ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ୱରରେ ନିର୍ମାଣ ହୋଇଥିବା ବେଆଇନ୍ ଆପାର୍ଟମେଣ୍ଟଗୁଡ଼ିକୁ ଭଙ୍ଗାଯିବ। ସହରର ୧୯୧ଟି ବେଆଇନ୍ ଆପାର୍ଟମେଣ୍ଟ ଭାଙ୍ଗିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ଏନେଇ ମଙ୍ଗଳବାର ବିଧାନସଭାରେ ଉତ୍ତର ରଖିଛନ୍ତି ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର।
ମଙ୍ଗଳବାର ବିଧାନସଭାର ପ୍ରଶ୍ନକାଳରେ ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଭୁବନେଶ୍ୱରରେ ଥିବା ବେଆଇନ୍ ଆପାର୍ଟମେଣ୍ଟ ବିରୋଧରେ କ’ଣ କାର୍ଯ୍ୟାନୁଷ୍ଠାନ ନିଆଯାଉଛି ବୋଲି ପ୍ରଶ୍ନ ପଚାରିଥିଲେ। ଏହାର ଉତ୍ତର ଦେଇ ବେଆଇନ୍ ଆପାର୍ଟମେଣ୍ଟଗୁଡ଼ିକୁ ଭଙ୍ଗାଯିବ ବୋଲି କହିଥିଲେ ବିଭାଗୀୟ ମନ୍ତ୍ରୀ।
“ଭୁବନେଶ୍ୱରରେ ବିଡିଏ ଅଧୀନରେ ୪୯୧ଟି ବେଆଇନ ଆପାର୍ଟମେଣ୍ଟ ଥିବାର ଅଭିଯୋଗ ହୋଇଥିଲା। ସେଥିରୁ ୧୯୧ଟି ଆପର୍ଟମେଣ୍ଟ ଭାଙ୍ଗିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର। ଏ ବାବଦରେ ୬୩ଟି ମାମଲା ଖାରଜ ହୋଇଥିବାବେଳେ ୨୩୭ଟି ବିଚାରାଧୀନ ରହିଛି। ସେହିପରି ବିଏମସି ଅଧିନରେ ୧,୪୪୪ଟି ବେଆଇନ ଆପାର୍ଟମେଣ୍ଟର ମାମଲା ରହିଥିବାବେଳେ ୪୫୧ଟିର ଫଇସଲା ହୋଇଛି। ଓଡ଼ିଶା ଉନ୍ନୟନ କର୍ତ୍ତୃପକ୍ଷ ଅଧିନିୟମ ୧୯୮୨ ଅନୁସାରେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ”, କହିଛନ୍ତି କୃଷ୍ଣଚନ୍ଦ୍ର ମହାପାତ୍ର।
ତେବେ ଭୁବନେଶ୍ୱରରେ କେଉଁ ସବୁ ବେଆଇନ ଆପାର୍ଟମେଣ୍ଟ ଭଙ୍ଗାଯିବ ସେ ନେଇ ସବିଶେଷ ତଥ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଦିଆଯାଇନାହିଁ।
Tags: #IllegalApartment #Demolition #Bhubaneswar #HUDDept #Odisha