ଓଡ଼ିଶାଲାଇଭ୍ ବ୍ୟୁରୋ

ବାଲେଶ୍ଵର ବନ୍ୟା ବିପନ୍ନଙ୍କ ଲାଗି ସହାୟତା ରାଶି ଘୋଷଣା କରିଛନ୍ତି ରାଜ୍ୟ ସରକାର। ବନ୍ୟା ଯୋଗୁଁ ଘର ଭାଙ୍ଗିଥିବା ଲୋକ ଏବଂ କ୍ଷତିଗ୍ରସ୍ତ ଚାଷୀଙ୍କୁ ଏହି ସହାୟତା ରାଶି ପ୍ରଦାନ କରାଯିବ। ସେପ୍ଟେମ୍ବର ୧୮ ତାରିଖରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବାଲେଶ୍ଵର ଜିଲ୍ଲାରେ ଉପୁଜିଥିବା ବନ୍ୟା ପରିସ୍ଥିତି ସମୀକ୍ଷା କରିବା ପରେ କ୍ଷତିଗ୍ରସ୍ତଙ୍କ ପାଇଁ ସହାୟତା ରାଶି ଘୋଷଣା କରିଛନ୍ତି।

ବନ୍ୟା ଯୋଗୁଁ ବାଲେଶ୍ଵର ଜିଲ୍ଲାର ବିଭିନ୍ନ ବ୍ଲକର ଲୋକେ କ୍ଷତିଗ୍ରସ୍ତ ହୋଇଛନ୍ତି। ଅନେକ ଘର ଭାଙ୍ଗିରୁଜି ଯିବା ସହ ଚାଷ ଜମିରେ ପାଣିମାଡ଼ି ସମ୍ପୂର୍ଣ୍ଣ ନଷ୍ଟ ହୋଇଛି। ବନ୍ୟା ଯୋଗୁଁ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିବା ଘରର ମରାମତି ଲାଗି ୧ ଲକ୍ଷ ୨୦ ହଜାର ଟଙ୍କା ପ୍ରଦାନ କରାଯିବ। ଆଂଶିକ ଭାଙ୍ଗିଥିବା ପକ୍କା ଘର ପାଇଁ ୬ ହଜାର ୫୦୦ ଟଙ୍କାର ସହାୟତା ରାଶି ପ୍ରଦାନ କରାଯିବ। ସେହିପରି କଚ୍ଚା ଘର ଆଂଶିକ ଭାଙ୍ଗିଥିଲେ ୪ ହଜାର ଦିଆଯିବ। କୁଡ଼ିଆ ଘର ପାଇଁ ୮ ହଜାର ଟଙ୍କା ଏବଂ ଗୁହାଳ ପାଇଁ ୩ ହଜାର ଟଙ୍କା ପ୍ରଦାନ କରାଯିବ।

କ୍ଷତିଗ୍ରସ୍ତ ହୋଇଥିବା କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ପାଇଁ ମଧ୍ୟ ସହାୟତା ରାଶି ଘୋଷଣା କରାଯାଇଛି। ଅଣଜଳସେଚିତ ଅଞ୍ଚଳ ପାଇଁ ହେକ୍ଟର ପିଛା ୮ ହଜାର ୫୦୦ ଟଙ୍କା ଏବଂ ଜଳସେଚିତ ଜମି ପାଇଁ ହେକ୍ଟର ପିଛା ୧୭ ହଜାର ଟଙ୍କା ଘୋଷଣା କରିଛନ୍ତି ରାଜ୍ୟ ସରକାର।

ସବୁ ପ୍ରକାର ବାରମାସୀ ଫସଲ ପାଇଁ ହେକ୍ଟର ପିଛା ୨୨ ହଜାର ୫୦୦ ଟଙ୍କା ଆର୍ଥିକ ସହାୟତା ରାଶି ପ୍ରଦାନ କରାଯିବ। ଏହି ସହାୟତା ସର୍ବାଧିକ ୨ ହେକ୍ଟର ଜମି ପାଇଁ ଦିଆଯବି। ଦୁଇଦିନ ଧରି ବନ୍ୟାଜଳରେ ବୁଡ଼ି ରହିଥିଲେ ପୋଷାକ ପାଇଁ ୨,୫୦୦ ଟଙ୍କା, ବାସନ ପାଇଁ ୨,୫୦୦ ଟଙ୍କା ଦିଆଯିବ। ଚାଷ ଜମିରେ ୩ ଇଞ୍ଚରୁ ଅଧିକ ବାଲିଚର ହୋଇଥିଲେ, ହେକ୍ଟର ପିଛା ୧୮ ହଜାର ଟଙ୍କା ପ୍ରଦାନ କରାଯିବ।

ମାଛ ପୋଖରୀର ମରାମତି ଏବଂ ପଙ୍କ ଉଦ୍ଧାର ପାଇଁ ହେକ୍ଟର ପିଛା ୧୮ ହଜାର ଟଙ୍କା ଏବଂ ସର୍ବନିମ୍ନ ୨,୨୦୦ ଟଙ୍କା ଦିଆଯିବ। ଭୂସ୍ଖଳନ ଯୋଗୁଁ ନଦୀ ଗତିପଥ ପରିବର୍ତ୍ତନ ଯୋଗୁଁ ଚାଷ ଜମି କ୍ଷତିଗ୍ରସ୍ତ ହୋଇଥିଲେ, ହେକ୍ଟର ପିଛା ୪୭ ହଜାର ଟଙ୍କା ଏବଂ ସର୍ବନିମ୍ନ ୫ ହଜାର ଟଙ୍କା ଆର୍ଥିକ ସହାୟତା ରାଶି ପ୍ରଦାନ କରାଯିବ। ଯଦି କୌଣସି ଗୃହପାଳିତ ପଶୁ ଯଥା ଗାଈ ଏବଂ ମଇଁଷି ଆଦିଙ୍କର ମୃତ୍ୟୁ ହୋଇଥିଲେ ୩୬,୫୦୦ ଟଙ୍କା, ଛେଳି ଓ ମେଣ୍ଢା ପିଛା ୪ ହଜାର ଟଙ୍କା, ବଳଦ ପିଛା ୩୧ ହଜାର ଟଙ୍କା ଏବଂ ବାଛୁରୀ ପିଛା ୨୦ ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ରାଶି ପ୍ରଦାନ କରାଯିବ।

ଏହା ସହ ମତ୍ସ୍ୟଜୀବୀଙ୍କୁ ଆଂଶିକ କ୍ଷତିଗ୍ରସ୍ତ ଡଙ୍ଗା ନିମନ୍ତେ ୬ ହଜାର ଟଙ୍କା, ଆଂଶିକ କ୍ଷତିଗ୍ରସ୍ତ ଜାଲ ପାଇଁ ୩ ହଜାର ଟଙ୍କା, ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିବା ଜାଲ ପାଇଁ ୪ ହଜାର ଟଙ୍କା ଏବଂ ମାଛ ଯାଆଁଳ ଚାଷ ପାଇଁ ହେକ୍ଟର ପିଛା ୧୦ ହଜାର ଟଙ୍କା ଆର୍ଥିକ ସହାୟତା ରାଶି ଘୋଷଣା କରାଯାଇଛି। ସେହିପରି ହସ୍ତଶିଳ୍ପ ଏବଂ ହସ୍ତତନ୍ତ କାରିଗରମାନଙ୍କୁ ଯନ୍ତ୍ରାଂଶ ନଷ୍ଟ ଲାଗି ୫ ହଜାର ଏବଂ ବିଭିନ୍ନ ଆନୁସଙ୍ଗିକ ଦ୍ରବ୍ୟ ପାଇଁ କାରିଗର ପିଛା ୫ ହଜାର ଟଙ୍କା ପ୍ରଦାନ କରାଯିବ।

Tag: #BalasoreFloodSituation #FloodAffected #OdishaGovt #FinancialAssistance #Odisha

LEAVE A REPLY

Please enter your comment!
Please enter your name here