ଓଡ଼ିଶାଲାଇଭ୍ ବ୍ୟୁରୋ

ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇକୁ ଦୁବାଇରେ ଧୁମ୍‌ଧାମରେ ପାଳନ କରିଛନ୍ତି ପ୍ରବାସୀ ଓଡ଼ିଆ। ଦୁବାଇ ସ୍ଥିତ ‘ଏସଇଇ ଇନଷ୍ଟିଚ୍ୟୁଟ’ରେ ଦଶମ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଦୁବାଇ ସ୍ଥିତ ଭାରତୀୟ କାଉନସିଲ ଜେନେରଲ ସତୀଶ କୁମାର ଶିୱନ ଏହାର ଉଦଘାଟନ କରିଥିଲେ।

ଏହି ନୂଆଁଖାଇ କାର୍ଯ୍ୟକ୍ରମରେ ୟୁଏଇରେ ପ୍ରାୟ ୫୦୦ରୁ ଅଧିକ ଲୋକ ସାମିଲ ହୋଇଥିଲେ। ମା’ ସମଲେଇଙ୍କ ପାଖରେ ପ୍ରଦୀପ ପ୍ରଜ୍ଜ୍ଵଳନ କରି କାର୍ଯ୍ୟକ୍ରମକୁ ଆରମ୍ଭ କରାଯାଇଥିଲା। ଏହାପରେ ସମ୍ବଲପୁରୀ, ନୃତ୍ୟ, ଗୀତରେ ଝୁମିଥିଲେ ଦୁବାଇର ଓଡ଼ିଆ। 

ପ୍ରତିଷ୍ଠିତ କଳାକାର ଅର୍ଚ୍ଚନା ପାଢ଼ୀ ଓ ଗୀତିକାର ତଥା ଗାୟକ ଶାଶ୍ଵତ ତ୍ରିପାଠୀ ଏହି କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ସାଜିଥିଲେ। ସେମାନଙ୍କ ଉପସ୍ଥିତି କାର୍ଯ୍ୟକ୍ରମକୁ ଆହୁରି ରଙ୍ଗୀନ କରିଦେଇଥିଲା। ଏହାସହ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦାମ ପ୍ରଧାନଙ୍କ ବାଲୁକା କଳାର ନିଦର୍ଶନ ସମସ୍ତଙ୍କ ମନ ଜିଣିଥିଲା।

Nua Khai Celebrations

ପଶ୍ଚିମ ଓଡ଼ିଶାର ସୁସ୍ୱାଦୁ ଖାଦ୍ୟ କାର୍ଯ୍ୟକ୍ରମର ଆଉ ଏକ ମୁଖ୍ୟ ଆକର୍ଷଣ ସାଜିଥିଲା। ନୂଆଁଖାଇ ପର୍ବରେ ଦେଶୀ ଖାଦ୍ୟର ମଜା ନେଇଥିଲେ ପ୍ରବାସୀ ଓଡ଼ିଆ। ଏହି ଅବସରରେ ମଣ୍ଡା ପିଠା, ପଣା, ଆମ୍ବିଲ ଆଦି ପ୍ରସ୍ତୁତ କରାଯାଇଥିଲା।

ଏହି ଅବସରରେ ଓଡ଼ିଆ ଆସୋସିଏସନ ଅଫ୍ ଆବୁଧାବୀ ପକ୍ଷରୁ ଏକ ସ୍ୱତନ୍ତ୍ର ଦଳ ସମ୍ବଲପୁରୀ ପୋଷାକ ପରିଧାନ କରି ଫ୍ୟାଶନ ସୋ ପ୍ରଦର୍ଶନ କରିଥିଲେ।

ଦୁବାଇରେ ବସବାସ କରୁଥିବା ବ୍ୟକ୍ତିଙ୍କ ମଧ୍ୟରେ ଉତ୍ତମ ସମ୍ପର୍କ ଏବଂ ଭାଇଚାରା ବଜାୟ ରଖିବା ଉଦ୍ଦେଶ୍ୟରେ ଏହି ପର୍ବ ପାଳନ କରାଯାଇଆସୁଛି। ଏହି ଉତ୍ସବରେ ବିଭିନ୍ନ ଭାଷାଭାଷୀ ଲୋକେ ସାମିଲ ହୋଇଥିଲେ।

Tags: #Nuakhai #NuakhaiBhetghat #Dubai #WesternOdisha #Dubai #UAE

 

LEAVE A REPLY

Please enter your comment!
Please enter your name here