ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି ପୁଣି ଖୋଲିବ ଶ୍ରୀମନ୍ଦିରର ରତ୍ନଭଣ୍ଡାର। ଭାରତୀୟ ପ୍ରତ୍ନତାତ୍ତ୍ଵିକ ସର୍ବେକ୍ଷଣ ସଂସ୍ଥା (ଏଏସଆଇ) ପକ୍ଷରୁ ରତ୍ନଭଣ୍ଡାରର ପ୍ରାରମ୍ଭିକ ନିରୀକ୍ଷଣ ଓ ବୈଷୟିକ ଯାଞ୍ଚ କରାଯିବ। ଏଥିପାଇଁ ବୁଧବାର ଦିନ ୧ଟାରୁ ନିରୀକ୍ଷଣ କାର୍ଯ୍ୟ ସରିବା ଯାଏଁ ଶ୍ରୀମନ୍ଦିର‌ରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

ରତ୍ନଭଣ୍ଡାରର ବୈଷୟିକ ଯାଞ୍ଚରେ ଏଏସଆଇ ଓ ଶ୍ରୀମନ୍ଦିର ପ୍ରଶାସନର ୨୬ ଜଣିଆ ମିଳିତ ଟିମ୍ ସାମିଲ ହେବେ। ଏଏସଆଇର ଅତିରିକ୍ତ ମହାନିର୍ଦ୍ଦେଶକଙ୍କ ନେତୃତ୍ଵରେ ପ୍ରାଥମିକ ନିରୀକ୍ଷଣ ସହ ବୈଷୟିକ ସର୍ବେକ୍ଷଣ କାର୍ଯ୍ୟ କରିବ। ଏଥିରେ ସିଏସଆଇଆର-ଏନଜିଆରଆଇ (ନ୍ୟାସନାଲ ଜିଓ ଫିଜିକାଲ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ)ର ବିଶେଷଜ୍ଞ ଟିମ୍ ମଧ୍ୟ ସାମିଲ ହେବେ।

ରାଜ୍ୟ ସରକାରଙ୍କ ଅନୁମୋଦିତ ମାର୍ଗଦର୍ଶିକା ବା ଏସଓପି ଅନୁସାରେ ଏହି ନିରୀକ୍ଷଣ ଅନୁଷ୍ଠିତ ହେବ। ଏଥିରେ ଏଏସଆଇକୁ ରତ୍ନଭଣ୍ଡାରର ବୈଜ୍ଞାନିକ ସର୍ବେକ୍ଷଣ କରିବା ପାଇଁ ବିଭିନ୍ନ ଯନ୍ତ୍ରପାତି ବ୍ୟବହାର କରିବାକୁ ଅନୁମତି ମିଳିଛି। ଏହାସହ ସର୍ବେକ୍ଷଣ ସମ୍ପର୍କିତ ଫଟୋ ଓ ଭିଡିଓ ମଧ୍ୟ ଉତ୍ତୋଳନ କରାଯିବ। ତେବେ ଏହା କେବଳ ବୈଜ୍ଞାନିକ ଅନୁସନ୍ଧାନ ପାଇଁ ବ୍ୟବହାର କରାଯିବ, କୌଣସି ମିଡିଆ କିମ୍ବା ସୋସିଆଲ୍ ମିଡିଆରେ ପ୍ରସାରିତ କରାଯିବ ନାହିଁ।

ଅନ୍ୟପଟେ ରତ୍ନଭଣ୍ଡାର ଯାଞ୍ଚ ବେଳେ ମହାପ୍ରଭୁଙ୍କ ନୀତିକାନ୍ତି ପାଇଁ ସ୍ଵତନ୍ତ୍ର ନୀତି ନିର୍ଘଣ୍ଟ ପ୍ରସ୍ତୁତ କରାଯାଇଛି। ଏଥିପାଇଁ ବୁଧବାର ଦିନ ୧ଟାରୁ ନିରୀକ୍ଷଣ କାର୍ଯ୍ୟ ସରିବା ଯାଏଁ ଶ୍ରୀମନ୍ଦିର‌ରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ତେବେ ଏହି ସମୟରେ ଭକ୍ତମାନେ ସିଂହ ଦ୍ଵାର ପଟେ ବାଇଶି ପାହାଚ ଦେଇ ଆନନ୍ଦ ବଜାରରୁ ମହାପ୍ରସାଦ କିଣି ଉତ୍ତର ଦ୍ଵାର ଦେଇ ପ୍ରସ୍ଥାନ କରିପାରିବେ।

Tags: #ShreeMandir #Ratnabhandar #ASI #Puri #Odisha

LEAVE A REPLY

Please enter your comment!
Please enter your name here