ମିନତି ମିଶ୍ର

କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ ପାଇଁ ବଢ଼ିଛି ଅଡୁଆ। ମୈସୁର ସହରାଞ୍ଚଳ ବିକାଶ ପ୍ରାଧିକରଣ (ମୁଡା) ଜମି ଦୁର୍ନୀତି ମାମଲାରେ ତାଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ମାମଲା ରୁଜୁ ହୋଇଛି। ଏଥିରେ ସିଦ୍ଧରମୈୟା ଅର୍ଥ ହେରଫେର କରିଥିବା ଅଭିଯୋଗ ହୋଇଛି। ଏହାକୁ ନେଇ କର୍ଣ୍ଣାଟକରେ ରାଜନୀତି ସରଗରମ ହୋଇଛି।

ମୈସୁର ସହରାଞ୍ଚଳ ବିକାଶ ପ୍ରାଧିକରଣର (ଏମୟୁଡିଏ) ଜମି ଆବଣ୍ଟନରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଥିଲା। ଏହି ଦୁର୍ନୀତିରେ ନିଜେ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ସାମିଲ ଅଛନ୍ତି ବୋଲି ଆରଟିଆଇ କାର୍ଯ୍ୟକର୍ତ୍ତା ଟିଜେ ଆବ୍ରାହାମ ଅଭିଯୋଗ କରିଥିଲେ। ଏହାପରେ ରାଜ୍ୟପାଳ ଥୱାର ଚାନ୍ଦ ଗେହଲୋଟ୍ ସିଦ୍ଧରମେୟାଙ୍କ ବିରୋଧରେ ମାମଲା ରୁଜୁ କରିବା ଲାଗି ଅନୁମତି ଦେଇଥିଲେ।

ସିଦ୍ଧରମୈୟାଙ୍କୁ ହାଇକୋର୍ଟ ଝଟକା

ଏହାପରେ ସିଦ୍ଧରମୈୟା ରାଜ୍ୟପାଳଙ୍କ ନିର୍ଦ୍ଦେଶ ବିରୋଧରେ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ହେଲେ ହାଇକୋର୍ଟ ମୁଖ୍ୟମନ୍ତ୍ରୀ ଆବେଦନକୁ ଖାରଜ କରିଦେଇ ମାମଲା ରୁଜୁ ପାଇଁ ନିର୍ଦ୍ଦେଶ ଦେଇଥିଲେ ।

ଇଡି ପୂର୍ବରୁ କର୍ଣ୍ଣାଟକ ଲୋକାୟୁକ୍ତ ମଧ୍ୟ ସିଦ୍ଧରମୈୟା, ତାଙ୍କ ପତ୍ନୀ ପାର୍ବତୀ ଏବଂ ଶଳା ମଲ୍ଲିକାର୍ଜୁନ ସ୍ୱାମୀ ଓ ଦେବରାଜୁଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ। ତେବେ ଇଡି ରାଡରକୁ ଆସିବା ପରେ ସିଦ୍ଧରମୈୟାଙ୍କ ପତ୍ନୀ ୧୪ଟି ପ୍ଲଟ ଫେରାଇ ଦେବେ ବୋଲି କହିଛନ୍ତି।

ଭୁଲ କରିନି ତେଣୁ ଇସ୍ତଫା ଦେବିନି – ସିଦ୍ଧରମୈୟା

ଏହି ଘଟଣାର ଏକ ସପ୍ତାହ ପୂର୍ବରୁ ୭୬ ବର୍ଷୀୟ ସିଦ୍ଧରମୈୟା କହିଥିଲେ ଯେ, ମୁଡା ମାମଲାରେ ତାଙ୍କୁ ଟାର୍ଗେଟ କରି ଫସେଇବା ପାଇଁ ଚକ୍ରାନ୍ତ କରାଯାଉଛି। କାରଣ ବିରୋଧୀମାନେ ତାଙ୍କୁ ଭୟ କରୁଛନ୍ତି। ତେବେ ଏହା ତାଙ୍କ ବିରୋଧରେ ପ୍ରଥମ ରାଜନୈତିକ ମାମଲା ବୋଲି ସେ କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ତାଙ୍କ ବିରୋଧରେ କୋର୍ଟ ତଦନ୍ତ ନିର୍ଦ୍ଦେଶ ଦେଲେ ବି ସେ ଇସ୍ତଫା ଦେବେ ନାହିଁ। କାରଣ ସେ କିଛି ଭୁଲ କରିନାହାନ୍ତି। ତେବେ ସେ ଆଇନ ଅନୁଯାୟୀ ମାମଲା ଲଢ଼ିବେ ବୋଲି କହିଛନ୍ତି।

ଆରଟିଆଇ କାର୍ଯ୍ୟକର୍ତ୍ତା ଆଣିଲେ ଅଭିଯୋଗ

ମୁଡା ଜମି ଦୁର୍ନୀତି ମାମଲାରେ ଜଣେ ଆରଟିଆଇ କାର୍ଯ୍ୟକର୍ତ୍ତା ଟିଜେ ଆବ୍ରାହାମ ସିଦ୍ଧରମୈୟାଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ। କ୍ଷମତାର ଅପବ୍ୟବହାର କରି ସିଦ୍ଧରମୈୟା ବହୁ ମୂଲ୍ୟବାନ ଜମି ତାଙ୍କ ପତ୍ନୀଙ୍କ ନାଁରେ କରିଦେଇଥିବା ନେଇ ସେ ଅଭିଯୋଗରେ ଦର୍ଶାଇ ଥିଲେ।

ତେବେ ଜଣେ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟପାଳଙ୍କ ଅନୁମତି ଆବଶ୍ୟକ ଥିବାରୁ ପୂର୍ବରୁ ସିଦ୍ଧରମୈୟାଙ୍କ ବିରୋଧରେ ମାମଲା ରୁଜୁ ହୋଇ ପାରୁନଥିଲା। ଏଥିଲାଗି ଅନୁମତି ପାଇଁ ଟିଜେ ଆବ୍ରାହାମ ରାଜ୍ୟପାଳଙ୍କ ଦ୍ଵାରସ୍ଥ ହୋଇଥିଲେ। ପରେ ସିଦ୍ଧରମୈୟାଙ୍କ ବିରୋଧରେ ମମଲା ରୁଜୁ କରିବା ପାଇଁ ରାଜ୍ୟପାଳ ଅନୁମତି ଦେଇଥିଲେ।

କ’ଣ ରହିଛି ମାମଲା?

ମୈସୁର ନିକଟସ୍ଥ କେସାରା ଗ୍ରାମରେ ସିଦ୍ଧରମୈୟାଙ୍କ ପତ୍ନୀ ପାର୍ବତୀଙ୍କର ୩.୧୬ ଏକର ଜମି ଥିଲା। ୨୦୨୧ ମସିହାରେ ମୌସୁର ଅର୍ବାନ ଡେଭଲପମେଣ୍ଟ ଅଥରିଟି ପକ୍ଷରୁ ଏହାକୁ ଅଧିଗ୍ରହଣ କରାଯାଇଥିଲା। ତାଙ୍କୁ ଏହା ପ୍ରତିବଦଳରେ ଦକ୍ଷିଣ ମୌସୁର ଅପକଲ୍ ବିଜୟନଗର ଅଞ୍ଚଳରେ ଅନ୍ୟାନ୍ୟ ପ୍ଲଟ୍ ବଣ୍ଟନ କରାଯାଇଥିଲା।

ତେବେ ସିଦ୍ଧରମୈୟାଙ୍କ ପତ୍ନୀଙ୍କୁ ମିଳିଥିବା ବିଜୟନଗରର ୧୪ଟି ପ୍ଲଟର ବଜାର ମୂଲ୍ୟ କେସାରାରେ ଥିବା ମୂଳ ଜମି ତୁଳନାରେ ଯଥେଷ୍ଟ ଅଧିକ ରହିଛି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଏହି ପ୍ଲଟ ଦିଆଯାଇଥିବା ଅଭିଯୋଗ ହୋଇଛି।

Tags: #Siddaramaiah #KarnatakaCM #CorruptionCase #LandScam #Karnataka

LEAVE A REPLY

Please enter your comment!
Please enter your name here