ଓଡ଼ିଶାଲାଇଭ୍ ବ୍ୟୁରୋ
ନୂଆଁଖାଇ ପୂର୍ବରୁ ପଶ୍ଚିମ ଓଡ଼ିଶା ପାଇଁ ବଡ଼ ଘୋଷଣା। ପଶ୍ଚିମ ଓଡ଼ିଶାରେ ଦୁଇଟି ରେଳ ଲାଇନ ନିର୍ମାଣ ଲାଗି ବୁଧବାର ଦିନ କେନ୍ଦ୍ର କ୍ୟାବିନେଟରେ ମଞ୍ଜୁରୀ ମିଳିଛି। ବରଗଡ଼, ନୂଆପଡ଼ା ଏବଂ ସୁନ୍ଦରଗଡ଼ ଜିଲ୍ଲାରେ ଏହି ୨ଟି ନୂଆ ରେଳ ଲାଇନ ନିର୍ମାଣ କରାଯିବ ବୋଲି ସୂଚନା ଦେଇଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ।
ପ୍ରଥମ ପ୍ରକଳ୍ପ ଅଧୀନରେ ବରଗଡ଼ରୁ ନୂଆପଡ଼ାକୁ ରେଳ ସଂଯୋଗୀକରଣ କରାଯିବା। ବରଗଡ଼ ରୋଡରୁ ନୂଆପଡ଼ା ରୋଡ ୧୩୮ କିଲୋମିଟର ନୂଆ ରେଳ ଲାଇନ ନିର୍ମାଣ ହେବ। ଏଥିପାଇଁ ୨ ହଜାର ୯୨୬ କୋଟି ଟଙ୍କା ଖର୍ଚ୍ଚ ହେବ। ଏହି ଲାଇନ ହେଲେ ବରଗଡ଼ରୁ ରାୟପୁରକୁ ଯୋଗାଯୋଗ ସହଜ ହେବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।
ସେହିପରି ସୁନ୍ଦରଗଡ଼ ଜିଲ୍ଲା ବସଡେଗାରୁ ଛତିଶଗଡ଼ର ଭଲୁମୁଡ଼ାକୁ ନୂଆ ଡବଲ ରେଳ ଲାଇନକୁ କେନ୍ଦ୍ର କ୍ୟାବିନେଟରେ ମଞ୍ଜୁରୀ ମିଳିଛି। ଏହି ପ୍ରକଳ୍ପ ଅଧୀନରେ ୩୭ କିଲୋମିଟର ଲାଇନ ନିର୍ମାଣ ପାଇଁ ଖର୍ଚ୍ଚ ହେବ ୧୩ ଶହ ୬୦ କୋଟି ଟଙ୍କା।
କେନ୍ଦ୍ର କ୍ୟାବିନେଟରେ ବୁଧବାର ଦିନ ମୋଟ ୩ଟି ରେଳ ଲାଇନକୁ ମଞ୍ଜୁରୀ ମିଳିଛି। ଦୁଇଟି ଓଡ଼ିଶା ପାଇଁ ଥିବାବେଳେ ଗୋଟିଏ ରେଳ ଲାଇନ ଜାମସେଦପୁର-ଆସାନସୋଲ ମଧ୍ୟରେ ନିର୍ମାଣ ହେବ।
Tags: #RailwayProject #NewRailwayLines #IndianRailways #Odisha #UnionCabinet