ମିନତି ମିଶ୍ର

ଭଦ୍ରକ ହିଂସାକୁ ନେଇ ଜୋର ଧରିଛି ରାଜ୍ୟ ରାଜନୀତି। ଶାସକ ଓ ବିରୋଧୀ ଦଳ ମଧ୍ୟରେ ଆରମ୍ଭ ହୋଇ ଯାଇଛି ବୟାନବାଜି। ଭଦ୍ରକ ହିଂସା ବାବଦରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ବୟାନକୁ ନେଇ ମୁହାଁମୁହିଁ ହୋଇଛନ୍ତି ବିଜେପି-ବିଜେଡି।

ବିଜେପି ଉପରେ ବର୍ଷିଲେ ନବୀନ

ଭଦ୍ରକ ହିଂସାକୁ ନେଇ ନବୀନ ପଟ୍ଟନାୟକ ବିଜେପିକୁ ଟାର୍ଗେଟ କରିଛନ୍ତି। ନୂଆ ସରକାର ରାଜ୍ୟର ଶାସନ ବ୍ୟବସ୍ଥାକୁ ଚଳାଇ ପାରୁନାହାନ୍ତି ବୋଲି ସେ ଅଭିଯୋଗ କରିଛନ୍ତି।  

“ଓଡ଼ିଶାରେ ବିଜେପି ସରକାର ଆସିବାର ତିନି ମାସ ହୋଇଗଲାଣି। ଏହାରି ଭିତରେ ରାଜ୍ୟରେ ୪ ଥର ସାଂପ୍ରଦାୟିକ ହିଂସା ଦେଖାଯାଇଛି। ବିଭିନ୍ନ ଅଞ୍ଚଳରେ ସାମ୍ପ୍ରଦାୟିକ ଅଶାନ୍ତି ଓଡ଼ିଶାର ଛବିକୁ ମଳିନ କରିଛି। ଏହା ବିଜେପି ସରକାରର କାର୍ଯ୍ୟଦକ୍ଷତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି”, କହିଛନ୍ତି ନବୀନ ପଟ୍ଟନାୟକ।

ସେ ଆହୁରି ମଧ୍ୟ କହିଛନ୍ତି, “ବିଜେଡି ସରକାରର ୨୪ ବର୍ଷ ଶାସନରେ ରାଜ୍ୟର ସବୁ ଅଞ୍ଚଳ ଓ ସବୁ କ୍ଷେତ୍ରର ବିକାଶକୁ ପ୍ରାଥମିକତା ଦିଆଯାଇଥିଲା। ମୁଁ ରାଜ୍ୟବାସୀଙ୍କୁ ଶାନ୍ତି ଓ ସଦଭାବ ବଜାୟ ରଖିବାକୁ ଅନୁରୋଧ କରୁଛି।”

କାଉଣ୍ଟର ଜବାବ ଦେଲା ବିଜେପି

ନବୀନ ପଟ୍ଟନାୟକଙ୍କ ମନ୍ତବ୍ୟକୁ ନେଇ କାଉଣ୍ଟର ଜବାବ ଦେଇଛି ବିଜେପି। ଭଦ୍ରକ ସାମ୍ପ୍ରଦାୟିକ ହିଂସା ଘଟଣା ପଛରେ ବିଜେଡି କର୍ମୀଙ୍କ ହାତ ଥିବା ଅଭିଯୋଗ ଆଣିଛି ବିଜେପି। ଏକ ସାମ୍ବାଦିକ ସମ୍ମିଳନୀ କରି ବିଜେଡି ସମୟରେ ହୋଇଥିବା ହିଂସାକୁ ମନେ ପକାଇ ଦେଇଛି ବିଜେପି।

ବିଜେପି ପକ୍ଷରୁ କୁହାଯାଇଛି ଯେ, “ଭଦ୍ରକ  ହିଂସା ଘଟଣାରେ ଯେଉଁ ମାନେ ଗିରଫ ହୋଇଛନ୍ତି, ସେମାନେ ବିଜେଡି କର୍ମୀ। ତେଣୁ ଏହି ଘଟଣାରେ ପଛରେ ବିଜେଡିର ହାତ ରହିଛି”

୨୦୦୮ କନ୍ଧମାଳ ଦଙ୍ଗା, ୨୦୧୭ର ଭଦ୍ରକ ହିଂସା ତଥା ୨୦୨୩ ସମ୍ବଲପୁର ହିଂସା ବେଳେ ରାଜ୍ୟରେ ମୁଖ୍ୟମନ୍ତ୍ରୀ କିଏ ଥିଲେ ପ୍ରଶ୍ନ କରିଛି ବିଜେପି। ଏପରିକି କନ୍ଧମାଳ ଦଙ୍ଗାର ମୁଖ୍ୟ ଅଭିଯୁକ୍ତକୁ ବିଜେଡିର ସଂରକ୍ଷଣ ମିଳିଥିବା ବିଜେପି ଅଭିଯୋଗ କରିଛି।

ମୁହଁ ଖୋଲିଲା କଂଗ୍ରେସ

ଭଦ୍ରକ ହିଂସାକୁ ନେଇ କଂଗ୍ରେସ ବି କଡ଼ା ପ୍ରତିକ୍ରିୟା ରଖିଛି। ବରିଷ୍ଠ କଂଗ୍ରେସ ନେତା ଜୟଦେବ ଜେନା ଏନେଇ ବିଜେପି ସରକାରକୁ କଡ଼ା ସମାଲୋଚନା କରିଛନ୍ତି। ଯଦି ୩ ମାସର ସରକାରରେ ରାଜ୍ୟରେ ୪ ଥର ହିଂସା ଘଟଣା ହେଲାଣି, ତେବେ ବିଜେପି ସରକାର ୫ ବର୍ଷ ପୂରଣ କରିବା ବେଳକୁ ଅବସ୍ଥା କ’ଣ ହେବ ବୋଲି ସେ ପ୍ରଶ୍ନ କରିଛନ୍ତି।

ସୁଧୁରିଛି ଭଦ୍ରକର ସ୍ଥିତି

ଅନ୍ୟପଟେ ଧୀରେ ଧୀରେ ଶାନ୍ତ ହେଉଛି ଅଶାନ୍ତ ହୋଇପଡ଼ିଥିବା ଭଦ୍ରକର ସ୍ଥିତି। ବୁଧବାର ଏଠାରେ ଇଣ୍ଟରନେଟ ସେବା ମଧ୍ୟ ସ୍ଵାଭାବିକ ହୋଇଛି। ହିଂସାଗ୍ରସ୍ତ ଅଞ୍ଚଳଗୁଡ଼ିକରେ ସକାଳ ୬ଟାରୁ ରାତି ୮ଟା ପର୍ଯ୍ୟନ୍ତ ଦୋକାନ ବଜାର ଖୋଲିବାକୁ ଅନୁମତି ମିଳିଛି। ମଙ୍ଗଳବାର ଦିନ ଭଦ୍ରକ ଗସ୍ତ କରି ସେଠାକାର ସ୍ଥିତି ସମୀକ୍ଷା କରିଥିଲେ ପୋଲିସ ଡିଜି ଓ୍ଵାଇବି ଖୁରାନିଆ।

ତେବେ ଭଦ୍ରକର ପୁରୁଣା ବଜାର ଓ ଧାମନଗରର ବିଜ୍ଞାପିତ ପରିଷଦ ଅଞ୍ଚଳରେ ବିଏନଏସ ୧୬୩ ଧାରା ବଳବତ୍ତର ରହିଛି। ଭଦ୍ରକରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ୧୨ ପ୍ଲାଟୁନ ପୋଲିସ ଫୋର୍ସ ଏବଂ ଗୋଟିଏ କମ୍ପାନି ରାପିଡ ଆକ୍ସନ ଫୋର୍ସ ମୁତୟନ ରହିଛନ୍ତି। ଏହା ସହ ଧାମନଗରରେ ୬ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ରହିଛନ୍ତି।  

Tags: #BhadrakViolence #LawandOrder #Politics #Bhadrak #Odisha

LEAVE A REPLY

Please enter your comment!
Please enter your name here