ଓଡ଼ିଶାଲାଇଭ ବ୍ୟୁରୋ
ସାରା ରାଜ୍ୟରେ ଜାରି ରହିଛି ନର୍ସିଂ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ। ୧୦ ଦଫା ଦାବି ନେଇ ଧାରଣାରେ ବସିଛନ୍ତି ରାଜ୍ୟର ପ୍ରାୟ ୧୫ ହଜାର ନର୍ସ। ଏନେଇ ରାଜ୍ୟରେ ସ୍ଵାସ୍ଥ୍ୟସେବା ଉପରେ ଗୁରୁତର ପ୍ରଭାବ ପଡ଼ିଛି। ଦାବି ପୂରଣ ନହେବା ଯାଏଁ ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ଦେଇଛି ନର୍ସିଂ କର୍ମଚାରୀ ସଂଘ।
ଓଡ଼ିଶାର ସବୁ ସରକାରୀ ଡାକ୍ତରଖାନାରେ ନର୍ସିଂ କର୍ମଚାରୀଙ୍କ ଆନ୍ଦୋଳନର ପ୍ରଭାବ ଦେଖିବାକୁ ମିଳୁଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମେତ ବିଭିନ୍ନ ପିଏଚସି ଓ ସିଏଚସିରେ ରୋଗୀମାନେ ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳୁଛି।
୪ ଦିନ ତଳେ ଏହି ଆନ୍ଦୋଳନ ଆରମ୍ଭ ହୋଇଥିଲେ ମଧ୍ୟ ନର୍ସମାନେ ଜରୁରୀକାଳୀନ ସେବା ଯୋଗାଉଥିଲେ। ତେବେ ଶନିବାରଠାରୁ ସେମାନେ ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟ ବନ୍ଦ କରି ଦେଇଛନ୍ତି। ରାଜ୍ୟରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏସମା ଲାଗୁ ରହିଥିଲେ ମଧ୍ୟ ଏହାକୁ ଖାତିର ନକରି ନର୍ସିଂ କର୍ମଚାରୀମାନେ ଆନ୍ଦୋଳନ ଜାରି ରଖିଛନ୍ତି।
ନର୍ସିଂ କର୍ମଚାରୀଙ୍କ ମୁଖ୍ୟ ଦାବିଗୁଡ଼ିକ ହେଉଛି
- ୨୦୧୩ ପୂର୍ବରୁ ନିଯୁକ୍ତ ନର୍ସିଂ କର୍ମଚାରୀଙ୍କ ୬ ବର୍ଷ ଚୁକ୍ତିଭିତ୍ତିକ ଅବଧିକୁ ମୂଳ ଦରମା ସହ ମିଶାଇ ପଦନ୍ନୋତି ଓ ଆର୍ଥିକ ସହାୟତା ଦିଆଯାଉ।
- ସେମାନଙ୍କୁ ଚାକିରିରେ ବରିଷ୍ଠତା ଭିତ୍ତିରେ ପଦୋନ୍ନତି ମିଳୁ।
- ଆଉଟ ସୋର୍ସିଂ ନିଯୁକ୍ତି ବନ୍ଦ କରାଯାଉ।
- ନର୍ସିଂ ଅଫିସରମାନଙ୍କ ଡ୍ରେସ କୋର୍ଡ ପରିବର୍ତ୍ତନ କରିବ।
- ନିୟମିତ ହୋଇନଥିବା ଅବଶିଷ୍ଟ ନର୍ସିଂ କର୍ମଚାରୀଙ୍କ ଚାକିରି ନିୟମିତ ହେଉ।
- ସିଏଚଓ ପଦବୀରୁ ଫେରାଇ ଆଣି କ୍ୟାଡର ପୋଷ୍ଟ ଗଠନ କରିବା
- ମେରୁଦଣ୍ଡ ଆଘାତ ଚିକିତ୍ସା କେନ୍ଦ୍ର ନର୍ସିଂ ଅଫିସରମାନଙ୍କୁ ସ୍ଥାୟୀ ନିଯୁକ୍ତି
- ଠିକା ସଂସ୍ଥା ଦ୍ୱାରା ନର୍ସିଂ ଅଫିସର ନିୟୋଜିତ ହୋଇଥିବା ଆଦେଶ ପ୍ରତ୍ୟାହାର କରାଯାଉ।
- ଆଦିବାସୀ ଅଞ୍ଚଳରେ କାର୍ଯ୍ୟରତ ନର୍ସିଂ ଅଫିସରମାନଙ୍କୁ ପ୍ରୋତ୍ସାହନ ରାଶି ମିଳୁ।
ଅନ୍ୟପଟେ ନର୍ସିଂ ଅଫିସରଙ୍କ ଦାବିର ବିଚାରବିମର୍ଶ ଲାଗି ଆନ୍ତଃ ବିଭାଗୀୟ କମିଟି ଗଠନ କରାଯାଇଛି। ଦାବିଗୁଡ଼ିକୁ ନେଇ ଆଲୋଚନା କରାଯାଉଛି। ଏଥିଲାଗି ସେମାନେ ଆନ୍ଦୋଳନରୁ ଓହରି ସ୍ୱାସ୍ଥ୍ୟସେବାରେ ଯୋଗ ଦେବାକୁ ନିବେଦନ କରିଛନ୍ତି ରାଜ୍ୟ ନର୍ସିଂ ନିର୍ଦ୍ଦେଶକ ଡାକ୍ତର ଆର୍ତ୍ତବନ୍ଧୁ ନାୟକ।
Tags: #NursingOfficers #Strike #HealthCare #HFWDept #Odisha