ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟସଭା ଉପନିର୍ବାଚନ ପୂର୍ବରୁ ଓଡ଼ିଶାରୁ ନିର୍ଦ୍ଵନ୍ଦ୍ଵରେ ନିର୍ବାଚିତ ହେଲେ ବିଜେପି ପ୍ରାର୍ଥୀ ମମତା ମହାନ୍ତ। ବିଜେପି ନେତା ଜଗନ୍ନାଥ ପ୍ରଧାନ ମଙ୍ଗଳବାର ଦିନ ନିଜ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିନେବା ପରେ ଏହି ଆସନ ପାଇଁ ଅନ୍ୟ କେହି ଦାବିଦାର ନଥିଲେ।

ରାଜ୍ୟସଭା ଉପନିର୍ବାଚନ ପାଇଁ ଅଗଷ୍ଟ ୧ ତାରିଖରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ ପ୍ରାର୍ଥିପତ୍ର ଦାଖଲ କରିଥିଲେ ମମତା ମହାନ୍ତ। ଏହାର କିଛି ସମୟ ପରେ ବିଜେପି ନେତା ଜଗନ୍ନାଥ ପ୍ରଧାନ ସ୍ଵାଧୀନ ଭାବେ ଏହି ଆସନ ପାଇଁ ପ୍ରାର୍ଥିପତ୍ର ଦାଖଲ କରିଥିଲେ।

ତେବେ ମଙ୍ଗଳବାର ଦିନ ଜଗନ୍ନାଥ ପ୍ରଧାନ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିନେବା ପରେ ରାଜ୍ୟସଭା ଯିବାକୁ ମମତାଙ୍କ ପାଇଁ ରାସ୍ତା ସଫା ହୋଇଯାଇଥିଲା।

ଆସନ୍ତା ସେପ୍ଟେମ୍ବର ୩ ତାରିଖରେ ଓଡ଼ିଶାରେ ରାଜ୍ୟସଭା ଉପନିର୍ବାଚନ ପାଇଁ ଭୋଟ ପଡ଼ିବାର ଥିଲା। ମମତା ମହାନ୍ତ ଏକମାତ୍ର ପ୍ରାର୍ଥୀ ଥିବାରୁ ସେ ନିର୍ଦ୍ଵନ୍ଦ୍ଵରେ ନିର୍ବାଚିତ ହୋଇଛନ୍ତି।

ମମତା ମହାନ୍ତ ପୂର୍ବରୁ ବିଜେଡିରୁ ରାଜ୍ୟସଭାକୁ ଯାଇଥିଲେ। ତେବେ ଦଳ ପ୍ରତି ଅସନ୍ତୋଷ ପ୍ରକାଶ କରି ସେ ଗତ ଜୁଲାଇ ୩୧ ତାରିଖରେ ରାଜ୍ୟସଭା ସାଂସଦ ପଦ ସହ ବିଜେଡିରୁ ଇସ୍ତଫା ଦେଇଥିଲେ। ଏହାର ଦିନକ ପରେ ଅର୍ଥାତ୍ ଅଗଷ୍ଟ ୧ ତାରିଖରେ ମମତା ମହାନ୍ତ ବିଜେପିରେ ଯୋଗ ଦେଇଥିଲେ।

ମମତା ମହାନ୍ତଙ୍କ ଇସ୍ତଫା ପରେ ରାଜ୍ୟସଭା ସାଂସଦ ପଦ ଖାଲି ପଡ଼ିଥିଲା। ଖାଲି ପଡ଼ିଥିବା ଏହି ଆସନ ପାଇଁ ବିଭିନ୍ନ ନେତାଙ୍କ ନାଁକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା। ତେବେ ଏହି ଆସନ ପାଇଁ ଅଗଷ୍ଟ୨୦ ତାରିଖରେ ମମତା ମହାନ୍ତଙ୍କୁ ପ୍ରାର୍ଥୀ ଘୋଷଣା କରିଥିଲା ବିଜେପି।

ମମତା ମହାନ୍ତ ମୟୂରଭଞ୍ଜ ଜିଲ୍ଲାର କୁଡୁମୀ ସମ୍ପ୍ରଦାୟର ଜଣେ ଟାଣୁଆ ନେତ୍ରୀ। ସେ ୨୦୨୦ ମସିହାରେ ବିଜେଡି ଟିକେଟରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ। ମମତା ମହାନ୍ତ ବିଜେପିରୁ ପୁଣି ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି।

Tags: #Politics #OdishaPolitics #RajyasabhaElection #ElectedUnopposed #MamataMohanta #MP #RajyaSabha #Odisha #BJP

LEAVE A REPLY

Please enter your comment!
Please enter your name here