ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ମଙ୍ଗଳବାର ଦିନ ସ୍ଵତନ୍ତ୍ର ବିମାନ ଯୋଗେ ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ଵାଗତ କରାଯାଇଛି। ନିର୍ଦ୍ଧାରିତ ସମୟ ପୂର୍ବରୁ ବିମାନବନ୍ଦରରେ ପହଞ୍ଚିଛନ୍ତି ନରେନ୍ଦ୍ର ମୋଦୀ।

ପ୍ରଧାନମନ୍ତ୍ରୀଙ୍କୁ ସ୍ଵାଗତ କରିବା ପାଇଁ ବିମାନବନ୍ଦରରେ ପହଞ୍ଚିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜନେତା ଓ ବରିଷ୍ଠ ଅଧିକାରୀମାନେ। ନରେନ୍ଦ୍ର ମୋଦୀଙ୍କୁ ସ୍ଵାଗତ କରିବାକୁ ରାସ୍ତାର ଉଭୟ ପାର୍ଶ୍ଵରେ ହଜାର ହଜାର ଜନତା ଏକାଠି ହୋଇଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୭୪ତମ ଜନ୍ମ ଦିନରେ ଓଡ଼ିଶାରେ ବହୁ ପ୍ରତୀକ୍ଷିତ ‘ସୁଭଦ୍ରା’ ଯୋଜନାର ଶୁଭାରମ୍ଭ କରିବେ। ଏନେଇ ଭୁବନେଶ୍ଵର ଜନତା ମଇଦାନଠାରେ ଭବ୍ୟ ଆୟୋଜନ କରାଯାଇଛି।

ସେଠାରେ ଆକର୍ଷଣୀୟ ଷ୍ଟେଜ ସାଙ୍ଗକୁ ୪ଟି ସେଡ କରାଯାଇଛି। ଏଠାରେ ମନ୍ତ୍ରୀ, ନେତା, ଭିଭିଆଇପି, ଭିଆଇପି, ସୁଭଦ୍ରା ହିତାଧିକାରୀଙ୍କ ସମେତ ଗଣମାଧ୍ୟମ ପ୍ରତିନିଧି ଏବଂ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ଲାଗି ବସିବାର ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଇଛି।

ପ୍ରଧାନମନ୍ତ୍ରୀ ବିମାନବନ୍ଦରରୁ ସିଧାସଳଖ ଗାଡ଼କଣ ଅଭିମୁଖେ ଯାଇଥିଲେ। ସେଠାରେ ସ୍ଥାନୀୟ ଲୋକଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ। ପାରମ୍ପରିକ ବାଦ୍ୟର ତାଳେ ତାଳେ ଗ୍ରାମବାସୀ ପ୍ରଧାନମନ୍ତ୍ରୀଙ୍କୁ ଫୁଲ ଚନ୍ଦନ ଲଗାଇ ପାଛୋଟି ନେଇଥିଲେ। ଗ୍ରାମବାସୀ ପ୍ରସ୍ତୁତ କରିଥିବା ଖିରି ଖାଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।

ଗାଡ଼କଣ କାର୍ଯ୍ୟକ୍ରମ ପରେ ପ୍ରଧାନମନ୍ତ୍ରୀ ଜନତା ମଇଦାନ ଅଭିମୁଖେ ବାହାରିବେ। ଏହା ପରେ ସେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ରହିଛି।

Tags: #PMNarendraModi #OdishaVisit #SubhadraYojana # #Bhubaneswar #Odisha  

LEAVE A REPLY

Please enter your comment!
Please enter your name here