ଓଡ଼ିଶାଲାଇଭ୍ ବ୍ୟୁରୋ

କୋଲକାତାର ଆରଜି କର ମେଡିକାଲ କଲେଜରେ ମହିଳା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାକୁ ନେଇ ପଶ୍ଚିମବଙ୍ଗରେ ତୀବ୍ର ଆନ୍ଦୋଳନ ଜାରି ରହିଛି। ଏହାରି ମଧ୍ୟରେ ପଶ୍ଚିମବଙ୍ଗ ସରକାର ଦୁଷ୍କର୍ମ ବିରୋଧରେ କଡ଼ା ଆଇନ ଆଣିଛନ୍ତି। ଦୁଷ୍କର୍ମ କରିଥିବା ଦୋଷୀକୁ ଦଣ୍ଡ ଦେବାକୁ ପଶ୍ଚିମବଙ୍ଗ ବିଧାନସଭାରେ ‘ଅପରାଜିତା ବିଲ୍’ ପାରିତ ହୋଇଛି।
‘ଅପରାଜିତା ମହିଳା ଏବଂ ଶିଶୁ ବିଲ୍ (ପଶ୍ଚିମବଙ୍ଗ ଅପରାଧିକ ଆଇନ ଏବଂ ସଂଶୋଧନ) ୨୦୨୪’ ଅନ୍ତର୍ଗତ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଦୋଷୀକୁ ଶୀଘ୍ର ମୃତ୍ୟୁ ଦଣ୍ଡାଦେଶ ଦେବାକୁ ନିୟମ ରହିଛି। ୨୧ ଦିନ ମଧ୍ୟରେ ମାମଲାର ଶୁଣାଣି କରି ଦଣ୍ଡ ବିଧାନର ବ୍ୟବସ୍ଥା କରିବାକୁ ପ୍ରବଧାନ କରାଯାଇଛି।
ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହି ବିଲ୍ ଐତିହାସିକ ଏବଂ ଅନ୍ୟ ରାଜ୍ୟ ପାଇଁ ମଡେଲ୍ ହେବ ବୋଲି କହିଛନ୍ତି। ମହିଳାଙ୍କ ଉପରେ ହେଉଥିବା ହିଂସା ବିରୋଧରେ ଲଢ଼େଇରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ସେ ମତବ୍ୟକ୍ତ କରିଛନ୍ତି।
ନୂଆ ଆଇନରେ କ’ଣ ରହିଛି?
- ମହିଳାଙ୍କୁ ନିର୍ଯ୍ୟାତନା ଏବଂ ଦୁଷ୍କର୍ମ ମାମଲାରେ ଦୋଷୀକୁ କଠୋର ଦଣ୍ଡାଦେଶ ଦିଆଯିବ।
- ରାଜ୍ୟରେ ପୋକ୍ସୋ ଆକ୍ଟର ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରାଯିବ।
- ପଶ୍ଚିମବଙ୍ଗର ପ୍ରତି ଜିଲ୍ଲାରେ ଅପରାଜିତା ଟାସ୍କ ଫୋର୍ସ ଗଠନ କରାଯିବ, ଯେଉଁଥିରେ ପ୍ରାଥମିକ ରିପୋର୍ଟର ୨୧ ଦିନ ମଧ୍ୟରେ ଦଣ୍ଡ ମିଳିବ।
- କେବଳ ଦୁଷ୍କର୍ମ ନୁହେଁ, ମହିଳାଙ୍କ ଉପରେ ଏସିଡ୍ ଆକ୍ରମଣ ମଧ୍ୟ ଏକ ଗୁରୁତର ଅପରାଧ ବୋଲି ବିବେଚନା କରାଯାଇଛି।
- କେହି ଦୁଷ୍କର୍ମ ପୀଡ଼ିତାଙ୍କ ପରିଚୟ ପ୍ରକାଶ କରନ୍ତି, ତେବେ ତାଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
- ବିଭିନ୍ନ ସ୍ଥାନରେ ସିସିଟିଭି କ୍ୟାମେରାର ସଂଖ୍ୟା ବଢ଼ାଇବାକୁ ଯୋଜନା କରାଯାଇଛି।
ପଶ୍ଚିମବଙ୍ଗ ବିଧାନସଭାରେ ବିଜେପି ବିଧାୟକମାନେ ମଧ୍ୟ ଏହି ବିଲକୁ ନିଜର ସମର୍ଥନ ଦେଇଥିଲେ। ନୂଆ ଆଇନକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ସେମାନେ ସରକାରଙ୍କୁ କହିଛନ୍ତି।
Tags: #AparajitaBill #AntiRapeBill #CapitalPunishment #WestBengal