ଓଡ଼ିଶାଲାଇଭ୍ ବ୍ୟୁରୋ

ଭୁବନେଶ୍ୱରସ୍ଥିତ ଏକ୍ସଆଇଏମ ବିଶ୍ୱବିଦ୍ୟାଳୟରେ ଆୟୋଜିତ ହୋଇଛି ଦୁଇ ଦିନିଆ ‘ବିଜନେସ୍ ଏକ୍ସେଲେନ୍ସ ସମିଟ୍-୨୦୨୪’। ସେପ୍ଟେମ୍ବର ୧୪ ଓ ୧୫ ତାରିଖରେ ଏହାର ଆୟୋଜନ କରାଯାଇଥିଲା। ଚଳିତବର୍ଷ ସମ୍ମିଳନୀର ଷଷ୍ଠ ସଂସ୍କରଣର ଥିମ ରହିଥିଲା ‘ରିଡିଫାଇନିଂ ପସିବିଲିଟିସ୍’। ମେର୍ସର କନସଲଟାନ୍ସିର ଅଧ୍ୟକ୍ଷ ସିଦ୍ଧାର୍ଥ ଗୁପ୍ତା ମୁଖ୍ୟବକ୍ତା ଭାବେ ଯୋଗ ଦେଇ କାର୍ଯ୍ୟକ୍ରମର ଉଦଘାଟନ କରିଥିଲେ।
ଏହି ସମ୍ମିଳନୀରେ ଶିଳ୍ପ ଓ ବ୍ୟବସାୟ ସହ ଜଡ଼ିତ ଅନେକ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ। ସମ୍ମିଳନୀର ବିଭିନ୍ନ ସେସନରେ ଅତିଥିମାନେ ନିଜର ବକ୍ତବ୍ୟ ରଖିଥିଲେ। ସେମାନେ ଆଜିର ସମୟରେ ବ୍ୟବସାୟ କ୍ଷେତ୍ରରେ ହେଉଥିବା ଉନ୍ନତି ଏବଂ ବିଭିନ୍ନ ସୁଯୋଗ ଓ ସମ୍ଭାବନା ବିଷୟରେ ଆଲୋଚନା କରିଥିଲେ।
“ଭାରତରେ ଏବେ ଶିଳ୍ପ ଓ ବ୍ୟବସାୟ କ୍ଷେତ୍ରରେ ନୂଆ ଯୁଗ ଆରମ୍ଭ ହୋଇଛି। ଦେଶର ଅର୍ଥନୈତିକ ବିକାଶରେ ବ୍ୟବସାୟ କ୍ଷେତ୍ର ବଡ଼ ଭୂମିକା ବହନ କରୁଛି। କୋଭିଡ୍ ପରବର୍ତ୍ତୀ ସମୟରେ ଏବେ ବଜାରରେ ସ୍ଥିରତା ଆସିଥିବାବେଳେ ଏଥିରୁ ସମସ୍ତେ ଫାଇଦା ଉଠାଇବା ଦରକାର। ନୂଆ ନୂଆ ଟେକ୍ନୋଲୋଜି ବ୍ୟବହାର କରି ନିଜ ବ୍ୟବସାୟର ବିକାଶ କରିପାରିଲେ ଆମ ଅର୍ଥ ବ୍ୟବସ୍ଥା ଆହୁରି ସଦୃଢ଼ ହୋଇପାରିବ”, କହିଛନ୍ତି ସିଦ୍ଧାର୍ଥ ଗୁପ୍ତା।

ଏହି ସମ୍ମିଳନୀରେ ପରବର୍ତ୍ତୀ ପର୍ଯ୍ୟାୟରେ ବ୍ୟବସାୟ କ୍ଷେତ୍ରର ବିଭିନ୍ନ ବିଷୟବସ୍ତୁକୁ ନେଇ ଏକାଧିକ ସେସନ ଆୟୋଜିତ ହୋଇଥିଲା। ବିଶ୍ଵ ବ୍ୟବସାୟ କ୍ଷେତ୍ରରେ ଆସିଥିବା ପରିବର୍ତ୍ତନକୁ ନେଇ ହୋଇଥିବା ଆଲୋଚନା ଚକ୍ରରେ ଆକ୍ସିସ୍ ବ୍ୟାଙ୍କର ସିଆରଓ ଅମିତ ତଲଗେରି, ଗ୍ରାଣ୍ଟ ଥ୍ରଣ୍ଟନର ନିର୍ଦ୍ଦେଶକ ରାଜେନ ମିଶ୍ର ଏବଂ ଏଏନଜେଡ୍ ଓ ଏସଏପି ଇଣ୍ଡିଆର ନିର୍ଦ୍ଦେଶକ ଶୁଭଙ୍କର ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିଲେ। ଡାଟା ଆନାଲିଟିକ୍ସ, ଟେକ୍ନୋଲୋଜି, ଭିୟୁସିଏ ଭଳି ପାଠ୍ୟକ୍ରମରେ ଗଭୀର ଭାବେ ଅନୁସନ୍ଧାନ କରିବାକୁ ସେମାନେ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ।
ଏହି ସମ୍ମିଳନୀର ବିଭିନ୍ନ ସେସନରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଠାରେ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଅତିଥିମାନଙ୍କୁ ବ୍ୟବସାୟର ବିଭିନ୍ନ ବିଷୟବସ୍ତୁ ଉପରେ ପ୍ରଶ୍ନ ପଚାରି ନିଜର ସଂଶୟ ଦୂର କରିଥିଲେ।

ଏହି ସମ୍ମିଳନୀରେ ଏକ୍ସଆଇଏମ ବିଶ୍ୱବିଦ୍ୟାଳୟର କୁଳପତି ଆଣ୍ଟୋନି ଆର ଉଭାରି, ସିଏଫଓ ଭି ଅର୍କିଆ ଦାସ, କ୍ୟାରିୟର ଆଡଭାଇଜାରି ସର୍ଭିସର ଡିନ୍ ପ୍ରଫେସର ଫ୍ରାନସିସ୍ ଥୋମାସ କ୍ୟାଷ୍ଟେଲିନୋ, ପ୍ରଫେସର ଡି ଭି ରମନ୍ନା ପ୍ରମୁଖ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟର ବହୁ ଅଧ୍ୟାପକ, ଅଧ୍ୟାପିକାଙ୍କ ସମେତ ପ୍ରାୟ ୧୫୦ ଜଣ ଛାତ୍ରଛାତ୍ରୀ ସାମିଲ ହୋଇଥିଲେ।
Tags: #XIMUniversity #BusinessExcellenceSummit2024 #AnnualBusinessConclave #Bhubaneswar