ଓଡ଼ିଶାଲାଇଭ୍ ବ୍ୟୁରୋ
ପ୍ରାର୍ଥିପତ୍ର ପ୍ରତ୍ୟାହାର କଲେ ଜଗନ୍ନାଥ ପ୍ରଧାନ। ରାଜ୍ୟସଭା ଉପନିର୍ବାଚନ ପାଇଁ ସ୍ଵାଧୀନ ଭାବେ ପ୍ରାର୍ଥିପତ୍ର ଦାଖଲ କରିଥିବା ବିଜେପି ନେତା ଜଗନ୍ନାଥ ପ୍ରଧାନ ମଙ୍ଗଳବାର ଦିନ ନିଜ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିନେଇଛନ୍ତି। ଅଗଷ୍ଟ ୨୧ ତାରିଖରେ ସେ ରାଜ୍ୟସଭା ପାଇଁ ପ୍ରାର୍ଥିପତ୍ର ଦାଖଲ କରିଥିଲେ।
ପ୍ରାର୍ଥିପତ୍ର ପ୍ରତ୍ୟାହାର କରିବା ପରେ ଜଗନ୍ନାଥ ପ୍ରଧାନ ନିଜ ପ୍ରତିକ୍ରିୟା ରଖିଛନ୍ତି। ଦଳୀୟ ନେତୃତ୍ଵଙ୍କ ନିଷ୍ପତ୍ତି ଅନୁସାରେ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିଥିବା ସେ କହିଛନ୍ତି।
ରାଜ୍ୟସଭା ଉପନିର୍ବାଚନ ପାଇଁ ଅଗଷ୍ଟ ୨୧ ତାରିଖରେ ବିଜେପି ପ୍ରାର୍ଥୀ ମମତା ମହାନ୍ତ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ ପ୍ରାର୍ଥିପତ୍ର ଦାଖଲ କରିଥିଲେ। ଏହାର କିଛି ସମୟ ପରେ ବିଜେପି ନେତା ଜଗନ୍ନାଥ ପ୍ରଧାନ କିଛି ଦଳୀୟ ବିଧାୟକଙ୍କ ସହ ରାଜ୍ୟସଭା ପାଇଁ ପ୍ରାର୍ଥିପତ୍ର ଦାଖଲ କରିଥିଲେ। ଏହା ପରେ ଦଳ ଭିତରେ କନ୍ଦଳକୁ ନେଇ ରାଜନୈତିକ ମହଲରେ ବିଭିନ୍ନ ଚର୍ଚ୍ଚା ଆରମ୍ଭ ହୋଇଥିଲା।
ଶେଷ ଦିନରେ ଜଗନ୍ନାଥ ପ୍ରଧାନ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିନେଇଥିବାରୁ ମମତା ମହାନ୍ତ ବିଜେପିର ଏକମାତ୍ର ରାଜ୍ୟସଭା ପ୍ରାର୍ଥୀ ରହିଛନ୍ତି। ସଂଖ୍ୟା ଦୃଷ୍ଟିରୁ ସେ ପୁଣି ବିଜେପିରୁ ରାଜ୍ୟସଭାକୁ ଯିବାର ସମ୍ଭାବନା ରହିଛି।
ଆସନ୍ତା ସେପ୍ଟେମ୍ବର ୩ ତାରିଖରେ ଓଡ଼ିଶା ସମେତ ଦେଶର ୯ଟି ରାଜ୍ୟରେ ଖାଲିପଡ଼ିଥିବା ୧୨ଟି ରାଜ୍ୟସଭା ଆସନରେ ଉପନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବ। ରାଜ୍ୟସଭା ଉପନିର୍ବାଚନ ପାଇଁ ଅଗଷ୍ଟ ୨୧ ତାରିଖ ପର୍ଯ୍ୟନ୍ତ ପ୍ରାର୍ଥିପତ୍ର ଦାଖଲ, ଅଗଷ୍ଟ ୨୨ ତାରିଖରେ ପ୍ରାର୍ଥିପତ୍ର ଯାଞ୍ଚ ଏବଂ ଅଗଷ୍ଟ ୨୭ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିବାର ଶେଷ ତାରିଖ ରହିଥିଲା।
ସେପ୍ଟେମ୍ବର ୩ ତାରିଖ ସକାଳ ୯ଟା ଅପରାହ୍ଣ ୪ଟା ମଧ୍ୟରେ ରାଜ୍ୟସଭା ଉପନିର୍ବାଚନ ଲାଗି ଭୋଟ ପଡ଼ିବ। ସେହିଦିନ ସନ୍ଧ୍ୟା ୫ଟାରେ ଭୋଟ ଗଣତି କରାଯାଇ ନିର୍ବାଚନ ଫଳାଫଳ ଘୋଷଣା କରାଯିବ।
ଓଡ଼ିଶା ସମେତ ଆସାମ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ତ୍ରିପୁରା, ବିହାର, ହରିୟାଣା, ରାଜସ୍ଥାନ ଏବଂ ତେଲେଙ୍ଗାନାରେ ରାଜ୍ୟସଭା ଆସନ ଲାଗି ଉପନିର୍ବାଚନ ହେବାକୁ ଯାଉଛି।
ଯେଉଁ ପଦରୁ ଇସ୍ତଫା ଦେଇଥିଲେ ସେହି ପଦ ପାଇଁ ପୁଣି ପ୍ରାର୍ଥୀ ହୋଇଛନ୍ତି ମମତା ମହାନ୍ତ। ଏଥର କିନ୍ତୁ ଚିହ୍ନ ବଦଳିଛି। ଗତ ଜୁଲାଇ ମାସ ୩୧ ତାରିଖରେ ରାଜ୍ୟସଭା ସାଂସଦ ପଦ ସହ ବିଜେଡିରୁ ଇସ୍ତଫା ଦେଇଥିଲେ ମମତା ମହାନ୍ତ। ବିଜେଡି ଛାଡ଼ିବାର ଦିନକ ପରେ ଅଗଷ୍ଟ ୧ ତାରିଖରେ ବିଜେପିରେ ଯୋଗ ଦେଇଥିଲେ ମମତା।
ମମତା ମହାନ୍ତ ମୟୂରଭଞ୍ଜ ଜିଲ୍ଲାର କୁଡୁମୀ ସମ୍ପ୍ରଦାୟର ଜଣେ ଟାଣୁଆ ନେତ୍ରୀ। ସେ ୨୦୨୦ ମସିହାରେ ବିଜେଡି ଟିକେଟରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ। ବିଜେଡି ଛାଡ଼ି ବିଜେପି ମିଶିବା ପରେ ପୁଣି ମମତାଙ୍କ ଉପରେ ଭରସା କରିଛି ଦଳ।
Tags: #Politics #OdishaPolitics #RajyasabhaElection #Nomination #JagannathPradhan #MP #RajyaSabha #Odisha #BJP