ଓଡ଼ିଶାଲାଇଭ୍ ବ୍ୟୁରୋ

ବିଜେଡି ଛାଡ଼ିବାର କିଛି ସମୟ ପରେ ବିଜେପିରେ ଯୋଗ ଦେଇଛନ୍ତି ସୁଜିତ କୁମାର। ନୂଆଦିଲ୍ଲୀସ୍ଥିତ ବିଜେପି ମୁଖ୍ୟାଳୟରେ ସୁଜିତ କୁମାର ବିଧିବଦ୍ଧ ଭାବେ ବିଜେପିରେ ମିଶିଛନ୍ତି। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସାଂସଦ ଭର୍ତ୍ତୃହରି ମହତାବ, ବିଜେପି ରାଜ୍ୟ ପ୍ରଭାରୀ ବିଜୟ ପାଲସିଂ ତୋମର, ବିଜେପି ସାଧାରଣ ସମ୍ପାଦକ ଅରୁଣ ସିଂ ପ୍ରମୁଖ ଉପସ୍ଥିତ ଥିଲେ।

ବିଜେପିର ନୀତି ଆଦର୍ଶକୁ ଦେଖି ସେ ଦଳରେ ସାମିଲ ହୋଇଥିବା ନିଜ ପ୍ରତିକ୍ରିୟାରେ କହିଛନ୍ତି। ସେ କହିଛନ୍ତି, “ଯେଉଁ ଉଦ୍ଦେଶ୍ୟ ନେଇ ମୁଁ ବିଜେଡିରେ ଯୋଗ ଦେଇଥିଲି ତାହା ହୋଇପାରିଲା ନାହିଁ। କଳାହାଣ୍ଡି ଜିଲ୍ଲାର ଯେତିକି ବିକାଶ ହେବା କଥା ହୋଇପାରି ନାହିଁ। ବିଭିନ୍ନ କ୍ଷେତ୍ରରେ ବଡ଼ ବଡ଼ ଦୁର୍ନୀତି ହେଉଥିବା ଅଭିଯୋଗ ପରେ ଦଳର ନେତାଙ୍କୁ ଜଣାଇଥିଲେ ମଧ୍ୟ ସେ କୌଣସି ପଦକ୍ଷେପ ନେଉନଥିଲେ। ଗତ କିଛି ବର୍ଷ ହେଲା ମୋତେ ଦଳର କୌଣସି ଦାୟିତ୍ଵ ମଧ୍ୟ ଦିଆଯାଉନଥିଲା। ଯେଉଁଠାରେ ମୋର ଆବଶ୍ୟକତା ନାହିଁ, ସେଠାରେ ରହିବା ମୁଁ ଉଚିତ ମନେ କଲି ନାହିଁ।”

ସେ ଆହୁରି କହିଛନ୍ତି ଯେ, ମୋ ପାଇଁ ମାଟି ଆଗ ପାର୍ଟି ପଛ, ସେଥିପାଇଁ ମୁଁ ବିଜେଡି ଛାଡ଼ିଲି। କଳାହାଣ୍ଡି ତଥା ଓଡ଼ିଶାର ବିକାଶ ମୋ ପାଇଁ ସବୁଠାରୁ ଆଗରେ ରହିବ ବୋଲି ସେ କହିଛନ୍ତି।

ସୁଜିତ କୁମାରଙ୍କ ଇସ୍ତଫା ପରେ ଖାଲି ପଡ଼ିଥିବା ରାଜ୍ୟସଭା ଆସନ ପାଇଁ କିଏ ଓଡ଼ିଶାରୁ ରାଜ୍ୟସଭା ଯିବେ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ମମତା ମହାନ୍ତଙ୍କ ପରି ସୁଜିତ କୁମାରଙ୍କୁ ପୁଣି ଦଳ ସୁଯୋଗ ଦେବ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି।

ଶୁକ୍ରବାର ଦିନ ରାଜ୍ୟସଭା ସାଂସଦ ପଦ ସହ ବିଜେଡିରୁ ଇସ୍ତଫା ଦେଇଥିଲେ ସୁଜିତ କୁମାର। ବିଜେଡି ଟିକେଟରେ ସେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ।

ରାଜ୍ୟସଭା ସାଂସଦ ପଦରୁ ସୁଜିତ କୁମାରଙ୍କ ଇସ୍ତଫା ପରେ ବିଜେଡିକୁ ଝଟକା ଲାଗିଛି। ଏହା ପୂର୍ବରୁ ଗତ ଜୁଲାଇ ୩୧ ତାରିଖରେ ରାଜ୍ୟସଭା ସାଂସଦ ପଦ ସହ ବିଜେଡିରୁ ମମତା ମହାନ୍ତ ଇସ୍ତଫା ଦେଇଥିଲେ। କାର୍ଯ୍ୟକାଳ ଶେଷ ହେବାର ୨୧ ମାସ ପୂର୍ବରୁ ମମତା ମହାନ୍ତ ରାଜ୍ୟସଭାରୁ ଇସ୍ତଫା ଦେଇଥିଲେ।

ସୁଜିତ କୁମାର ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେବା ପରେ ପରେ ବିଜେଡି ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ସୁଜିତ କୁମାରଙ୍କୁ ଦଳରୁ ନିଲମ୍ବିତ କରିଛି ବିଜେଡି।

Tags: #Politics #OdishaPolitics #BJP #SujitKumar #BJD #Odisha

LEAVE A REPLY

Please enter your comment!
Please enter your name here