ଡାକ୍ତର ସାଗର ରଞ୍ଜନ ତ୍ରିପାଠୀ

ଏବେ ବି ସ୍ମୃତିରେ ନାଚି ଉଠେ ସେଦିନର ଯନ୍ତ୍ରଣା ଦାୟକ ଉତ୍ତରାଖଣ୍ଡ ବସ ଦୁର୍ଘଟଣା ଦୁଃସମ୍ବାଦ। ଶୋକାକୁଳ ପରିବେଶ ଦୋହଲେଇ ଦେଇଥିଲା ସମସ୍ତଙ୍କ ହୃଦୟ। ଗଞ୍ଜାମରୁ ହରିଦ୍ଵାର ଏବଂ ବିଷ୍ଣୁ ପ୍ରୟାଗ ପର୍ଯ୍ୟନ୍ତ ସମସ୍ତଙ୍କ ଆଖିରେ ଲୁହ ଭରି ରହିଥିଲା ସେ ଦିନ। ମହାଳୟାରେ ବଦ୍ରିନାଥ ଧାମରେ ଗଞ୍ଜାମ ଜିଲ୍ଲାର ତୀର୍ଥଯାତ୍ରୀ ପିତୃପୁରୁଷଙ୍କୁ ପିଣ୍ଡଦାନ କରି ଫେରିଥିଲେ ହରିଦ୍ଵାର, ହେଲେ ତୀର୍ଥଯାତ୍ରୀଙ୍କର ଏ ଯାତ୍ରା ମହାଯାତ୍ରା ହେବ ବୋଲି କିଏ ଜାଣିଥିଲା।

୨୦୦୭ ଅକ୍ଟୋବର ୧୧ ଅପରାହ୍ଣ ୩ଟା ସମୟରେ ଉତ୍ତରାଖଣ୍ଡ ଚାମୋଲୀ ଜିଲ୍ଲା ବିଷ୍ଣୁ ପ୍ରୟାଗ ନିକଟରେ ତୀର୍ଥଯାତ୍ରୀ ବସ ଦୁର୍ଘଟଣା ସମ୍ମୁଖୀନ ହୋଇ ଅଳକାନନ୍ଦା ନଦୀ ଗର୍ଭକୁ ଖସି ପଡ଼ିଥିଲା। ଏହି ଦୁର୍ଘଟଣା ଥିଲା ଭାରତ ଇତିହାସର ଭୟଙ୍କର ତୀର୍ଥଯାତ୍ରୀ ବସ ଦୁର୍ଘଟଣା ମଧ୍ୟରୁ ଅନ୍ୟତମ।

ଗଞ୍ଜାମ ଜିଲ୍ଲାର ପ୍ରାୟ ୪୦ରୁ ଊର୍ଦ୍ଧ୍ଵ ତୀର୍ଥଯାତ୍ରୀଙ୍କର ଘଟଣାସ୍ଥଳରେ ଜୀବନ ଦୀପ ଲିଭିଗଲା। ହେଲେ ମୃତ୍ୟୁ କବଳରୁ ବଞ୍ଚି ଯାଇଥିଲା ବେଗୁନିଆପଡ଼ାର ଝିଅଟିଏ। ପୋଲସରା, ବେଗୁନିଆପଡ଼ା କବିସୂର୍ଯ୍ୟ ନଗର, ଖଲ୍ଲିକୋଟ, ବ୍ରହ୍ମପୁର ଓ ବୁଗୁଡ଼ା ଅଞ୍ଚଳରୁ ଯାଇଥିବା ଏହି ତୀର୍ଥଯାତ୍ରୀଙ୍କ ପରିବାର ଉପରେ ସତେ ଯେମିତି ଛିଡ଼ି ପଡ଼ିଲା ଆକାଶ।

ଓଡ଼ିଆ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ଦୁଃସମ୍ବାଦ ପାଲଟି ଯାଇଥିଲା ଗଣମାଧ୍ୟମର ମୁଖ୍ୟ ଖବର। ଘନ ଘନ ବୈଠକ ଗଞ୍ଜାମ ଜିଲ୍ଲାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ହୋଇଥିଲା। ତତ୍କାଳୀନ ଗଞ୍ଜାମ ଜିଲ୍ଲାପାଳ ଭି କାର୍ତ୍ତିକେୟନ ପାଣ୍ଡିଆନ, ଖଲ୍ଲିକୋଟ ବିଧାୟିକା ସୁଜ୍ଞାନ କୁମାରୀ ଦେବୀ ଏବଂ କୋଦଳା ବିଧାୟକ ନିରଞ୍ଜନ ପ୍ରଧାନଙ୍କ ଉଦ୍ୟମରେ ୨୪ ଘଣ୍ଟା ମଧ୍ୟରେ ତୀର୍ଥଯାତ୍ରୀଙ୍କ ପରିବାରର ଜଣେ ଜଣେ ସଦସ୍ୟଙ୍କୁ ବିମାନ ଯୋଗେ ହରିଦ୍ଵାରରେ ପହଞ୍ଚାଇବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ।

ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ସଚିବ ତରୁଣ କାନ୍ତି ମିଶ୍ରଙ୍କ ପରାମର୍ଶରେ ଦିଲ୍ଲୀରେ ଓଡ଼ିଶା ଭବନର ପରିଚାଳକ କୃପାନିଧି ବିଶ୍ଵାଳ ଏବଂ ଦିଲ୍ଲୀ ରେସିଡେଣ୍ଟ କମିଶନର ସୁରେଶ ଚନ୍ଦ୍ର ପାଢ଼ୀ ପ୍ରମୁଖ ମୃତ ତୀର୍ଥଯାତ୍ରୀଙ୍କ ପରିବାରକୁ ସହଯୋଗ କରିବା ପାଇଁ ଦିଲ୍ଲୀ ବିମାନ ବନ୍ଦରରେ ପହଞ୍ଚିଥିଲେ

ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଞ୍ଚଳର ପ୍ରାଣ ହରାଇଥିବା ପରିବାରର ଜଣେ ଜଣେ ଆତ୍ମୀୟଙ୍କ ସହ ତତ୍କାଳୀନ ଗଞ୍ଜାମ ଜିଲ୍ଲାପାଳ ଭି କେ ପାଣ୍ଡିଆନ, ତତ୍କାଳୀନ ରାଜ୍ୟ ସରକାରଙ୍କ ଦୁଇ କ୍ୟାବିନେଟ୍ ମନ୍ତ୍ରୀ ମନମୋହନ ସାମଲ ଏବଂ ପଦ୍ମନାଭ ବେହେରା ଓ ବର୍ତ୍ତମାନର ମନ୍ତ୍ରୀ ବିଭୂତି ଭୂଷଣ ଜେନା ଭୁବନେଶ୍ଵର ବିମାନ ବନ୍ଦରରୁ ୨୦୦୭ ଅକ୍ଟୋବର ୧୨ ତାରିଖ ଦିନ ୨ଟାରେ ଦିଲ୍ଲୀ ଅଭିମୁଖେ ଯାତ୍ରା କରିଥିଲେ। ଦିଲ୍ଲୀ ବିମାନ ବନ୍ଦରରୁ ଏକ ସ୍ଵତନ୍ତ୍ର ବସ୍ ଯୋଗେ ରାତି ପ୍ରାୟ ୧ଟା ବେଳେ ହରିଦ୍ଵାରରେ ସେମାନେ ପହଞ୍ଚି ଥିଲେ।

ଶୋକାକୁଳ ପରିବେଶ ସହ ହରିଦ୍ଵାର ଖରଖରି ଶ୍ମଶାନ ଘାଟର ଦୃଶ୍ୟ ସମସ୍ତଙ୍କ ଆଖିରେ ଲୁହ ଭରି ଦେଇଥିଲା। ଉତ୍ତରାଖଣ୍ଡ ରାଜ୍ୟର ପ୍ରଶାସନ ତଥା ତତ୍କାଳୀନ ମୁଖ୍ୟମନ୍ତ୍ରୀ ବି ସି ଖଣ୍ଡୁରି, ଉତ୍ତରାଖଣ୍ଡ ପୋଲିସ ମହାନିର୍ଦ୍ଦେଶକ ପ୍ରମୁଖ ଉପସ୍ଥିତ ରହି ଗଙ୍ଗା ନଦୀ କୂଳରେ ସମସ୍ତ ବ୍ୟବସ୍ଥା କରିଥିଲେ। ଯୋଶୀ ମଠରୁ ସମସ୍ତଙ୍କ ମର ଶରୀର ପହଞ୍ଚି ଥିଲା ଦୁଇଦିନ ପରେ ଅର୍ଥାତ ଅକ୍ଟୋବର ୧୩ ତାରିଖ ସକାଳ ପ୍ରାୟ ୮ଟା ସମୟରେ।

ଏହି ହୃଦୟ ବିଦାରକ ଦୃଶ୍ୟ ହରିଦ୍ଵାରରେ ସମସ୍ତଙ୍କୁ ଭାବ ବିହ୍ୱଳ କରିଦେଇଥିଲା। ଗଙ୍ଗା ନଦୀ କୂଳରେ ଲକ୍ଷାଧିକ ଲୋକଙ୍କ ସମାଗମରେ ଅନ୍ତ୍ୟେଷ୍ଟି କ୍ରିୟା ନିମନ୍ତେ ସମସ୍ତ କାର୍ଯ୍ୟ ପ୍ରସ୍ତୁତ କରି ଦେଇଥିଲେ ସେଠାକାର ପ୍ରଶାସନ। ପତିତପାବନୀ ମା’ ଗଙ୍ଗା ନଦୀ କୂଳରେ ପ୍ରାଣ ହରାଇଥିବା ତୀର୍ଥଯାତ୍ରୀଙ୍କର ସମୂହ ସତ୍କାର କରାଯାଇଥିଲା। ଏହା ପରେ ଅପରାହ୍ଣରେ ନିଜ ପ୍ରିୟଜନଙ୍କୁ ଅନ୍ତିମ ବିଦାୟ ଦେଇ ଫେରିଥିଲେ ପରିବାର ଲୋକେ।

ସତରେ ଏହି ଦୁଃଖଦାୟକ ଦୁର୍ଘଟଣା କେବେ ମନରୁ ଲିଭିବ ନାହିଁ। ଏହି ସମୟରେ ଗଣମାଧ୍ୟମର ଭୂମିକା ଅତୁଳନୀୟ ଥିଲା। ସେ ସମୟରେ ଓଡ଼ିଶାର ଘରେ ଘରେ ପରିଚିତ ଥିବା ଈ-ଟିଭି ଓଡ଼ିଆର ମୁଖ୍ୟ ବାର୍ତ୍ତା ସମ୍ପାଦକ ଥିବା ନୀଳାମ୍ବର ରଥଙ୍କ ଭୂମିକା ବିଶେଷ ପ୍ରଶଂସନୀୟ ଥିଲା।

ପୋଲସରାରୁ ହରିଦ୍ଵାରର ସମ୍ପର୍କକୁ ଯୋଡ଼ି ଯେଉଁ ସବୁ ଟିକିନିଖି ଖବର ପ୍ରସାରଣ କରାଯାଇ ଥିଲା ତାହା ସ୍ମରଣୀୟ। ଓଡ଼ିଶାର ବିଭିନ୍ନ ଗଣମାଧ୍ୟମ ଦେବଦୂତ ପରି ସମସ୍ତ ତଥ୍ୟ ସଂଗ୍ରହ କରିବା ସହ ଏହି ଦୁର୍ଘଟଣା ଖବର ସରକାର, ଜିଲ୍ଲା ପ୍ରଶାସନ ଓ ପରିବାରଙ୍କ ସହ ସମ୍ପର୍କ ଯୋଡ଼ି ଥିଲେ।

ଏହି ତୀର୍ଥଯାତ୍ରୀଙ୍କ ମଧ୍ୟରେ ନିଜ ମା’ ହାରାମଣି ତ୍ରୀପାଠୀଙ୍କୁ ହରେଇ ଥିଲେ ବ୍ରହ୍ମପୁର ସହର ଡାକ୍ତର ସାଗର ରଞ୍ଜନ ତ୍ରିପାଠୀ ଓ ଇଂ ମାନସ ରଞ୍ଜନ ତ୍ରିପାଠୀ। ପ୍ରତ୍ୟେକ ବର୍ଷ ତୀର୍ଥଯାତ୍ରୀଙ୍କ ପୁଣ୍ୟ ତିଥିରେ ସେମାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ସ୍ଵତନ୍ତ୍ର କାର୍ଯ୍ୟକ୍ରମ କରିଆସୁଛନ୍ତି ସ୍ଵର୍ଗତ ହାରାମଣିଙ୍କ ଦୁଇ ପୁଅ।

ଦିନ ବେଳା ମା’ଙ୍କୁ ପିଣ୍ଡଦାନ କରି ସାରିବା ପରେ ସନ୍ଧ୍ୟା ସମୟରେ ନିଜ ମା’ ହାରାମଣିଙ୍କ ସମେତ ୪୧ ଜଣ ତୀର୍ଥଯାତ୍ରୀଙ୍କ ସ୍ମୃତିରେ ଦୀପ ଦାନ କାର୍ଯ୍ୟକ୍ରମ ଆୟୋଜନ କରନ୍ତି। ମନ୍ଦିର ପରିସରରେ ଆୟୋଜିତ ଦୀପଦାନ ଶ୍ରାଦ୍ଧ କାର୍ଯ୍ୟକ୍ରମରେ ଯୋଡ଼ି ହୋଇଥାଆନ୍ତି ବ୍ରହ୍ମପୁରର ଅନେକ ବୁଦ୍ଧିଜୀବୀ ଓ ସଙ୍ଗଠନ।

ଚାହୁଁ ଚାହୁଁ ଏହାରି ମଧ୍ୟରେ ଏହି ଅଘଟଣକୁ ପୂରିବ ୧୭ ବର୍ଷ। ତଥାପି ମା’ଙ୍କୁ ହରାଇଥିବା ଡାକ୍ତର ସାଗର ରଞ୍ଜନ ତ୍ରିପାଠୀଙ୍କ ଆଖିରୁ ଆଜି ବି ଶୁଖୁନି ଲୁହ।

ସେ କୁହନ୍ତି, “ପାର୍ବଣ ଆସିଲେ ନିଜକୁ ମା’ ଛେଉଣ୍ଡ ଅନୁଭବ କରେ।। ମୋର ପିତା କବି କୃଷ୍ଣଚନ୍ଦ୍ର ତ୍ରିପାଠୀ ଆଜି ପର୍ଯ୍ୟନ୍ତ ମା’ଙ୍କ ଆକସ୍ମିକ ଭାବେ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁନାହାନ୍ତି। ସେ ଭାଙ୍ଗି ପଡ଼ିଛନ୍ତି। ମା’ଙ୍କ ସ୍ମୃତିରେ ସେ ପ୍ରତିବର୍ଷ ଗୋଟିଏ ଲେଖାଏଁ ପୁସ୍ତକ ରଚନା କରି ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ଆସୁଛନ୍ତି।”

କବି କୃଷ୍ଣଚନ୍ଦ୍ର ତ୍ରିପାଠୀଙ୍କ ଲିଖିତ ପୁସ୍ତକ ‘ଜଗତାରୁ ଜାହ୍ନବୀ’ ରେ ଦାମ୍ପତ୍ୟ ପ୍ରେମର ଅମଳିନ ସମ୍ପର୍କ ବିଷୟରେ ଉଲ୍ଲେଖ ରହିଛି। 

ଡାକ୍ତର ସାଗର ରଞ୍ଜନ ତ୍ରିପାଠୀ କୁହନ୍ତି, ପ୍ରତ୍ୟେକ ବର୍ଷ ତୀର୍ଥଯାତ୍ରୀ ପୁଣ୍ୟ ତିଥିରେ ଦୀପଦାନ କରି ଶ୍ରଦ୍ଧାଞ୍ଜଳି ଜଣାଇଲା ବେଳେ ସେଦିନର ସ୍ମୃତି ଆଖି ଆଗରେ ନାଚି ଉଠେ। ତୀର୍ଥଯାତ୍ରୀଙ୍କ ୧୭ ତମ ପୁଣ୍ୟତିଥିରେ ସେମାନଙ୍କ ସ୍ମୃତିରେ ଦୀପଦାନ ଓ ଶ୍ରାଦ୍ଧ ହେଉଛି ନାରାୟଣଙ୍କ ସେବା।

ଶନିବାର ଦିନ ତୀର୍ଥଯାତ୍ରୀଙ୍କ ସ୍ମୃତି ଉଦ୍ଦେଶ୍ୟରେ ପଞ୍ଚମୁଖୀ ହନୁମାନ ମନ୍ଦିର ପରିସରରେ ଆୟୋଜିତ ଦୀପଦାନ କାର୍ଯ୍ୟକ୍ରମରେ ସାହିତ୍ୟିକ, କବି, ଲେଖକ, ବୁଦ୍ଧିଜୀବୀ ଏବଂ ଡାକ୍ତର ପ୍ରମୁଖ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।

ଡାକ୍ତର ସାଗର ରଞ୍ଜନ ତ୍ରିପାଠୀଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମ ପ୍ରାରମ୍ଭରେ ଉଦୀୟମାନ ଶିଶୁ ପ୍ରତିଭା ବିଭୁଦତ୍ତ ତ୍ରିପାଠୀ ଭଗବତ ଗୀତା ପାଠ କରିଥିଲେ। ଏହା ପରେ କବି ହୃଷିକେଶ ଦାସ, ଡାକ୍ତର ନଳିନୀ ମହାନ୍ତି, ପଣ୍ତିତ ଚନ୍ଦ୍ର ଶେଖର ମହାପାତ୍ର, ପଣ୍ଡିତ ଚନ୍ଦ୍ରମଣି ଦାସ, ବାଣୀ ରୋଶନ ତ୍ରିପାଠୀ, କବି କୃଷ୍ଣ ଚନ୍ଦ୍ର ତ୍ରିପାଠୀ, ପଣ୍ତିତ ଚନ୍ଦନ ଦାସ ପ୍ରମୁଖ ସ୍ଵର୍ଗତ ତୀର୍ଥଯାତ୍ରୀଙ୍କ ସ୍ମୃତି ଚାରଣ କରି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।

Tags: #UttarakhandBusTragedy #Pilgrim #Tribute #Ganjam #Odisha

LEAVE A REPLY

Please enter your comment!
Please enter your name here