ଓଡ଼ିଶାଲାଇଭ୍ ବ୍ୟୁରୋ

ରାତି ପାହିଲେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ। ଏଥିପାଇଁ ଘରେ ଘରେ ଚାଲିଛି ପ୍ରସ୍ତୁତି। ଚଳଚଞ୍ଚଳ ହୋଇଛି ସମଗ୍ର ପଶ୍ଚିମ ଓଡ଼ିଶା।

ନୂଆଁଖାଇରେ ଚାଷୀ ପ୍ରଥମ ଅମଳ ଧାନକୁ ନିଜ ଇଷ୍ଟଦେବୀଙ୍କୁ ଅର୍ପଣ କରିବା ପରେ ନିଜ ନିଜ ଘରେ ନୂଆ ଖାଇବେ। ଏହାପରେ ଜୁହାର ଭେଟ୍ ଅନୁଷ୍ଠିତ ହେବ। ପାରମ୍ପରିକ ବାଦ୍ୟର ତାଳେ ତାଳେ ଝୁମିବ ସାରା ପଶ୍ଚିମ ଓଡ଼ିଶା।

ନୂଆଁଖାଇ ଅବସରରେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ପାଖରେ ରବିବାର ସକାଳ ୯ଟା ୧୨ରୁ ୯ଟା ୨୭ ମିନିଟ ମଧ୍ୟରେ ନବାନ୍ନ ଲାଗି ହେବ।

ନୂଆଁଖାଇ ପର୍ବ ପାଳନ ପାଇଁ ଗାଁଠୁ ସହର ପୂରା ଚଳଚଞ୍ଚଳ ହୋଇଉଠିଛି। ମହିଳାମାନେ ଘର ସଫାସୁତରା କରିବା ସହିତ ଗୋବର ମାଟି ଲେପ ନୂଆଁଖାଇ ପାଳନ କରିବାକୁ ଚାହିଁ ରହିଛନ୍ତି। ଜଙ୍ଗଲରୁ କୁରେଇ, ଭେଲୁଆ ଓ ସରଗୀ ପତ୍ର ଆଣି ଖଲିଦନା ପ୍ରସ୍ତୁତ କରି ରଖିଛନ୍ତି।

ଘରଠୁ ଦୂରରେ ଥିବା ଲୋକଙ୍କର ଘର ବାହୁଡ଼ା ହେଉଛି। ନୂଆଁଖାଇ ପର୍ବ ପାଳନ କରିବାକୁ ପିଲାଠାରୁ ବୁଢ଼ାଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ ନୂଆ ଲୁଗା କିଣା ସରିଛି। ଖାଲି ରାତି ପାହିବାକୁ ସମସ୍ତେ ଚାହିଁ ରହିଛନ୍ତି।

Tags: #Nuakhai #Festival #Celebration #WesternOdisha

Comment