ଓଡ଼ିଶାଲାଇଭ୍ ବ୍ୟୁରୋ
ଫ୍ରାନ୍ସର ଲିଓନଠାରେ ଆୟୋଜିତ ୪୭ତମ ବିଶ୍ୱ ଦକ୍ଷତା ବା ‘ୱାର୍ଲ୍ଡ ସ୍କିଲ୍ସ-୨୦୨୪’ ପ୍ରତିଯୋଗିତାରେ ଚମକିଛନ୍ତି ଟିମ୍ ଓଡ଼ିଶାର ପ୍ରତିଯୋଗୀ। ଏହି ବିଶ୍ୱସ୍ତରୀୟ ପ୍ରତିଯୋଗିତାରେ ଓଡ଼ିଶାର ଦୁଇ ପ୍ରତିଯୋଗୀ ଅମରେଶ କୁମାର ସାହୁ ଏବଂ ଗେଡେଲା ଅଖିଲ ବିଭିନ୍ନ ଦକ୍ଷତାରେ ନିଜର ଶ୍ରେଷ୍ଠତା ପ୍ରଦର୍ଶନ କରି ଭାରତ ତଥା ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି।
‘ୱାର୍ଲ୍ଡ ସ୍କିଲ୍ସ’ ପ୍ରତିଯୋଗିତାରେ ଅମରେଶ କୁମାର ସାହୁ ‘ଅକ୍ଷୟ ଶକ୍ତି’ ଦକ୍ଷତାରେ ଭାଗନେଇ ବ୍ରୋଞ୍ଜ ପଦକ ପାଇଛନ୍ତି। ସେହିପରି ଗେଡେଲା ଅଖିଲ ‘ୱାଟର ଟେକ୍ନୋଲୋଜି’ ଦକ୍ଷତାରେ ‘ମେଡାଲିୟନ୍ ଫର୍ ଏକ୍ସଲେନ୍ସ’ ପଦକ ପାଇଛନ୍ତି।
ରାଜ୍ୟ ସରକାରଙ୍କ ‘ସ୍କିଲ୍ଡ ଇନ୍ ଓଡ଼ିଶା’ କାର୍ଯ୍ୟକ୍ରମ ଅଧୀନରେ ଅତ୍ୟାଧୁନିକ ତାଲିମ ନେଇ ବିଶ୍ୱ ଦକ୍ଷତା ପ୍ରତିଯୋଗିତାରେ ସଫଳ ହୋଇଥିବା ଏହି ଦୁଇ ପ୍ରତିଯୋଗୀଙ୍କୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଅଭିନନ୍ଦନ ଜଣାଇଛନ୍ତି। ଓଡ଼ିଶାରେ ଜାରି ରହିଥିବା ବିଭିନ୍ନ ଦକ୍ଷତା ବିକାଶ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବାରେ ଏହି ସଫଳତା ବିଶେଷ ସହାୟକ ହେବ ବୋଲି ସେ କହିଛନ୍ତି।
ଦେବଗଡ଼ ଜିଲ୍ଲାର ଅମରେଶ କୁମାର ସାହୁ ଭୁବନେଶ୍ୱରସ୍ଥିତ ସିଟିଟିସିରେ ମେକାଟ୍ରୋନିକ୍ସରେ ଡିପ୍ଲୋମା କରୁଛନ୍ତି। ସେହିପରି ଗଜପତି ଜିଲ୍ଲାର ଗେଡେଲା ଅଖିଲ ସି ଭି ରମଣ ଗ୍ଲୋବାଲ ୟୁନିଭର୍ସିଟିରେ ସିଭିଲ ଇଞ୍ଜିନିୟରିଂରେ ବିଟେକ୍ କରୁଛନ୍ତି।
ୱାର୍ଲ୍ଡ ସ୍କିଲ୍ସ ଇଣ୍ଟରନାସନାଲ ପକ୍ଷରୁ ବିଶ୍ୱ ଦକ୍ଷତା ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ଫ୍ରାନ୍ସର ଲିଓନ ସହରରେ ସେପ୍ଟେମ୍ବର ୧୦ରୁ ୧୫ ତାରିଖ ଯାଏଁ ଚାଲିଥିବା ଏହି ବିଶ୍ୱସ୍ତରୀୟ ଦକ୍ଷତା କାର୍ଯ୍ୟକ୍ରମରେ ୭୦ରୁ ଅଧିକ ଦେଶର ମୋଟ ୧୪୦୦ ପ୍ରତିଯୋଗୀ ଭାଗ ନେଇଥିଲେ। ତା’ ଭିତରେ ଟିମ୍ ଇଣ୍ଡିଆରେ ଥିବା ମୋଟ ୬୦ ଜଣଙ୍କ ଭିତରେ ଓଡ଼ିଶାରୁ ୧୫ ଜଣ ପ୍ରତିଯୋଗୀ ଥିଲେ। ୱାର୍ଲ୍ଡ ସ୍କିଲ୍ସରେ ମୋଟ ୧୪ଟି ଦକ୍ଷତାରେ ପ୍ରତିଯୋଗିତା ହୋଇଥିଲା।
‘ୱାର୍ଲ୍ଡ ସ୍କିଲ୍ସ’ ପ୍ରତିଯୋଗିତାରେ ଓଡ଼ିଶାର ଯୁବପିଢ଼ି କିପରି ଶ୍ରେଷ୍ଠ ପ୍ରଦର୍ଶନ କରିବେ ସେଥିଲାଗି ବିଶ୍ୱ ଦକ୍ଷତା କେନ୍ଦ୍ର ତତ୍ତ୍ୱାବଧାନରେ ପ୍ରତିଯୋଗୀମାନଙ୍କୁ ପ୍ରସ୍ତୁତ କରାଯାଇଥିଲା। ଅମରେଶ ସାହୁଙ୍କୁ ଭିଏତନାମା ଏବଂ ଗେଡେଲା ଅଖିଲଙ୍କୁ ଦକ୍ଷିଣ ଆଫ୍ରିକାର ବିଶେଷଜ୍ଞଙ୍କ ଦ୍ୱାରା ତାଲିମ ପ୍ରଦାନ କରାଯାଇଥିଲା।
ଓଡ଼ିଶାର ଯୁବପିଢ଼ିଙ୍କ ଭିତରେ ଥିବା ଅନନ୍ୟ ଦକ୍ଷତାକୁ ବିଶ୍ୱ ସ୍ତରରେ ପ୍ରଦର୍ଶନ କରିବା ପାଇଁ ‘ୱାର୍ଲ୍ଡ ସ୍କିଲ୍ସ’ ଏକ ବଡ଼ ପ୍ଲାଟଫର୍ମ ହୋଇପାରିଛି।
Tags: #WorldSkillsCompetition2024 #Competitors #CMMohanCharanMajhi #SkillDevelopment #SkilledinOdisha #Lyon #France