ମିନତି ମିଶ୍ର

ଓଡ଼ିଶା ବିଧାନସଭାର ବଜେଟ୍ ଅଧିବେଶନ ଶେଷ ହୋଇଛି। ଚଳିତବର୍ଷ ରାଜ୍ୟରେ ନୂଆ ସରକାର ଗଠନ ହେବାପରେ ଜୁଲାଇ ୨୨ ତାରିଖରୁ ଆରମ୍ଭ ହୋଇଥିଲା ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ। ଦୁଇଟି ପର୍ଯ୍ୟାୟରେ ଚାଲିଥିବା ଏହି ଅଧିବେଶନରେ ୨୬ଟି କାର୍ଯ୍ୟ ଦିବସ ରହିଥିଲା। ଏଥିରେ ଦୁଇଟି ବିଲ୍‌ ପାରିତ ହୋଇଥିବାବେଳେ ରାଜ୍ୟର ଦ୍ରବ୍ୟ ଓ ସେବା କର ବିଲ ସଂଶୋଧିତ ହୋଇଛି। ବିଭିନ୍ନ ବିଭାଗର ଖର୍ଚ୍ଚ ଦାବି ଆଲୋଚନା ହୋଇଛି। 

ଚଳିତ ବର୍ଷ ବଜେଟ ଅଧିବେଶନର ପ୍ରଥମ ପର୍ଯ୍ୟାୟ ଜୁଲାଇ ୨୨ରୁ ୩୧ ତାରିଖ ଯାଏଁ ଚାଲିଥିଲା। ଏହାପରେ ଅଗଷ୍ଟ ୨୦ରୁ ଦ୍ଵିତୀୟ ପର୍ଯ୍ୟାୟ ଅଧିବେଶନ ଆରମ୍ଭ ହୋଇଥିଲା। ସେପ୍ଟେମ୍ବର ୧୧ ତାରିଖରେ ବାଚସ୍ପତି ସୁରମା ପାଢ଼ୀ ବିଧାନସଭାକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିବା ସହ ବଜେଟ ଅଧିବେଶନର ସରିଥିଲା।

ନୂଆ ସରକାରଙ୍କ ପାଇଁ କେମିତି ଥିଲା ଅଧିବେଶନ?

ରାଜ୍ୟରେ ବିଜେପି ସରକାର ଗଢ଼ିବା ପରେ ଏହା ଥିଲା ପ୍ରଥମ ବଜେଟ୍ ଅଧିବେଶନ। ଅନେକ ବିଜେପି ବିଧାୟକ ନୂଆ କରି ବିଧାନସଭାକୁ ଆସିଥିଲେ। ସେମାନେ ବିଧାନସଭାରେ ନୂଆ କରି ଅଧିବେଶନରେ ସାମିଲ ହେଲେ। ଅଧିବେଶନରେ ରାଜ୍ୟ ସରକାର ଆର୍ଥିକ ବର୍ଷ ୨୦୨୪-୨୫ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍ ଆଣିଥିଲେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଜେଟ୍ ଉପସ୍ଥାପନ କରିଥିଲେ।

ଏହି ଅଧିବେଶନରେ ସରକାରଙ୍କୁ ବିରୋଧୀଙ୍କ ପ୍ରବଳ ହଙ୍ଗାମାର ସାମ୍ନା କରିବାକୁ ପଡ଼ିଥିଲା। ବିଭିନ୍ନ ପ୍ରସଙ୍ଗରେ ବିରୋଧୀ, ଖାସ କରି ବିଜେଡି ବିଧାୟକମାନେ ସରକାରଙ୍କୁ ଘେରିଥିଲେ।    

ବିରୋଧୀଙ୍କ ହଟ୍ଟଗୋଳ

ବଜେଟ୍ ଅଧିବେଶନରେ ଏଏସଓଙ୍କୁ ରାଜ୍ୟପାଳଙ୍କ ପୁଅ ମାଡ଼ ମାରିବା ପ୍ରସଙ୍ଗ, ରଥରୁ ପ୍ରଭୁ ବଳଭଦ୍ର ପଡ଼ିଯିବା ଘଟଣା, ମଦମୃତ୍ୟୁ ଓ ସଂରକ୍ଷଣ ପ୍ରସଙ୍ଗରେ ସରକାରଙ୍କୁ ଅଡୁଆରେ ପକାଇଥିଲେ ବିରୋଧୀ। ଏହାସହ ବିରୋଧି ଦଳ ନେତାଙ୍କୁ ସଂସଦୀୟ ବ୍ୟାପାର ମନ୍ତ୍ରୀଙ୍କ ଅପଶବ୍ଦ ପ୍ରୟୋଗ, ସୁଭଦ୍ରା ଯୋଜନା, ଭତ୍ତା ଦେବା ପ୍ରସଙ୍ଗକୁ ନେଇ ସରକାରଙ୍କୁ ଘେରିବା ସହ ପ୍ରବଳ ହଟ୍ଟଗୋଳ କରିଥିଲେ ବିରୋଧୀ। ଏ ନେଇ ଅନେକ ବାର ଗୃହ ମୁଲତବୀ ବି ରଖାଯାଇଥିଲା।

ଏହି ଅଧିବେଶନର ୨୬ ଦିନରେ ବିରୋଧୀ ଦଳର ୫ ଜଣ ବିଧାୟକଙ୍କ ବିରୋଧରେ ନିନ୍ଦା ପ୍ରସ୍ତାବ ଆଣିଥିଲେ ଶାସକ ଦଳ। ବିଧାୟକ ଧ୍ରୁବଚରଣ ସାହୁ ତାଙ୍କ ପ୍ରତି ଶାସକ ଦଳ ଆଣିଥିବା ଅଭିଯୋଗ ବିରୋଧରେ ବାଚସ୍ପତିଙ୍କ ପୋଡିୟମ ତଳେ ଧାରଣାରେ ବସିଥିଲେ।

ଦମ ଦେଖାଇ ପାରି ନଥିଲା କଂଗ୍ରେସ  

ପ୍ରାୟ ୨ ମାସ ହେବ ରାଜ୍ୟ କଂଗ୍ରେସ ବିନା ନେତୃତ୍ୱରେ ରାଜନୀତି କରୁଛି। ଏହାର ପ୍ରଭାବ ବିଧାନସଭାରେ ଦଳ ଉପରେ ପଡ଼ିଥିଲା। ଗୃହରେ କଂଗ୍ରେସର ୧୪ ଜଣ ବିଧାୟକ ଥିଲେ ହେଁ, ସେମାନଙ୍କ ମଧ୍ୟରେ ତାଳମେଳ ରହୁନଥିବାରୁ ସରକାରଙ୍କ ଉପରେ ଚାପ ପକାଇବାରେ ସେମାନେ ବିଶେଷ ସଫଳ ହୋଇ ପାରିନଥିବା ଦେଖିବାକୁ ମିଳିଥିଲା।

ନେତାଙ୍କ ନିୟମିତ ଅନୁପସ୍ଥିତି 

ଚଳିତ ବଜେଟ୍ ଅଧିବେଶନରେ ଉଭୟ ଶାସକ ଓ ବିରୋଧୀ ପକ୍ଷର ବିଧାୟକମାନେ ଅନେକ ସମୟରେ ଅନୁପସ୍ଥିତ ରହୁଥିବାର ଦେଖିବାକୁ ମିଳିଥିଲା। ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଏବଂ ଦଳର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ ଗୃହରେ ନିୟମିତ ଅନୁପସ୍ଥିତ ରହୁଥିଲେ।

ନବୀନ ପଟ୍ଟନାୟକ ଦ୍ଵିତୀୟ ପର୍ଯ୍ୟାୟ ଅଧିବେଶନରେ ମାତ୍ର ୩ ଦିନ ଗୃହକୁ ଆସିଥିଲେ। ରାଜ୍ୟ ଗୃହ ବିଭାଗର ଖର୍ଚ୍ଚ ଦାବି ଆଲୋଚନା ଦିନ ଆସି ବକ୍ତବ୍ୟ ରଖିଥିଲେ। ସେପ୍ଟେମ୍ବର ୧୦ ତାରିଖରେ ଉପସ୍ଥିତ ରହି ବ୍ୟୟ ମଞ୍ଜୁରୀ ବିଲ ଆଲୋଚନାରେ ଭାଗ ନେଇଥିଲେ। ତେବେ କମ ସମୟ ରହି ଚାଲି ଯାଇଥିଲେ।

ଏହାପରେ ଶେଷ ଦିନ ଅଳ୍ପ ସମୟ ପାଇଁ ନବୀନ ପଟ୍ଟନାୟକ ଗୃହକୁ ଆସିଥିଲେ। ଅଧିବେଶନ ଶେଷରେ ମୁଖ୍ୟମନ୍ତ୍ରୀଙ୍କ ଧନ୍ୟବାଦ ପରେ ବିରୋଧୀ ଦଳ ନେତା ଭାବେ ଧନ୍ୟବାଦ ଜଣାଇ ଚାଲି ଯାଇଥିଲେ।

ସମ୍ଭାଳି ନେଲେ ନୂଆ ସରକାର

ପ୍ରଥମ ବଜେଟ ଅଧିବେଶନରେ ବିଜେପି ସରକାର ନିଜର ବେଶ ପାରିବା ପଣିଆ ଦେଖାଇପାରିଛି। ଅଭିଜ୍ଞତା ନଥିବା କାରଣରୁ ଅନେକ କ୍ଷେତ୍ରରେ ସରକାରଙ୍କୁ ନାକେଦମ ହେବାକୁ ପଡ଼ିଥିଲେ ହେଁ, ସ୍ଥିତ ସମ୍ଭାଳି ନେଇଥିବା ରାଜନୈତିକ ବିଶେଷଜ୍ଞମାନେ ମତବ୍ୟକ୍ତ କରିଛନ୍ତି।

ଚଳିତ ବଜେଟ୍ ଅଧିବେଶନରେ ୨,୮୭୪ ତାରକା ଚିହ୍ନିତ ପ୍ରଶ୍ନ ଓ ୩,୫୩୪ ଅଣତାରକା ଚିହ୍ନିତ ପ୍ରଶ୍ନ ନୋଟିସ ଗ୍ରହଣ କରାଯାଇଥିଲା। ସରକାର ୪,୯୨୧ଟି ପ୍ରଶ୍ନର ଉତ୍ତର ଦେଇଥିଲେ। ବିଭିନ୍ନ ପ୍ରସଙ୍ଗ ଉପରେ ଦୀର୍ଘ ସମୟ ଧରି ଆଲୋଚନା କରିଥିଲେ ସରକାର। 

Tags: #OdishaAssembly #BudgetSession #Politics #Odisha

LEAVE A REPLY

Please enter your comment!
Please enter your name here