ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ବିଧାନସଭାର ଦ୍ଵିତୀୟ ପର୍ଯ୍ୟାୟ ବଜେଟ୍ ଅଧିବେଶନରେ ସୋମବାର ଚାଲିପାରିନି ଗୃହ କାର୍ଯ୍ୟ। ସୁଭଦ୍ରା ଯୋଜନାକୁ ନେଇ ଆରମ୍ଭରୁ ହିଁ ଗୃହରେ ବିରୋଧୀଙ୍କ ହଟ୍ଟଗୋଳ ଦେଖିବାକୁ ମିଳିଛି। ଏନେଇ ଦିନ ୧ଟା ପର୍ଯ୍ୟନ୍ତ ଗୃହକୁ ମୁଲତବୀ କରାଯାଇଛି।  

ସୋମବାର ବିଧାନସଭା ଅଧିବେଶନ ଆରମ୍ଭ ହେବା ସମୟରେ ବିଜେଡି ବିଧାୟକମାନେ ସୁଭଦ୍ରା ଯୋଜନାରେ ସବୁ ମହିଳାଙ୍କୁ ସାମିଲ କରିବାକୁ ଦାବି କରି ହଟ୍ଟଗୋଳ କରିଥିଲେ। ଏହାପରେ ବିଜେଡି ସହ କଂଗ୍ରେସ ବିଧାୟକମାନେ ମଧ୍ୟ ଗୃହ ମଧ୍ୟ ଭାଗକୁ ଆସି ହଙ୍ଗାମା କରିଥିଲେ। ଏହାପରେ ବାଚସ୍ପତି ସୁରମା ପାଢ଼ୀ ଗୃହକୁ ମୁଲତବୀ କରିଥିଲେ।

ବିଧାନସଭାର ଦ୍ଵିତୀୟ ପର୍ଯ୍ୟାୟ ବଜେଟ୍ ଅଧିବେଶନ ସେପ୍ଟେମ୍ବର ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥିରେ ବିଭିନ୍ନ ବିଭାଗୀୟ କମିଟିର ରିପୋର୍ଟ ଉପସ୍ଥାପନ ହେବ। ସେପ୍ଟେମ୍ବର ୯ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ବିଭାଗକୁ ମିଳିଥିବା ଅନୁଦାନ ନିମନ୍ତେ ଖର୍ଚ୍ଚ ଦାବି ଆଲୋଚନା ହେବ। ସେପ୍ଟେମ୍ବର ୧୦ ତାରିଖରେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପରେ ବିନିଯୋଗ ବିଲ୍ ଆସିବ।

ଚଳିତ ବର୍ଷ ଓଡ଼ିଶାରେ ନୂଆ ସରକାର ଗଠନ ହେବାପରେ ଜୁଲାଇ ୨୨ ତାରିଖରୁ ସପ୍ତଦଶ ବିଧାନସଭାର ପ୍ରଥମ ବଜେଟ୍ ଅଧିବେଶନ ଆରମ୍ଭ ହୋଇଥିଲା। ଏଥିରେ ରାଜ୍ୟ ଅର୍ଥ ବିଭାଗର ଦାୟିତ୍ଵରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିଥିଲେ। ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ବଜେଟ୍ ଅଧିବେଶନର ପ୍ରଥମ ପର୍ଯ୍ୟାୟ ଚାଲିଥିଲା।  

Tags: #OdishaAssembly #SubhadraYojana #BudgetSession #Politics #Odisha

Comment