଶର ରାଷ୍ଟ୍ରପତି ହୋଇଥିଲେ।
ନଭେମ୍ବର ୫ରେ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ
ଚଳିତବର୍ଷ ନଭେମ୍ବର ୫ ତାରିଖରେ ଆମେରିକାର ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବ। ଏଥିପାଇଁ ସରଗରମ ହେବାରେ ଲାଗିଛି ନିର୍ବାଚନୀ ପ୍ରଚାର। ବର୍ତ୍ତମାନର ରାଷ୍ଟ୍ରପତି ଜୋ ବାଇଡେନ୍ ନିର୍ବାଚନରୁ ଓହରିଯିବା ପରେ ଡେମୋକ୍ରାଟିକ୍ ପାର୍ଟିରେ ପ୍ରଥମ ପସନ୍ଦ ବନିଥିଲେ କମଳା ହ୍ୟାରିସ। ସେହିପରି ରିପବ୍ଲିକାନ ପାର୍ଟିରୁ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରାର୍ଥୀ ହୋଇଛନ୍ତି। ଏବେ ନିର୍ବାଚନୀ ମଇଦାନରେ ଉଭୟ ନେତା ପରସ୍ପରକୁ ଟାର୍ଗେଟ କରୁଥିବା ଦେଖିବାକୁ ମିଳୁଛି।
Tags: #USPresidentialElections2024 #KamalaHarris #BarackObama #DemocraticParty #DonaldTrump #Politics #USA