ଓଡ଼ିଶାଲାଇଭ୍ ବ୍ୟୁରୋ

ଉତ୍କଳ ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି ଲିମିଟେଡ୍ ପକ୍ଷରୁ ଆୟୋଜିତ ହେବ ଗ୍ଲୋବାଲ ଟ୍ରେଡ ସୋ ‘ରିସର୍ଜେଣ୍ଟ ଓଡ଼ିଶା-୨୦୨୪’। ଭୁବନେଶ୍ୱରର ଜନତା ମଇଦାନରେ ଅଗଷ୍ଟ ୩୦ରୁ ସେପ୍ଟେମ୍ବର ୧ ତାରିଖ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଚାଲିବ। ଓଡ଼ିଶା ସରକାର ଏବଂ କେନ୍ଦ୍ର ଏମଏସଏମଇ ମନ୍ତ୍ରାଳୟର ସହଯୋଗରେ ଟ୍ରେଡ ସୋ’ର ଆୟୋଜନ କରାଯାଉଛି।
ଏହି କାର୍ଯ୍ୟକ୍ରମରେ ଅନେକ ଶିଳ୍ପ ଉଦ୍ୟୋଗୀ, ରାଜନେତା, ବିଶେଷଜ୍ଞ ଏବଂ ଅନ୍ୟ ଅଂଶୀଦାରମାନେ ଯୋଗ ଦେବେ। ଏଠାରେ ଶିଳ୍ପ ପ୍ରଦର୍ଶନୀ, କର୍ମଶାଳା ଏବଂ ବିଶେଷଜ୍ଞଙ୍କ ସହ ପ୍ୟାନେଲ୍ ଆଲୋଚନା ହେବ। ଶିଳ୍ପ ଓ ବ୍ୟବସାୟ କ୍ଷେତ୍ରରେ ସହଯୋଗ, ଉଦ୍ଭାବନ ଏବଂ ନେଟୱାର୍କିଂକୁ ପ୍ରୋତ୍ସାହିତ କରିବା ରିସର୍ଜେଣ୍ଟ ଓଡ଼ିଶା ଟ୍ରେଡ ସୋ’ର ଲକ୍ଷ୍ୟ ରହିଛି।
“୨୦୪୭ ସୁଦ୍ଧା ଭାରତକୁ ୩୦ ଟ୍ରିଲିୟନ ଡଲାର ଅର୍ଥନୀତିରେ ପରିଣତ କରିବା ପାଇଁ କେନ୍ଦ୍ର ସରକାର ଲକ୍ଷ୍ୟ ରଖିଛନ୍ତି। ଏହାକୁ ହାସଲ କରିବାକୁ ହେଲେ ପ୍ରତ୍ୟେକ ରାଜ୍ୟକୁ ଏକ ଟ୍ରିଲିୟନ ଡଲାରର ଯୋଗଦାନ କରିବାକୁ ପଡ଼ିବ। ଏହି ପରିପ୍ରେକ୍ଷୀରେ ଓଡ଼ିଶାର ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିବ। ଏହି ଲକ୍ଷ୍ୟ ହାସଲ ପାଇଁ ରାଜ୍ୟକୁ ସହଯୋଗ କରିବା ଉଦ୍ଦେଶ୍ୟରେ ଆମେ ଏହି ଏକ୍ସପୋର ଆୟୋଜନ କରୁଛୁ”, କହିଛନ୍ତି ୟୁସିସିଆଇଏଲର ସଭାପତି ବ୍ରହ୍ମାନନ୍ଦ ମିଶ୍ର।
ସେ ଆହୁରି ମଧ୍ୟ କହିଛନ୍ତି, “ଏହି ଟ୍ରେଡ ସୋ’ରେ ବିଭିନ୍ନ ଦେଶର ଦୂତାବାସ, ଶିଳ୍ପ, ରାଷ୍ଟ୍ରାୟତ ଉଦ୍ୟୋଗ ତଥା ଏମଏନସିର ପ୍ରମୁଖ ବ୍ୟକ୍ତିମାନେ ଯୋଗଦେବେ। ଓଡ଼ିଶା କିପରି ଏକ ଟ୍ରିଲିୟନ ଡଲାର ଅର୍ଥନୀତି ଲକ୍ଷ୍ୟ ହାସଲ କରିପାରିବ ସେ ନେଇ ଆମେ ଏଠାରେ ଏକ ଶ୍ୱେତପତ୍ର ପ୍ରସ୍ତୁତ କରି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିକଟରେ ଦାଖଲ କରିବୁ।”
ଓଡ଼ିଶାରେ ଅଭିବୃଦ୍ଧି ଓ ବିକାଶର ଗତିକୁ ଆଗେଇ ନେବା ଲାଗି ଏହି କାର୍ଯ୍ୟକ୍ରମ ଉଦ୍ୟୋଗୀ ଓ ବ୍ୟବସାୟୀଙ୍କୁ ମୂଲ୍ୟବାନ ସହଭାଗିତା ଓ ସହଯୋଗ ପାଇଁ ଏକ ମଞ୍ଚ ପ୍ରଦାନ କରିବ ବୋଲି ବ୍ରହ୍ମାନନ୍ଦ ମିଶ୍ର ମତବ୍ୟକ୍ତ କରିଥିଲେ।
କନଫେଡେରେସନ ଅଫ ଇଣ୍ଡିଆନ ଇଣ୍ଡଷ୍ଟ୍ରି (ସିଆଇଆଇ), ଫେଡେରେସନ ଅଫ ଇଣ୍ଡିଆନ ଚାମ୍ବର୍ସ ଅଫ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି (ଫିକି), ଇଣ୍ଡିଆନ ଚାମ୍ବର ଅଫ କମର୍ସ (ଆଇସିସି) ଏବଂ ଆସୋଚାମ୍ ଭଳି ପ୍ରତିଷ୍ଠିତ ସଂଗଠନ ‘ରିସର୍ଜେଣ୍ଟ ଓଡ଼ିଶା ୨୦୨୪’ର ସ୍ପନସର ରହିଛନ୍ତି।
ମଙ୍ଗଳବାର ଏହି ଟ୍ରେଡ ସୋ’ର ଘୋଷଣା ଅବସରରେ ୟୁସିସିଆଇଏଲର ଉପସଭାପତି ତାରିଣୀ ପ୍ରସାଦ ମହାନ୍ତି, ସମ୍ପାଦକ ଅଶୋକ କୁମାର ଶାରଦା, ରିସର୍ଜେଣ୍ଟ ଓଡ଼ିଶା ୨୦୨୪ ଟ୍ରେଡ଼ ସୋ’ର ସଭାପତି ପ୍ରବୋଧ ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ।
Tags: #ResurgentOdisha2024 #GlobalTradeShow #UCCIL #Bhubaneswar














