ଓଡ଼ିଶାଲାଇଭ୍ ବ୍ୟୁରୋ

ମେଟା ଏଆଇ ୟୁଜର୍ସମାନଙ୍କ ପାଇଁ ଆସିଛି ନୂଆ ଫିଚର। ପୂର୍ବରୁ ଏଥିରେ କେବଳ ଏଆଇ ଚାଟବୋଟ୍‌ର ଫିଚର୍ ଥିବା ବେଳେ ଏବେ ଏଥିରେ ନୂତନ ଭାବେ ଭଏସ୍ ମୋଡ୍‌, ଫଟୋ ଏଡିଟିଂ, ଇନ୍‌ଷ୍ଟାଗ୍ରାମ୍ ଷ୍ଟୋରୀରେ ଅପ୍‌ଲୋଡ୍ ଫଟୋର ବ୍ୟାକ୍‌ଗ୍ରାଉଣ୍ଡ୍ ପରିବର୍ତ୍ତନ ଭଳି ନୂଆ ସୁବିଧା ମିଳିବ। ମେଟା ଏଆଇକୁ ବର୍ତ୍ତମାନ ଲାମା ୩.୨ ଦ୍ୱାରା ବିକଶିତ କରାଯାଇଥିବାବେଳେ ଏହିସବୁ ଫିଚର୍‌ର ବ୍ୟବହାର କରି ଆପଣ ଅନେକ ସୁବିଧା ପାଇପାରିବେ ବୋଲି କମ୍ପାନି ପକ୍ଷରୁ କୁହାଯାଇଛି।

ବିଶେଷ କରି ଇନ୍‌ଷ୍ଟାଗ୍ରାମ୍‌, ଫେସ୍‌ବୁକ୍‌, ହ୍ୱାଟ୍‌ସଆପ୍‌ରେ ଏଣିକି ଏଆଇ-ଚାଟ୍‌ବୋଟ୍ ଫିଚର୍ ଦ୍ୱାରା ପ୍ରଦାନ କରାଯାଉଥିବା ଫଟୋକୁ ଆହୁରି ଉନ୍ନତ ଭାବେ ଏଡିଟ୍ କରାଯାଇପାରିବ। ଏହାସହ ଇନ୍‌ଷ୍ଟାଗ୍ରାମ୍ ୟୁଜର୍ସମାନଙ୍କୁ ନୂଆ ଧାରଣାର ରିଲ୍ସ ପ୍ରସ୍ତୁତ କରିବାରେ ସହାୟକ ହେବ। ମେଟା ଏଆଇର ଏଆଇ ଚାଟବୋଟ୍ ସହ ବର୍ତ୍ତମାନ ୪୦୦ ମିଲିୟନ୍ ଅର୍ଥାତ୍ ୪୦କୋଟି ୟୁଜର୍ସ ଯୋଡ଼ି ହୋଇଛନ୍ତି। ତେବେ ଚଳିତ ବର୍ଷ ଶେଷ ସୁଦ୍ଧା ବିଶ୍ୱରେ ‘ଏଆଇ-ଆସିଷ୍ଟାଣ୍ଟ’ର ୟୁଜର୍ସ ସଂଖ୍ୟା ସବୁଠାରୁ ଅଧିକ ରହିବ ବୋଲି କମ୍ପାନୀ ଦୃଢ଼ୋକ୍ତି ପ୍ରକାଶ କରିଛି।

ହ୍ୱାଟ୍ସଆପ୍‌, ଇନ୍‌ଷ୍ଟାଗ୍ରାମ୍‌, ମେସେଞ୍ଜର୍ ଓ ଫେସ୍‌ବୁକ୍ ୟୁଜର୍ସମାନେ ଲାମା ୩.୨ ମଡେଲ୍‌, ମେଟା ଏଆଇରେ ନୂତନ ଫିଚର୍ ଭାବେ ଏବେ ଭଏସ୍ ମୋଡ୍‌ର ସର୍ଭିସ୍ ପାଇପାରିବେ। ପୂର୍ବରୁ ଏହି ଏଆଇ ଚାଟ୍‌ବୋଟରେ କେବଳ ଚାଟିଂ ଦ୍ୱାରା କନ୍‌ଭର୍ସେସନ୍ ହୋଇପାରୁଥିଲା। ଏବେ କିନ୍ତୁ ଏହି ଭଏସ୍ ମୋଡ୍ ଏଆଇ ଆସିଷ୍ଟାଣ୍ଟ କ୍ଷେତ୍ରରେ ଅଧିକ ସୁବିଧା ଯୋଗାଇପାରିବ।

କମ୍ପାନି ପକ୍ଷରୁ ଏହି ଏଆଇ-ଭଏସ୍‌ରେ ଜଣାଶୁଣା ସେଲିବ୍ରିଟିଙ୍କ ଭଏସ୍‌କୁ ସଂଯୋଗ କରାଯାଇଛି। ସେମାନେ ହେଉଛନ୍ତି ଆମେରିକା ଅଭିନେତ୍ରୀ ଅକ୍ୱାଫୀନା, ଜେମ୍ ଜୁଡି ଡେଞ୍ଚ, ଜନ୍ ସିନା, କିଗାନ୍ ମାଇକେଲ୍ କି ଏବଂ କ୍ରିଷ୍ଟିନ୍ ବେଲ୍। ଏଥିସହିତ କମ୍ପାନି ପକ୍ଷରୁ ମେଟା ଏଆଇରେ ଫଟୋ ଏଡିଟିଂ ପାଇଁ ମଧ୍ୟ ସୁଯୋଗ ଦିଆଯାଇଛି। ଅର୍ଥାତ୍ ଚାଟ୍‌ବୋଟକୁ ମଗାଯାଇଥିବା ଫଟୋରେ ଆପଣ ପୁଣିଥରେ ଭଏସ୍ କମାଣ୍ଡ୍‌ର ଉପଯୋଗ କରି ଫଟୋକୁ ଆପଣଙ୍କ ଇଚ୍ଛା ଅନୁସାରେ ପରିବର୍ତ୍ତନ କରାଇପାରିବେ।

ଏହାସହ ପୂର୍ବରୁ ଏଆଇ ଦ୍ୱାରା ମଗାଯାଇଥିବା ଫଟୋରେ ମଧ୍ୟ ଆପଣ ପରିବର୍ତ୍ତନ କରିପାରିବେ। ସେହିପରି ଇନ୍‌ଷ୍ଟାଗ୍ରାମ୍ ଷ୍ଟୋରିରେ ଫଟୋ ଅପ୍‌ଲୋଡ୍ କରିବା ବେଳେ ଆପଣ ଚାହିଁଲେ ସେ ଫଟୋର ବ୍ୟାକ୍‌ଗ୍ରାଉଣ୍ଡ୍ ମଧ୍ୟ ପରିବର୍ତ୍ତନ କରିପାରିବେ।

ଇନ୍‌ଷ୍ଟାଗ୍ରାମରେ କଣ୍ଟେଣ୍ଟ୍ କ୍ରିଏଟର୍‌ଙ୍କ ପାଇଁ ଆଉ ଏକ ଭଲ ସୁଯୋଗ ଦେଇଛି ମେଟା ଏଆଇ। ତାହା ହେଉଛି ଏଆଇ ପାୱାର୍ ଟ୍ରାନ୍ସଲେସନ୍ ଟୁଲ୍। ଏହାଦ୍ୱାରା ଆପଣ ଯେକୌଣସି ରିଲ୍‌ରେ ଥିବା ଅଡିଓକୁ ନିଜ ଭାଷାରେ ଟ୍ରାନ୍ସଲେଟ୍ କରି ଲିପ୍‌ସିଂ କରିପାରିବେ। ଆସନ୍ତା ଦିନରେ ଏହି ଟୁଲ୍ ଖୁବ୍‌ଶୀଘ୍ର ଉପଲବ୍ଧ ହେବ।

ମେଟା ଏଆଇ ଦ୍ୱାରା ପ୍ରଦାନ କରାଯାଉଥିବା କାଳ୍ପନିକ ଚିତ୍ରରେ ମଧ୍ୟ ଆଉ ଏକ ଛୋଟିଆ ପରିବର୍ତ୍ତନ ଆସିଛି। ତାହା ହେଉଛି ୟୁଜର୍ସ ଯାହା ଚାହୁଁଛନ୍ତି, ତା’ର ଗୋଟିଏ ନୁହେଁ ଅନେକ ବିକଳ୍ପ ଫଟୋ ଏଆଇ ପ୍ରଦାନ କରିବ। ଆଉ ସେଥିମଧ୍ୟରୁ ଇନ୍‌ଷ୍ଟାଗ୍ରାମ, ଫେସ୍‌ବୁକ୍‌, ହ୍ୱାଟ୍ସଆପ୍ ଭଳି ସୋସିଆଲ୍ ମିଡିଆ ପାଇଁ ବ୍ୟବହାର ହୋଇପାରୁଥିବା ଫଟୋ ବିଷୟରେ ମଧ୍ୟ ମେଟା ଏଆଇ ସଜେଷ୍ଟ କରିବ।

Tags: #MetaAI #Facebook #Instagram #WhatsApp #AI #Technology

Comment