ଓଡ଼ିଶାଲାଇଭ୍ ବ୍ୟୁରୋ

ଭୁବନେଶ୍ୱରରେ ଉଦଘାଟିତ ହୋଇଛି ୨୨ତମ ଜାତୀୟସ୍ତରୀୟ ହସ୍ତତନ୍ତ ମେଳା। ବୁଧବାର ପ୍ରଦର୍ଶନୀ ପଡ଼ିଆରେ ରାଜ୍ୟ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ଏହାର ଉଦଘାଟନ କରିଥିଲେ। ଓଡ଼ିଶା ସରକାରଙ୍କ ଆନୁକୂଲ୍ୟରେ ବୟନିକା ପକ୍ଷରୁ ଏହି ମେଳାର ଆୟୋଜନ କରାଯାଇଛି।

ମେଳାରେ ଓଡ଼ିଶା ସମେତ ଭାରତର ବିଭିନ୍ନ ରାଜ୍ୟର ବୁଣାକାର ଓ ହସ୍ତତନ୍ତ କାରିଗରମାନେ ସାମିଲ ହୋଇଛନ୍ତି। ବିଭିନ୍ନ ରାଜ୍ୟର ଲୋକପ୍ରିୟ ପୋଷାକଗୁଡ଼ିକ ଏଥିରେ ବିକ୍ରି ହେଉଛି। ସବୁ ବର୍ଗ ଏବଂ ବୟସର ଗ୍ରାହକଙ୍କ ପାଇଁ  ଖୋଲିଛି ଏହି ମେଳା। ଲୁଙ୍ଗୀ, ଗାମୁଛା, ଧୋତି, ଶାଢ଼ି ଓ ରୁମାଲଠାରୁ ନେଇ ଅନେକ ପୋଷାକ ଏଠାରେ ଦେଖିବାକୁ ମିଳୁଛି।

ଏହି ମେଳାରେ ୧୭୦ଟି ଷ୍ଟଲ ଖୋଲାଯାଇଛି। ଏଠାରେ ଓଡ଼ିଶାର ବିଭିନ୍ନ ବୁଣାକାର ସଂସ୍ଥା ଓ ସ୍ଵୟଂ ସହାୟକ ଗୋଷ୍ଠୀ ଅଂଶଗ୍ରହଣ କରି ସେମାନଙ୍କର ବିଭିନ୍ନ ହସ୍ତତନ୍ତ ବସ୍ତ୍ର ଓ ପରିଧାନକୁ ପ୍ରଦର୍ଶିତ କରୁଛନ୍ତି। ଏହାସହ ଉତ୍ତରପ୍ରଦେଶ, ଜମ୍ମୁକଶ୍ମୀର, ରାଜସ୍ଥାନ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ପଶ୍ଚିମବଙ୍ଗ, ବିହାର ଓ ଆନ୍ଧ୍ରପ୍ରଦେଶ ସମେତ ୧୫ଟି ରାଜ୍ୟର ବୁଣାକାର ଓ ବ୍ୟବସାୟୀ ମେଳାରେ ନିଜ ନିଜ ରାଜ୍ୟର ପ୍ରସିଦ୍ଧ ହସ୍ତତନ୍ତ ବସ୍ତ୍ରର ବିକ୍ରି କରୁଛନ୍ତି।

“ହସ୍ତତନ୍ତ ଓଡ଼ିଶାର ବୁଣାକାରମାନଙ୍କ ଜୀବନ ଜୀବିକା। ରାଜ୍ୟ ସରକାର ହସ୍ତତନ୍ତକୁ ପ୍ରୋତ୍ସାହନ ଦେବା ଲାଗି ଅନେକ ଯୋଜନା କରିଛନ୍ତି। ଏହି ମେଳାରେ ଓଡ଼ିଶାର ବୁଣାକାରମାନେ ଲାଭବାନ ହେବାସହ ଅନ୍ୟ ରାଜ୍ୟର ବୁଣାକାରମାନଙ୍କ ସହ ଯୋଗାଯୋଗ କରିବା ପାଇଁ ସୁଯୋଗ ପାଇବେ। ଏହି ମେଳାର ଗତବର୍ଷ ୧୧ କୋଟି ୬୦ ଲକ୍ଷ ଟଙ୍କାର ହସ୍ତତନ୍ତ ବସ୍ତ୍ରର ବ୍ୟବସାୟ ହୋଇଥିଲା। ଚଳିତ ବର୍ଷ ପ୍ରାୟ ୧୫ କୋଟି ଟଙ୍କାର କାରବାର ହେବାର ଆଶା ରହିଛି”, କହିଛନ୍ତି ପ୍ରଦୀପ ବଳସାମନ୍ତ।

ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ବୟନିକା ଏହି ମେଳାକୁ ସଫଳତାର ସହ ଆୟୋଜନ କରିବା ପାଇଁ ଆଶାବାଦୀ ଅଛି। ଅକ୍ଟୋବର ୬ ତାରିଖ ଯାଏଁ ଏହି ମେଳା ଚାଲିବ।

ଜାତୀୟସ୍ତରୀୟ ହସ୍ତତନ୍ତ ମେଳା ଉଦଘାଟନ ଅବସରରେ ରାଜ୍ୟ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ସ୍ଵତନ୍ତ୍ର ଶାସନ ସଚିବ ମଧୁମିତା ରଥ, ରାଜ୍ୟ ବୟନ ଶିଳ୍ପ ନିର୍ଦ୍ଦେଶକ ଶୋଭନ କୃଷ୍ଣ ସାହୁ, ବୟନିକାର ସଭାପତି ପ୍ରକାଶ ଚନ୍ଦ୍ର ମେହେର ଓ ବୟନିକାର ପରିଚାଳନା ନିର୍ଦ୍ଦେଶକ ପ୍ରଣତୀ ଛୋଟରାୟ ପ୍ରମୁଖ ଯୋଗ ଦେଇଥିଲେ।  

Tags: #NationalHandloomMela #HandloomProducts #HTHDept #Bhubaneswar #Odisha

LEAVE A REPLY

Please enter your comment!
Please enter your name here