ମିନତି ମିଶ୍ର

ହରିୟାଣାରେ ନିର୍ବାଚନୀ ମାହୋଲ ଏବେ ସରଗରମ। ପ୍ରମୁଖ ରାଜନୈତିକ ଦଳ ବିଜେପି ଓ କଂଗ୍ରେସ ରଣହୁଙ୍କାର ଦେଇ ଏବେ ନିର୍ବାଚନୀ ମଇଦାନରେ। ଆଗାମୀ ୫ ବର୍ଷ ପାଇଁ କିଏ ନେବ ହରିୟାଣା ଶାସନ ଭାର ଏନେଇ ଚାଲିଛି ଘମାଘୋଟ ଲଢ଼େଇ। ଅକ୍ଟୋବର ୫ରେ ଏହାର ଫଇସଲା ହେବ। ତେବେ ଜନତାଙ୍କୁ ନିଜ ସପକ୍ଷରେ ଆଣିବା ପାଇଁ ଦୁଇ ରାଜନୈତିକ ଦଳ ଯେମିତି ଭଣ୍ଡାର ଅଜାଡ଼ି ଦେଇଛନ୍ତି। ନିର୍ବାଚନ ଲାଗି କଂଗ୍ରେସ ଘୋଷଣା ପତ୍ର ଜାରି କରି ୭ ଗ୍ୟାରେଣ୍ଟି ଦେଇଥିବାବେଳେ ଗୁରୁବାର ବିଜେପି ଜାରି କରିଛି ନିଜର ସଙ୍କଳ୍ପ ପତ୍ର।

ଚାଷୀ, କୁସ୍ତିଯୋଦ୍ଧା, ଯୁବଗୋଷ୍ଠୀ ଏବଂ ଗରିବଙ୍କୁ ଗୁରୁତ୍ୱ

ହରିୟାଣା ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ଓ ବିଜେପି ଘୋଷଣା ପତ୍ରରେ ଗୋଟିଏ ସମାନତା ଦେଖିବାକୁ ମିଳୁଛି। ଉଭୟ ଦଳ ୪ଟି ବର୍ଗ ଉପରେ ଗୁରୁତ୍ୱ ଦେଇଛନ୍ତି। ଚାଷୀ, କୁସ୍ତିଯୋଦ୍ଧା, ଯୁବଗୋଷ୍ଠୀ ଏବଂ ଗରିବଜନତା। କଂଗ୍ରେସର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ହୁଡ୍ଡା କହିଛନ୍ତି ତାଙ୍କ ଦଳ ତିନୋଟି କଥା ଉପରେ ଗୁରୁତ୍ୱ ଦିଏ ଆଉ ତାହା ହେଉଛି-‘ଜୟ ଯବାନ, ଜୟ କିସାନ ଏବଂ ଜୟ ପହିଲମାନ’।

ଚାଷୀଙ୍କ ପାଇଁ ବିଶେଷ ଗ୍ୟାରେଣ୍ଟି

ହରିୟାଣାରେ ବିଜେପି ଉପରେ ଚାଷୀମାନେ ଅସନ୍ତୁଷ୍ଟ ଅଛନ୍ତି ବୋଲି କୁହାଯାଉଛି। ଲୋକସଭା ନିର୍ବାଚନରେ ଦଳ ମାତ୍ର ୫ଟି ଆସନରେ ଜିତିବା ପଛରେ ଚାଷୀଙ୍କ ଅସନ୍ତୋଷ ଏକ ପ୍ରମୁଖ କାରଣ ବୋଲି କୁହାଯାଇ ପାରିବ। ଏପରି ସ୍ଥିତିରେ କଂଗ୍ରେସ ଚାଷୀଙ୍କର ପ୍ରମୁଖ ଦାବି ସର୍ବନିମ୍ନ ସହାୟକ ମୂଲ୍ୟର (ଏମଏସପି) ଲିଗାଲ ଗ୍ୟାରେଣ୍ଟକୁ ତାର ପ୍ରମୁଖ ପ୍ରତିଶ୍ରୁତିରେ ସ୍ଥାନ ଦେଇଛି। ଅନ୍ୟପକ୍ଷେ ବିଜେପି ଏହାର କାଉଣ୍ଟର ଜବାବ ଦେଇଛି। ୨୪ଟି ଫସଲକୁ ଏମଏସପି ସହ କିଣିବା ପାଇଁ ପ୍ରତିଶ୍ରୁତି ଦେଇଛି ବିଜେପି।

କୁସ୍ତିଯୋଦ୍ଧାମାନଙ୍କୁ ନିଜ ସପକ୍ଷରେ ଆଣିବାର ଚେଷ୍ଟା

ହରିୟାଣା ବିଧାନସଭା ନିର୍ବାଚନରେ କୁସ୍ତିଯୋଦ୍ଧାଙ୍କ ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ ରହିବ। ମହିଳା କୁସ୍ତିଯୋଦ୍ଧାଙ୍କ ପ୍ରତି ବିଜେପି ନେତା ବ୍ରିଜଭୂଷଣ ଶରଣ ସିଂହଙ୍କ ଯୌନ ଉତ୍ପୀଡନ ଅଭିଯୋଗ, ସେମାନଙ୍କ ଦିଲ୍ଲୀ ଜନ୍ତର ମନ୍ତରରେ ଧାରଣା, ଭିନେଶ ଫୋଗାଟ ଏବଂ ବଜରଙ୍ଗ ପୁନିଆଙ୍କ କଂଗ୍ରେସରେ ଯୋଗଦାନ ଏ ସବୁକୁ ଦେଖିଲେ ଆଗାମୀ ନିର୍ବାଚନ କୁସ୍ତିଯୋଦ୍ଧାଙ୍କ ପ୍ରସଙ୍ଗ ପ୍ରମୁଖ ରହିବ ବୋଲି ସ୍ପଷ୍ଟ ଜଣାପଡୁଛି।

ସେତିକି ନୁହେଁ, ବ୍ରିଜଭୂଷଣ ଶରଣ ସିଂହ ନିକଟରେ ଦେଇଥିବା ବୟାନ ସହ ହରିୟାଣାର ଅସ୍ମିତାକୁ ଯୋଡ଼ି କଂଗ୍ରେସ ଖେଳ-ଖେଳାଳି ଏବଂ ଜାଟ ସଂପ୍ରଦାୟଙ୍କ ପାଖରେ ପହଞ୍ଚଛି। ସେପଟେ ଖେଳପ୍ରେମୀଙ୍କ ଭୋଟ ଯେପରି ହାତରୁ ଖସି ନ ଯାଏ ସେଥିପାଇଁ ବିଜେପି ନିଜ ସଙ୍କଳ୍ପ ପତ୍ରରେ ପ୍ରତି ଜିଲ୍ଲାରେ ଅଲିମ୍ପିକ ନର୍ସରୀ ଖୋଲିବା ପାଇଁ ପତିଶ୍ରୁତି ଦେଇଛି।

ଯୁବଗୋଷ୍ଠୀ ଓ ଅଗ୍ନିବୀରଙ୍କ ପାଇଁ ନିଯୁକ୍ତି ସୁଯୋଗ

ଯୁବଗୋଷ୍ଠୀଙ୍କୁ ନିଜ ଆଡ଼କୁ ଆଣିବା ପାଇଁ ଉଭୟ ବିଜେପି ଓ କଂଗ୍ରେସ ପ୍ରାଣମୂର୍ଚ୍ଛା ଉଦ୍ୟମ କରୁଛନ୍ତି। ସେନାବାହିନୀରେ ଯୋଗ ଦେବା ହରିୟାଣାର ଆଉ ଏକ ପରିଚୟ। ତେଣୁ ଅଗ୍ନିବୀର ପ୍ରସଙ୍ଗ ଏହି ରାଜ୍ୟର ନିର୍ବାଚନରେ ଏକ ବଡ଼ ପ୍ରସଙ୍ଗ ହୋଇଛି। ଦେଶର ଜନସଂଖ୍ୟାରେ ହରିୟାଣାର ଯୋଗଦାନ ମାତ୍ର ୨ ପ୍ରତିଶତ ହେଲେ ମଧ୍ୟରେ ଭାରତୀୟ ସେନାରେ ୧୦ ପ୍ରତିଶତ ସୈନିକ ଏହି ରାଜ୍ୟର ରହିଛନ୍ତି।

କଂଗ୍ରେସ ଅଗ୍ନିବୀର ଯୋଜନାକୁ ନେଇ ବିଜେପିକୁ ଯୋରଦାର ଟାର୍ଗେଟ କରୁଛି। ଅଗ୍ନିବୀରକୁ ନେଇ ଯୁବଗୋଷ୍ଠୀଙ୍କୁ ନିଜ ଆଡ଼କୁ କରିବା ପାଇଁ ଦଳ ଗ୍ୟାରେଣ୍ଟି ପତ୍ରରେ ସେମାନଙ୍କୁ ରାଜ୍ୟରେ ଖାଲି ଥିବା ୨ ଲକ୍ଷ ସରକାରୀ ପଦବୀରେ ନିଯୁକ୍ତି ପ୍ରତିଶ୍ରୁତି ଦେଇଛି। ଏଥିସହ ନିଶାମୁକ୍ତ ହରିୟାଣା ପାଇଁ ମଧ୍ୟ ଗ୍ୟାରେଣ୍ଟି ପତ୍ରରେ ପ୍ରତିଶ୍ରୁତି ଦେଇଛି।

ଅନ୍ୟପକ୍ଷେ ବିଜେପି ଡ୍ୟାମେଜ କଣ୍ଟ୍ରୋଲ ପାଇଁ ଘୋଷଣାପତ୍ରରେ ଅଗ୍ନିବୀର ସୈନିକଙ୍କୁ ସରକାରୀ ଚାକିରୀ ପାଇଁ ଗ୍ୟାରେଣ୍ଟି ଦେଇଛି। ବିଜେପି ୨ ଲକ୍ଷ ଯୁବକଙ୍କୁ ସରକାରୀ ଚାକିରୀ ଦେବା ସହ ୫ଲକ୍ଷ ଯୁବକଙ୍କୁ ଅନ୍ୟ ରୋଜଗାର ଅବସର  ଯୋଗାଇ ଦେବାକୁ ପ୍ରତିଶୁତି ଦେଇଛି। ଏଥିସହିତ ମାସିକ ଷ୍ଟାଇପେଣ୍ଡ ଦେବାର ପ୍ରତିଶ୍ରୁତି ବି ଦେଇଛି।

ମହିଳାଙ୍କୁ କ୍ୟାସ ଅଫର

ମହିଳାଙ୍କ ପାଇଁ ଦୁଇ ଦଳ ରଖିଛନ୍ତି କ୍ୟାସ ବେନିଫିଟ କାର୍ଡ। କଂଗ୍ରେସ ମହିଳାଙ୍କୁ ପ୍ରତି ମାସରେ ୨ ହଜାର ଟଙ୍କା ଏବଂ ୫୦୦ ଟଙ୍କାରେ ଗ୍ୟାସ ସିଲିଣ୍ଡର ଦେବାକୁ ପ୍ରତିଶ୍ରୁତି ଦେଇଛି। ସେହିପରି ବିଜେପି ତାର ଘୋଷଣାପତ୍ରରେ ‘ଲାଡୋ ଲକ୍ଷ୍ମୀ’ ଯୋଜନାରେ ମାସକୁ ୨୧୦୦ ଟଙ୍କା ଦେବାକୁ ପ୍ରତିଶ୍ରୁତି ଦେଇଛି। ସେହିପରି କଲେଜ ଯାଉଥିବା ଗ୍ରାମାଞ୍ଚଳର ପ୍ରତ୍ୟେକ ଛାତ୍ରୀଙ୍କୁ ଇ-ସ୍କୁଟର ଦେବାକୁ ପ୍ରତିଶ୍ରୁତି ଦେଇଛି ବିଜେପି।

ଗରିବଙ୍କୁ ମିଳିବ ଘର

ଗରିବଙ୍କ ପାଇଁ କଂଗ୍ରେସ ଶହେ ଗଜରେ ଫ୍ଲାଟ ଏବଂ ୩.୫ ଲକ୍ଷ ଟଙ୍କାର ଦୁଇ ବଖରା ଥିବା ଘର ଦେବା ପାଇଁ ପ୍ରତିଶ୍ରୁତି ଦେଇଛି। ଏଥିସହ ବୃଦ୍ଧବୃଦ୍ଧା, ଦିବ୍ୟାଙ୍ଗ ଏବଂ ବିଧବାଙ୍କ ପାଇଁ ପେନସନ ରାଶି ୬ ହଜାର ଟଙ୍କା କରିବା ପାଇଁ କଂଗ୍ରେସ ପ୍ରତିଶ୍ରୁତି ଦେଇଛି। ଅନ୍ୟପକ୍ଷେ ବିଜେପି ସହର ଓ ଗ୍ରାମାଞ୍ଚଳରେ ୫ ଲକ୍ଷ ଆବାସ ସହ ସାମାଜିକ ପେନସନରେ ଡିଏ ଦେବାକୁ ପ୍ରତିଶ୍ରୁତି ଦେଇଛି। 

Tags: #HaryanaAssemblyElections #BJP #Congress #ElectionManifesto #Politics

LEAVE A REPLY

Please enter your comment!
Please enter your name here