ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ବଦଳିବ ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ସ୍କୁଲ ୟୁନିଫର୍ମ। ଏଣିକି ସବୁଜ ରଙ୍ଗ ବଦଳରେ ବାଦାମୀ ରଙ୍ଗର ୟୁନିଫର୍ମ ଫିନ୍ଧିବେ ହାଇସ୍କୁଲ ଛାତ୍ରଛାତ୍ରୀ।
‘ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀ ପରିଧାନ ଯୋଜନା’ ଅଧୀନରେ ସମସ୍ତ ସରକାରୀ ଓ ଅନୁଦାନ ପ୍ରାପ୍ତ ହାଇସ୍କୁଲର ନବନ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ୟୁନିଫର୍ମର ରଙ୍ଗ ବଦଳାଇବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏ ନେଇ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ଅବଗତ କରାଯାଇଛି।
୨୦୨୩-୨୪ ଶିକ୍ଷା ବର୍ଷରେ ବିଜେଡି ସରକାର ସମୟରେ ଛାତ୍ରଛାତ୍ରୀଙ୍କ ୟୁନିଫର୍ମର ରଙ୍ଗ ବଦଳିଥିଲା। ସବୁଜ ରଙ୍ଗରେ ‘ଆମେ ଗଢ଼ିବୁ ନୂଆ ଓଡ଼ିଶା’ ର ଏକ ଲୋଗୋ ଲାଗିଥିଲା। ବର୍ତ୍ତମାନ ସେହି ରଙ୍ଗ ବଦଳିବାକୁ ଯାଉଛି। ନୂଆ ୟୁନିଫର୍ମ ବାଦାମୀ ରଙ୍ଗର ଚେକ ସାର୍ଟ ଓ ଖଇରିଆ ରଙ୍ଗର ପ୍ୟାଣ୍ଟ କରିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର।
କେଉଁଭଳି ହେବ ୟୁନିଫର୍ମ?
ଛାତ୍ରଙ୍କ ପାଇଁ ଫୁଲପ୍ୟାଣ୍ଟ, ଗୋଟିଏ ପକେଟ ଥିବା ହାଫ୍ ସାର୍ଟ ଓ ବେଲ୍ଟ ରହିଥିବା ବେଳେ ଛାତ୍ରୀଙ୍କ ପାଇଁ ଚୁଡ଼ିଦାର ପଞ୍ଜାବୀ ସହ ଦୁଇଟି ପକେଟ ଥିବା ଜ୍ୟାକେଟ ରହିବ। ୟୁନିଫର୍ମରେ କୌଣସି ଲୋଗୋ ରହିବ ନାହିଁ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ତେବେ ନୂଆ ସରକାର ଆସୁ ଆସୁ ସ୍କୁଲ ସହ ୟୁନିଫର୍ମର ରଙ୍ଗ ବଦଳା ଯାଉଥିବା ନେଇ ବିଭିନ୍ନ ମହଲରେ ଆଲୋଚନା ସମାଲୋଚନା ଆରମ୍ଭ ହୋଇଛି। ଏହାରି ମଧ୍ୟରେ ପ୍ରତିକ୍ରିୟା ରଖିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ।
ମନ୍ତ୍ରୀ କହିଛନ୍ତି, “ୟୁନିଫର୍ମର ରଙ୍ଗ ବଦଳାଇବାର ଆବଶ୍ୟକତା ଥିଲା। ପୂର୍ବ ସରକାର ରାଜନୈତିକ ଉଦ୍ଦେଶ୍ୟ ରଖି ସ୍କୁଲ ଗୃହ ଏବଂ ୟୁନିଫର୍ମର ରଙ୍ଗ ବଦଳାଇ ଥିଲେ। ଶିକ୍ଷାନୁଷ୍ଠାନରେ ରାଜନୀତି ପଶିବା ଉଚିତ ନୁହେଁ। ତେଣୁ ହାଇସ୍କୁଲ ୟୁନିଫର୍ମର ରଙ୍ଗ ବଦଳାଇବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି।”
Tags: #SchoolUniform #OdishaGovt #Highschool #Odisha