ଓଡ଼ିଶାଲାଇଭ୍ ବ୍ୟୁରୋ

(ବିଶାଖାପାଟଣାରୁ ଯଶୋବନ୍ତ ପାଢ଼ୀ): ମୁମ୍ବାଇର ଜଣେ ଅଭିନେତ୍ରୀଙ୍କ ଅଭିଯୋଗ ଆଧାରରେ ଆନ୍ଧ୍ରପ୍ରଦେଶର ୩ଜଣ ଆଇପିଏସ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଛି। ଆଇପିଏସ ଅଧିକାରୀମାନେ ହେଉଛନ୍ତି ଆନ୍ଧ୍ରପ୍ରଦେଶର ପୂର୍ବତନ ଗୁଇନ୍ଦା ମୁଖ୍ୟ ପି ଏସ ଆର ଅଞ୍ଜାନେଇଲୁ, ଏନଟିଆର ଜିଲ୍ଲା ପୋଲିସ କମିଶନର କ୍ରାନ୍ତି ରାଣା ଟାଟା ଏବଂ ଏନଟିଆର ଜିଲ୍ଲା ଗ୍ରାମୀଣ ଡିସିପି ବିଶାଲ ଗୁନି।

କ୍ଷମତାର ଅପବ୍ୟବହାର କରିବା ତଥା ଦାୟିତ୍ଵରେ ଅବହେଳା କାରଣରୁ ତିନି ଅଧିକାରୀଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ରାଜ୍ୟ ସରକାର।

ଏହି ଘଟଣାରେ ପୂର୍ବରୁ ଏନଟିଆର ଜିଲ୍ଲାର ପୂର୍ବତନ ଏସିପି ହନୁମନ୍ତ ରାଓ ଏବଂ ଇବ୍ରାହିମପାଟନମର ପୂର୍ବତନ ସର୍କଲ ଇନ୍ସପେକ୍ଟର ସତ୍ୟନାରାୟଣଙ୍କୁ ଆନ୍ଧ୍ରପ୍ରଦେଶ ଡିଜିପି ନିଲମ୍ବିତ କରିଥିଲେ।

ଅଭିନେତ୍ରୀ କାଦମ୍ବରୀ ଜେଠଓ୍ଵାନୀକ ଶୁକ୍ରବାର ରାତିରେ ଇବ୍ରାହିମପାଟନ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏହା ପୂର୍ବରୁ ସେ ସେପ୍ଟେମ୍ବର ୫ ତାରିଖରେ ଏନଟିଆର ଜିଲ୍ଲା ପୋଲିସ କମିଶନରଙ୍କ ସହ ସାକ୍ଷାତ କରି ତାଙ୍କୁ ଓ ତାଙ୍କ ପରିବାର ଲୋକଙ୍କୁ ଦିଆଯାଇଥିବା ନିର୍ଯାତନ ସମ୍ପର୍କରେ ଅଭିଯୋଗ କରିଥିଲେ।

ଅଭିନେତ୍ରୀଙ୍କ ଅଭିଯୋଗରେ ଦର୍ଶାଇଛନ୍ତି, ଜଗନ ମୋହନ ରେଡ୍ଡୀଙ୍କ ସରକାର ସମୟରେ ଆନ୍ଧ୍ରପ୍ରଦେଶ ପୋଲିସ ତାଙ୍କୁ ହଇରାଣ ହରକତ କରିଥିଲା। ଓ୍ଵାଇଏସଆର କଂଗ୍ରେସ ପାର୍ଟିର ଜଣେ ନେତା ଜମି ବିବାଦକୁ ନେଇ ତାଙ୍କ ବିରୋଧରେ ଥାନାରେ ଅଭିଯୋଗ କରିଥିଲେ। ଘଟଣାର ସତ୍ୟାସତ୍ୟ ତଦନ୍ତ ନକରି ଆନ୍ଧ୍ରପ୍ରଦେଶ ପୋଲିସ ଅଭିନେତ୍ରୀ ଏବଂ ତାଙ୍କ ପରିବାର ସଦସ୍ୟଙ୍କୁ ଗିରଫ କରିଥିବା ସେ ଅଭିଯୋଗରେ ଦର୍ଶାଇଛନ୍ତି।

ଅଭିନେତ୍ରୀଙ୍କ ଅଭିଯୋଗ ଆଧାରରେ ଆନ୍ଧ୍ରପ୍ରଦେଶ ପୋଲିସ ଘଟଣାର ଯାଞ୍ଚ କରିବା ପରେ ତିନିଜଣ ବରିଷ୍ଠ ଆଇପିଏସ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସ୍ଵରୂପ ସେମାନଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଛି।

Tags: #AndhraPradesh #IPSOfficer #IPSOfficerSuspended #AndhraGovt

LEAVE A REPLY

Please enter your comment!
Please enter your name here