ଓଡ଼ିଶାଲାଇଭ୍ ବ୍ୟୁରୋ

ଭୁବନେଶ୍ୱରରେ ଆଇଆଇଟିଟିଏମ୍ ଏବଂ ଇଣ୍ଟାକର ମିଳିତ ଆନୁକୂଲ୍ୟରେ ଐତିହ୍ୟ ଓ ପର୍ଯ୍ୟଟନ ଉପରେ ଦିନିକିଆ ମିଡିଆ ସଚେତନତା କର୍ମଶାଳା।

ପର୍ଯ୍ୟଟନ ଓ ଐତିହ୍ୟ ରାଜ୍ୟର ଅମୂଲ୍ୟ ସମ୍ପତ୍ତି। ଏହାର ସୁରକ୍ଷା ଓ ସଂରକ୍ଷଣ ସହିତ ପ୍ରଚାର ପ୍ରସାର ହୋଇପାରିଲେ ପର୍ଯ୍ୟଟନ ଶିଳ୍ପର ବିକାଶ ହୋଇପାରିବ। ରାଜ୍ୟର ଆର୍ଥିକ ଅଭିବୃଦ୍ଧି ଘଟିବ। ଏଥିରେ ଗଣମାଧ୍ୟମର ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ। ତେଣୁ ସାମ୍ବାଦିକମାନଙ୍କୁ ଏ ଦିଗରେ ସଚେତନ କରିବା ପାଇଁ ଭୁବନେଶ୍ୱରରେ ଏକ ଦିନିକିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।

ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟୁରିଜିମ୍ ଆଣ୍ଡ ଟ୍ରାଭେଲ୍ ମ୍ୟାନେଜମେଣ୍ଟ (ଆଇଆଇଟିଟିଏମ୍) ଏବଂ ଇଣ୍ଡିଆନ୍ ନ୍ୟାସନାଲ୍ ଟ୍ରଷ୍ଟ ଫର୍ ଆର୍ଟ ଆଣ୍ଡ କଲ୍ଚରାଲ୍ ହେରିଟେଜ୍ (ଇଣ୍ଟାକ୍) ପକ୍ଷରୁ ଏହାର ଆୟୋଜନ କରାଯାଇଥିଲା। ଐତିହ୍ୟ ଏବଂ ପର୍ଯ୍ୟଟନ ଉପରେ ଖବର ପ୍ରସାର ବା ରିର୍ପୋଟିଂ ସମୟରେ ଗଣମାଧ୍ୟମ କିଭଳି ଦାୟିତ୍ୱବାନ ହେବା କଥା ସେହି ବିଷୟରେ ଏହି କର୍ମଶାଳାରେ ଆଲୋଚନା କରାଯାଇଥିଲା। 

ଏହି କାର୍ଯ୍ୟକ୍ରମରେ ‘ଓଡ଼ିଶାଲାଇଭ୍’ର ମୁଖ୍ୟ ସମ୍ପାଦକ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ନୀଳାମ୍ବର ରଥ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସମ୍ବାଦ ଓ କନକ ନ୍ୟୁଜର ସମ୍ପାଦକ ତନୟା ପଟ୍ଟନାୟକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଏହାସହ କାର୍ଯ୍ୟକ୍ରମରେ ଅନେକ ଗଣମାଧ୍ୟମ ପ୍ରତିନିଧି, କମ୍ୟୁନିକେସନ ବିଶେଷଜ୍ଞ ଓ ଅନେକ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ।

“କଳା, ସଂସ୍କୃତି, ଐତିହ୍ୟ ତଥା ସାହିତ୍ୟ ହେଉଛି ଆମର ପରିଚୟ ଓ ଆମର ସମ୍ପତ୍ତି। ଐତିହ୍ୟକୁ ସଂରକ୍ଷଣ କରିବା ତଥା ପର୍ଯ୍ୟଟନର ବିକାଶ ଦିଗରେ ନଜର ରଖିବା ହେଉଛି ଗଣମାଧ୍ୟମର ବଡ଼ ଦାୟିତ୍ୱ। ଆଜିର ଡିଜିଟାଲ ଯୁଗରେ ସାମ୍ବାଦିକମାନେ ବିଭିନ୍ନ ଟେକନୋଲୋଜିର ବ୍ୟବହାର କରୁଛନ୍ତି। ସୋସିଆଲ ମିଡିଆରୁ ସେମାନେ ବିଭିନ୍ନ ତଥ୍ୟ ପାଇପାରୁଛନ୍ତି। ଏହାଫଳରେ ସାମ୍ବାଦିକତା ଆହୁରି ସହଜ ଓ ପ୍ରଭାବଶାଳୀ ହେବା କଥା। କିନ୍ତୁ ବିଭିନ୍ନ କାରଣରୁ ଖବର ଏବେ ଭ୍ରମାତ୍ମକ ହୋଇଯାଉଛି, ଯାହା ଏକ ଆହ୍ୱାନ ସୃଷ୍ଟି କରିଛି। ତେଣୁ ଏ ଦିଗରେ ସାମ୍ବାଦିକମାନଙ୍କୁ ଅଧିକ ସଚେତନ ହେବାକୁ ପଡ଼ିବ”, କହିଥିଲେ ନୀଳାମ୍ବର ରଥ।

ସେହିପରି ଇଣ୍ଟାକର ଆବାହକ ଅମୀୟଭୂଷଣ ତ୍ରିପାଠୀ କହିଥିଲେ, ‘‘ଭାରତବର୍ଷରେ ଆମ ରାଜ୍ୟ ଓଡ଼ିଶା ଏକ ଐତିହ୍ୟ ପୂର୍ଣ୍ଣ ଓ ପର୍ଯ୍ୟଟନ ସମୃଦ୍ଧ ରାଜ୍ୟ। ରାଜ୍ୟର ୧୭ଟି ଜିଲ୍ଲାରେ ୬,୫୦୦ରୁ ଅଧିକ ଐତିହ୍ୟସ୍ଥଳ ରହିଥିବା ଗବେଷଣାରୁ ଜଣାପଡ଼ିଛି। କିନ୍ତୁ ଏହାର ସଂରକ୍ଷଣ ଓ ସୁରକ୍ଷା ପାଇଁ ଆମ ରାଜ୍ୟରେ କୌଣସି ସ୍ୱତନ୍ତ୍ର ଆଇନ ବା ପଲିସି ନାହିଁ। ତେଣୁ ରାଜ୍ୟ ସରକାର ଏକ ‘ହେରିଟେଜ ପଲିସି’ ଆଣନ୍ତୁ।’’

ସାମ୍ବାଦିକମାନେ ଐତିହ୍ୟ ଏବଂ ପର୍ଯ୍ୟଟନର ସୁରକ୍ଷା, ସଂରକ୍ଷଣ ଓ ପ୍ରଚାର ପ୍ରସାର ଭଳି ପ୍ରସଙ୍ଗଗୁଡ଼ିକୁ ଭଲ ଭାବରେ ବୁଝି ଏହାରି ଉପରେ ସକାରାତ୍ମକ ରିପୋର୍ଟିଂ କରିବା ନେଇ କାର୍ଯ୍ୟକ୍ରମରେ ଆଲୋଚନା କରାଯାଇଥିଲା। ଐତିହ୍ୟର ସଂରକ୍ଷଣ ଓ ପର୍ଯ୍ୟଟନର ବିକାଶ କ୍ଷେତ୍ରରେ ପ୍ରଭାବଶାଳୀ ରିପୋର୍ଟିଂ ପାଇଁ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ସଚେତନ କରାଯାଇଥିଲା। ଏଥିରେ ଆଇଆଇଟିଟିଏମ୍ ଏବଂ ଇଣ୍ଟାକର ବିଶେଷଜ୍ଞଙ୍କମାନେ ଦାୟିତ୍ୱବାନ ଗଣମାଧ୍ୟମ କଭରେଜ୍ ପାଇଁ ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ।

“ଯେକୌଣସି ସ୍ଥାନରେ କିଛି ଐତିହ୍ୟ ଥିଲେ ସେ ସବୁର ପ୍ରଚାର ପ୍ରସାର ପାଇଁ ପ୍ରୋତ୍ସାହନ ଦେବା ମିଡିଆର କାମ। ଓଡ଼ିଶାରେ ଅନେକ ଅଧିକ ଐତିହ୍ୟ ଓ ପର୍ଯ୍ୟଟନସ୍ଥଳୀ ରହିଛି। ସେ ସବୁର ସୁରକ୍ଷା କରିବା ଗୁରୁତ୍ୱପୂର୍ଣ୍ଣ। ଐତିହ୍ୟ ଓ ସଂସ୍କୃତିକୁ ରକ୍ଷା କରିପାରିଲେ ଅସ୍ମିତା ମଧ୍ୟ ସୁରକ୍ଷିତ ରହିପାରିବ”, କହିଥିଲେ ତନୟା ପଟ୍ଟନାୟକ।

ଏହି କାର୍ଯ୍ୟକ୍ରମରେ ଐତିହ୍ୟ ଏବଂ ପର୍ଯ୍ୟଟନର ବିଭିନ୍ନ ପ୍ରସଙ୍ଗକୁ ନେଇ ୭ଟି ଟେକ୍ନିକାଲ ସେସନ୍ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମର ପ୍ରଥମ ସେସନରେ ‘ଐତିହ୍ୟ ଓ ପର୍ଯ୍ୟଟନ ରିପୋର୍ଟିଂ: ଟୁଲ୍ସ ଆଣ୍ଡ ଟେକନିକ’ ଉପରେ ଆଲୋଚନା ହୋଇଥିଲା। ଏଥିରେ ବକ୍ତା ଥିଲେ ସାମ୍ବାଦିକ ଡାଏନା ସାହୁ।

ସେହିପରି ଦ୍ୱିତୀୟ ପର୍ଯ୍ୟାୟରେ ଐତିହ୍ୟ ଓ ପର୍ଯ୍ୟଟନର କ୍ଷେତରେ ସଚେତନତା ସୃଷ୍ଟି କରିବାରେ ଗଣମାଧ୍ୟମର ଭୂମିକା ବାବଦରେ ଆଲୋଚନା ହୋଇଥିଲେ। ବକ୍ତା ଭାବେ ଭର୍ଚୁଆଲ ଭାବେ ଯୋଡ଼ି ହୋଇଥିଲେ ବରିଷ୍ଠ ସାମ୍ବାଦିକ ମୃଣାଳ ଚାଟାର୍ଜୀ।

ତୃତୀୟରେ ‘ପର୍ଯ୍ୟଟନ ଓ ଐତିହ୍ୟ ଆଇନ’ ଉପରେ କହିଥିଲେ ପୂର୍ବତନ ଆଇପିଏସ୍ ଅଧିକାରୀ ଡକ୍ଟର ଲଳିତ ଦାସ। ଚତୁର୍ଥରେ ରାଜ୍ୟ ପର୍ଯ୍ୟଟନ ବିଭାଗର ପ୍ରୋଜେକ୍ଟ ମ୍ୟାନେଜମେଣ୍ଟ ୟୁନିଟର ଟିମ୍ ଲିଡର ଲୋକେଶ କୁମାର ‘ଓଡ଼ିଶା ପର୍ଯ୍ୟଟନ: ଭବିଷ୍ୟତର ଧାରା ଓ ଗଣମାଧ୍ୟମର ସହଭାଗିତା’ ଶୀର୍ଷକରେ କହିଥିଲେ।

ଆଇଆଇଟିଟିଏମ୍ ଭୁବନେଶ୍ଵରର ନୋଡାଲ ଅଧିକାରୀ ଡକ୍ଟର ମହମ୍ମଦ ସବିର ହୁସେନ ଏବଂ ସହ-ଅଧ୍ୟାପିକା ତଥା ଇଣ୍ଟାକ ଭୁବନେଶ୍ୱରର ଯୁଗ୍ମ ଆବାହକ ଡକ୍ଟର ଆଦ୍ୟାଶା ଦାସ ପର୍ଯ୍ୟଟନ ଓ ଐତିହ୍ୟ କ୍ଷେତ୍ରରେ ଆହୁରି ଅଧିକ ଆକର୍ଷଣୀୟ କଣ୍ଟେଣ୍ଟ ସୃଷ୍ଟି କରି ତା’ର କିଭଳି ସୋ କେସ୍ କରାଯାଇପାରିବ ସେ ବାବଦରେ ଆଲୋଚନା କରିଥିଲେ।

ସେହିପରି ଐତିହାସିକ, ଗବେଷକ ତଥା ଇଣ୍ଟାକ ଭୁବନେଶ୍ୱରର ଆବାହକ ଅନିଲ ଧୀର ‘ମିଡିଆର ସହଯୋଗ ଏବଂ ସ୍ଥାନୀୟ ସମୁଦାୟଙ୍କ ସହଭାଗିତା’ ଉପରେ କହିଥିଲେ।

ଶେଷରେ ଏକ ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ ହୋଇଥିଲା। ଛାତ୍ରଛାତ୍ରୀ ଏବଂ ଗଣମାଧ୍ୟମ ପ୍ରତିନିଧିମାନେ ବିଶେଷଜ୍ଞମାନଙ୍କୁ ବିଭିନ୍ନ ପ୍ରଶ୍ନ ପଚାରି ତା’ର ଉତ୍ତର ପାଇଥିଲେ।

ଉଦଯାପନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସାମ୍ବାଦିକ ତଥା ଲେଖକ କେଦାର ମିଶ୍ର ଯୋଗ ଦେଇଥିଲେ। ଏହି କର୍ମଶାଳାରେ ଅଂଶଗ୍ରହଣ କରିଥିବା ଛାତ୍ରଛାତ୍ରୀ ଏବଂ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା।

Tags: #MediaSensitizationonHeritageandTourism #Journalism #Reporting #IITTM #INTACH #Bhubaneswar

LEAVE A REPLY

Please enter your comment!
Please enter your name here