ମିନତି ମିଶ୍ର

୨୦୨୪ ଲୋକସଭା ଓ ବିଧାନସଭା ନିର୍ବାଚନରେ ବିଜେଡି ପରାଜୟର ମୁହଁ ଦେଖିବା ପରେ ଏବେ ନିଜ ଘର ସଜାଡ଼ିବା ଉପରେ ଗୁରୁତ୍ୱ ଦେଉଛି। ଏଥିପାଇଁ ନବୀନ ନିବାସରେ ପର୍ଯ୍ୟାୟକ୍ରମେ ବିଭିନ୍ନ ଜିଲ୍ଲାର କର୍ମୀ ଓ ନେତାଙ୍କୁ ନେଇ ବୈଠକ କରାଯାଉଛି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏହି ବୈଠକରେ ଉପସ୍ଥିତ ରହି ନିର୍ବାଚନ ପରାଜୟର କାରଣ ଖୋଜିବା ସହ ନେତା ଓ କର୍ମୀଙ୍କୁ ମନ୍ତ୍ର ଦେଉଛନ୍ତି। ୨୦୨୭ରେ ହେବାକୁ ଥିବା ପଞ୍ଚାୟତ ନିର୍ବାଚନରେ ଦଳ କିପରି ଭଲ ପ୍ରଦର୍ଶନ କରିବ ତାକୁନେଇ ଏବେଠୁ ଦଳ ରଣନୀତି ପ୍ରସ୍ତୁତ କରୁଛି।

ବୈଠକରେ ବିପର୍ଯ୍ୟୟର କାରଣ ଖୋଜୁଛନ୍ତି ନବୀନ

ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଜିଲ୍ଲାସ୍ତରୀୟ କର୍ମୀ ଓ ନେତାମାନଙ୍କୁ ନବୀନ ନିବାସକୁ ଡାକି ପରାଜୟର କାରଣ ସମୀକ୍ଷା କରୁଛନ୍ତି। ଇତିମଧ୍ୟରେ ଦେବଗଡ଼, ବୌଦ୍ଧ, ରାୟଗଡ଼ା, କଳାହାଣ୍ଡି, ନବରଙ୍ଗପୁର, ଜଗତସିଂହପୁର, ବାଲେଶ୍ୱର, ମାଲକାନଗିରି, ଢେଙ୍କାନାଳ ଜିଲ୍ଲାର ନିର୍ବାଚିତ ପ୍ରତିନିଧି, ପରାଜିତ ବିଧାୟକ ଓ ସାଂସଦ ପ୍ରାର୍ଥୀଙ୍କ ସମେତ ଆଗଧାଡ଼ିର ନେତାମାନଙ୍କୁ ନବୀନ ନିବାସକୁ ଡାକି ସମୀକ୍ଷା କରିଛନ୍ତି। ନିର୍ବାଚନ ବିପର୍ଯ୍ୟୟର କାରଣ ଖୋଜିବା ସହ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତ ରହିବାକୁ କହିଥିବା ଚର୍ଚ୍ଚା ହେଉଛି।

ପଞ୍ଚାୟତ ନିର୍ବାଚନ ପାଇଁ ଅଙ୍କକଷା

୨୦୨୭ରେ ହେବ ପଞ୍ଚାୟତ ନିର୍ବାଚନ। ଏଥିପାଇଁ ତୃଣମୂଳ ସ୍ତରରୁ ସଙ୍ଗଠନକୁ ମଜଭୁତ କରିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଲୋକଙ୍କ ସହିତ ଯୋଡ଼ି ହୋଇ ରହିବା ଲାଗି ନବୀନ ଦଳର ନେତା ଓ କର୍ମୀଙ୍କୁ ପରାମର୍ଶ ଦେଉଛନ୍ତି। ୨୦୨୪ ନିର୍ବାଚନର ତ୍ରୁଟି ଯେପରି ଆଗାମୀ ପଞ୍ଚାୟତ ନିର୍ବାଚନରେ ପ୍ରତିଫଳନ ନହୁଏ ସେଥିଲାଗି ସତର୍କ ରହିବା ଲାଗି ନବୀନ ତାଗିଦ କରୁଛନ୍ତି।

ଗଢ଼ାହେଲା କମିଟି

ବିଜେଡି ନିକଟରେ ତିନିଟି ନୂଆ କମିଟି ଗଠନ କରିଛି। ତା’ ଭିତରେ ରହିଛି ୧୭ ଜଣିଆ ଉପଦେଷ୍ଟା କମିଟି, ୨୨ ଜଣିଆ ସଦସ୍ୟତା ଅଭିଯାନ କମିଟି ଏବଂ ୨୧ ଜଣିଆ କାର୍ଯ୍ୟକ୍ରମ କାର୍ଯ୍ୟାନ୍ୱୟନ କମିଟି।

ଏହି କମିଟିରେ ଦଳ ସୁପ୍ରିମୋ ବରିଷ୍ଠ, ବିଶ୍ୱସ୍ତ ଏବଂ ଦଳ ପାଇଁ କାମ କରୁଥିବା ନେତାଙ୍କୁ ଗୁରୁତ୍ୱ ଦେଇଛନ୍ତି। ଦଳକୁ ସଂଗଠିତ, ତୃଣମୂଳସ୍ତରରୁ ଦୃଢ କରିବା ପାଇଁ ଏହି ତିନି କମିଟି ଗଠନ କରାଯାଇଛି। ଉପଦେଷ୍ଟା କମିଟି ସଂଯୋଜକ ପ୍ରସନ୍ନ ଆଚାର୍ଯ୍ୟ ଥିବାବେଳେ, ସଦସ୍ୟତା ଅଭିଯାନ କମିଟିର ସଂଯୋଜକ ଅଛନ୍ତି ଅତନୁ ସବ୍ୟସାଚୀ ନାୟକ ଏବଂ ୨୧ ଜଣିଆ କାର୍ଯ୍ୟକ୍ରମ କାର୍ଯ୍ୟାନ୍ୱୟନ କମିଟିର ସଂଯୋଜକ ଅଛନ୍ତି ସଞ୍ଜୟ ଦାସବର୍ମା। ଏହି ତିନି କମିଟିରେ ମୋଟ ୬୦ ଜଣ ସଦସ୍ୟ  ଅଛନ୍ତି। ଏହି ୩ କମିଟି ଅଗଷ୍ଟ ୫ ତାରିଖରେ ଗଠିତ ହୋଇଥିବା ସମନ୍ୱୟ କମିଟିକୁ ସହଯୋଗ କରିବେ ବୋଲି ଦଳ ପକ୍ଷରୁ କୁହାଯାଇଛି।

ବିଜେଡିର ଚିନ୍ତା ବଢ଼ାଉଛି ବିଜେପି

୨୦୦୦ରୁ ୨୦୨୪ ଯାଏଁ ବିଜେଡି ରାଜ୍ୟରେ ନିରଙ୍କୁଶ ଶାସନ କରି ଆସୁଥିଲା। ୨୦୦୦ରୁ ୨୦୦୯ ଯାଏଁ ରାଜ୍ୟରେ ବିଜେଡି-ବିଜେପିର ମେଣ୍ଟ ସରକାର ଚାଲିଥିଲା। ଏହା ପରେ ବିଜେପି ହାତ ଛାଡ଼ି ବିଜେଡି ଏକାକୀ ନର୍ବାଚନ ଲଢି ବିଜୟୀ ହୋଇଥିଲା। ବିଜେପି ତିନି ନମ୍ବରରେ ଥିଲା। ହେଲେ ୨୦୧୯ରେ ବିଜେପିର ଉତ୍ଥାନ ହେବା ସହ ମୁଖ୍ୟ ବିରୋଧୀ ଦଳ ଆସନ ହାତେଇଥିଲା।

୨୦୨୪ରେ ବିଜେଡିକୁ ମାତ ଦେଇ ସରକାର ଗଢ଼ିଛି ବିଜେପି। ନିକଟରେ ବିଜେଡି ଟିକେଟରେ ରାଜ୍ୟସଭା ଯାଇଥିବା ଦୁଇ ଜଣ ସାଂସଦ ବିଜେପିରେ ଯୋଗ ଦେଇଛନ୍ତି। ଏହା ବିଜେଡି ଶିବିରରେ ଚିନ୍ତା ବଢ଼ାଇଛି। ଆଗାମୀ ଦିନରେ ବିଜେପିକୁ କିପରି ଚେକ୍ ଦେଇହେବ ସେନେଇ ବିଜେଡି ଏବଂ ଦଳର ସଭାପତି ନବୀନ ପଟ୍ଟନାୟକ ଏବେଠୁ ଗୋଟି ଚାଳନା ଆରମ୍ଭ କରିଛନ୍ତି।

Tags: #NaveenPatnaik #BJD #PanchayatElection #Politics #Odisha

LEAVE A REPLY

Please enter your comment!
Please enter your name here