ଓଡ଼ିଶାଲାଇଭ୍ ବ୍ୟୁରୋ

ହରିୟାଣା ବିଧାନସଭା ନିର୍ବାଚନର ଫଳାଫଳ ଆସିଯାଇଛି। ଭରତୀୟ ଜନତା ପାର୍ଟି ଏଠାରେ ହାଟ୍ରିକ୍ ବିଜୟ ଲାଭ କରିଛି। ହରିୟାଣାରେ ବିଜେପି ୪୮ଟି ଆସନ ଜିତି ତୃତୀୟ ଥର ପାଇଁ ସରକାର ଗଢ଼ିବାକୁ ଯାଉଛି। କଂଗ୍ରେସକୁ ୩୭ଟି ସିଟରେ ସନ୍ତୁଷ୍ଟ ରହିବାକୁ ପଡ଼ିଛି। ଏହାସହ ଆଇଏନଏଲଡିକୁ ୨ ସିଟ ମିଳିଥିବାବେଳେ ୩ଟି ଆସନରେ ସ୍ଵାଧୀନ ପ୍ରାର୍ଥୀ ବିଜୟୀ ହୋଇଛନ୍ତି।   

ହରିୟାଣା ନିର୍ବାଚନ ପାଇଁ ଏଗଜିଟ ପୋଲ ସାମ୍ନାକୁ ଆସିବା ପରେ କିଛିଟା ହତାଶା ଭାବ ଖେଳି ଯାଇଥିଲା ବିଜେପି ଶିବିରରେ। ହେଲେ ଆଜି ଭୋଟ ଗଣତି ପରେ ଦୃଶ୍ୟପଟ୍ଟ ପୁରା ଓଲଟି ଯାଇଥିଲା।

ପଲଟିଗଲା ବାଜି

ମଙ୍ଗଳବାର ସକାଳୁ ସକାଳୁ ଭୋଟ ଗଣତି ଆରମ୍ଭ ହେବା ପରେ ବିଜେପିକୁ ଝଟକା ଲାଗିଥିଲା। କାରଣ କଂଗ୍ରେସ ଯଥେଷ୍ଟ ଆଗରେ ଥିଲା। ସକାଳ ପ୍ରାୟ ୯ଟା ବେଳକୁ କଂଗ୍ରେସ ବହୁମତ ପାର୍ କରିସାରିଥିଲା। ହେଲେ ୯ଟା ବେଳକୁ ବଦଳି ଯାଇଥିଲା ବାଜି। ଧୀରେ ଧୀରେ ବିଜେପି-କଂଗ୍ରେସ ମଧ୍ୟରେ ସିଟ୍ ବ୍ୟବଧାନ କମିବାରେ ଲାଗିଲା। ପୂର୍ବାହ୍ନ ୧୧ଟା ବେଳକୁ କଂଗ୍ରେସକୁ ପଛରେ ପକାଇ ବିଜେପି ମ୍ୟାଜିକ ନମ୍ବର ପାଖରେ ପହଞ୍ଚି ସାରିଥିଲା।

ବିଜେପି ପଟକୁ ଢଳିଲେ ସହରାଞ୍ଚଳ ଓ ଗ୍ରାମାଞ୍ଚଳ ଭୋଟର

ସମସ୍ତଙ୍କ ମନରେ ପ୍ରଶ୍ନ ଯେ ହରିୟାଣାରେ କଂଗ୍ରେସ ପଲା ଭାରି ଥିବାବେଳେ ସବୁ ଅଙ୍କ କେମିତି ଓଲଟପାଲଟ ହୋଇଗଲା? ନିର୍ବାଚନ ଫଳାଫଳ ଚିତ୍ରକୁ ଦେଖି ଯାହା ଜଣାଯାଉଛି ସହରାଞ୍ଚଳ ଓ ଗ୍ରାମାଞ୍ଚଳ ଭୋଟର ବିଜେପି ଆଡ଼କୁ ଢଳଛନ୍ତି।

ହରିୟାଣାର ୩୦ଟି ସହରାଞ୍ଚଳ ଆସନରୁ ବିଜେପି ୨୧ଟିରେ ଜିତିଛି। ଏଥିସହିତ ୭୦ ପ୍ରତିଶତ ସହରୀ ଭୋଟ ବିଜେପି ସହ ଥିବା ଜଣାପଡ଼ିଛି। ସେହିପରି କଂଗ୍ରେସ ହାତକୁ ମାତ୍ର ୭ଟି ସହରାଞ୍ଚଳ ଆସନ ଯାଇଛି।

ସେହିପରି ଗ୍ରାମୀଣ ଆସନ କଥା ଦେଖିଲେ ବିଜେପି ପାଖାପାଖି ୨୮ଟି ଆସନ ହାତେଇଛି। ଗତ ନିର୍ବାଚନରେ ବିଜେପି ହାତରେ ମାତ୍ର ୧୯ଟି ଗ୍ରାମାଞ୍ଚଳ ଆସନ ରହିଥିଲା। ଏଥର ଗ୍ରାମାଞ୍ଚଳରେ ଦଳ ଭଲ ପ୍ରଦର୍ଶନ କରିଛି।

ସବୁ ଭୋଟରଙ୍କ ମନକୁ ଛୁଇଁ ପାରିଲାନି କଂଗ୍ରେସ

ହରିୟାଣାରେ କଂଗ୍ରେସ ଚାଷୀ, ଯୁବ ବର୍ଗ, ସେନା ଯବାନ ଏବଂ କୁସ୍ତିଯୋଦ୍ଧାଙ୍କୁ ନେଇ ନିଜ ରଣନୀତି ପ୍ରସ୍ତୁତ କରିଥିଲା। ବିଶେଷକରି ଚାଷୀଙ୍କ ପ୍ରସଙ୍ଗକୁ ନେଇ ବିଜେପିକୁ ଘେରୁଥିଲା କଂଗ୍ରେସ। ଏପରିକି ନିର୍ବାଚନ ଜିତିଲେ ହରିୟାଣା ଶମ୍ଭୁ ସୀମାରେ ବସିଥିବା ଚାଷୀଙ୍କ ପାଇଁ ଦିଲ୍ଲୀ ଯିବାଲାଗି ବାଟ ଖୋଲିଦେବ ବୋଲି କଂଗ୍ରେସ ପ୍ରତିଶ୍ରୁତି ମଧ୍ୟ ଦେଇଥିଲା।

ସେହିପରି ସେନାର ୧୦ ପ୍ରତିଶତ ଯବାନ ହରୟାଣାରୁ ଆସିଥାନ୍ତି। କଂଗ୍ରେସ ଅଗ୍ନିବୀର ଯୋଜନାକୁ ନେଇ ବିଜେପି ଉପରେ ବର୍ଷିଥିଲା। ଏହା ଯବାନମାନଙ୍କ ପାଇଁ ସବୁଠାରୁ ବଡ଼ ଧୋକା ବୋଲି କହି ସେମାନଙ୍କ ପରିବାରର ଭୋଟ ହାତେଇବାକୁ ଚାହିଁଥିଲା ଦଳ।

ତେବେ ନିର୍ବାଚନରେ କଂଗ୍ରେସର ସବୁ ଅଙ୍କ ଭୁଲ ହୋଇଗଲା। ହରିୟାଣାର ଚାଷୀ ତଥା ଯୁବ ବର୍ଗ ବିଜେପକୁ ସମର୍ଥନ ଦେଇଛନ୍ତି ବୋଲି ରାଜନୈତିକ ବିଶେଷଜ୍ଞମାନେ ମତ ଦେଇଛନ୍ତି।

ହରିୟାଣାରେ ବିଜେପିର ବିଜୟ ପରେ ପ୍ରତିକ୍ରିୟା ରଖିଛି କଂଗ୍ରେସ। ଦଳର ସାଂସଦ କୁମାରୀ ଶୈଳଜାଙ୍କ କହିବା ଅନୁସାରେ, “ଏତେ ସବୁ କରିବା ପରେ ବି ଯଦି ବିଜେପି ଜିତୁଛି ତେବେ କଂଗ୍ରେସର ରଣନୀତି କିପରି ଅଛି ତାହା ଆମକୁ ଅନୁଧ୍ୟାନ କରିବାର ଆବଶ୍ୟକତା ରହିଛି। ସେମାନେ କେଉଁ ପ୍ରସଙ୍ଗ ଉଠାଇଥିଲେ ଆଉ ଆମେ କେଉଁ ପ୍ରସଙ୍ଗ ଉଠାଇଥିଲୁ ତାହାର ବିଚାର କରିବୁ। ଏହି ପରାଜୟର ସମୀକ୍ଷା କରାଯିବ।” 

ବିଜେପି ପାଇଁ କାମ ଦେଲା ନେତା ବଦଳ ରଣନୀତି

ଉତ୍ତରାଖଣ୍ଡ, ତ୍ରିପୁରା, ଗୁଜୁରାଟ ଭଳି ନେତା ବଦଳ ରଣନୀତି ହରିୟାଣାରେ ବିଜେପିକୁ ବିଜୟୀ କରିବାରେ ସହାୟକ ହୋଇଛି ବୋଲି କୁହାଯାଉଛି। ଉତ୍ତରାଖଣ୍ଡରେ ନିର୍ବାଚନର ୬ ମାସ ପୂର୍ବରୁ ବିଜେପି ଏଠାରେ ମୁଖ୍ୟମନ୍ତ୍ରୀ ତିରଥ ସିଂହ ରାୱତଙ୍କୁ ହଟାଇ ତାଙ୍କ ସ୍ଥାନରେ ପୁଷ୍କର ସିଂହ ଧାମୀଙ୍କ ପରି ଯୁବନେତାଙ୍କ ହାତରେ ଦେଇଥିଲା କମାଣ। ଫଳରେ ଦଳ ୭୦ରୁ ୪୭ ଆସନ ଜିତି ଏଠାରେ ଦ୍ଵିତୀୟ ଥର ପାଇଁ କ୍ଷମତାକୁ ଆସିଥିଲା।

ସେହିପରି ଗୁଜରାଟରେ ୨୦୧୭ ଓ ୨୦୨୨ ନିର୍ବାଚନରେ ୨ଥର ଯାକ ନିର୍ବାଚନ ପୂର୍ବରୁ ବିଜେପି ମୁଖ୍ୟମନ୍ତ୍ରୀ ବଦଳାଇଥିଲା। ୨୦୧୭ରେ ଆନନ୍ଦୀବେନ ପଟେଲଙ୍କୁ ହଟାଇ ବିଜୟ ରୂପାଣୀ ଏବଂ ୨୦୨୨ରେ ବିଜୟ ରୂପାଣୀଙ୍କୁ ହଟାଇ ଭୂପେନ୍ଦ୍ର ସିଂହ ପଟେଲଙ୍କୁ ମୁଖ୍ୟମନ୍ତ୍ରୀ କରିଥିଲା ଦଳ। ଏଠାରେ ୨ ଥର ଯାକ ବିଜେପି ଜିତିଥିଲା।

୨୦୨୩ରେ ତ୍ରିପୁରାରେ ନିର୍ବାଚନ ପୂର୍ବରୁ ବିଜେପି ମୁଖ୍ୟମନ୍ତ୍ରୀ ବିପ୍ଳବ କୁମାର ଦେବଙ୍କୁ ହଟାଇ ମାଣିକ ସାହାଙ୍କୁ ଦାୟିତ୍ୱ ଦେଇଥିଲା। ଏଠାରେ ନିର୍ବାଚନରେ ବିଜୟୀ ମଧ୍ୟ ହୋଇଥିଲା।

ତେବେ ହରିୟାଣାରେ ବିଜେପି ପାଇଁ ନେତା ବଦଳ ରଣନୀତି ପୁଣି କାମ ଦେଲା। ଚଳିତବର୍ଷ ବିଧାନସଭା ନିର୍ବାଚନର ବହୁତ ପୂର୍ବରୁ ଭାରତୀୟ ଜନତା ପାର୍ଟି ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟରଙ୍କୁ ହଟାଇ ଥିଲା। ଲୋକସଭା ନିର୍ବାଚନରେ ତାଙ୍କୁ କେନ୍ଦ୍ର ରାଜନୀତିକୁ ଆଣି ତାଙ୍କ ସ୍ଥାନରେ ନାୟବ ସିଂହ ସୈନୀଙ୍କୁ ମୁଖ୍ୟମନ୍ତ୍ରୀ କଲା ଦଳ।

୨୦୨୪ ମାର୍ଚ୍ଚ ୧୨ ତାରିଖରେ ନାୟବ ସିଂହ ସୈନୀ ହରିୟାଣାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। ଆଉ ତା’ର ପରିଣାମ ଆଜି ସାମ୍ନାକୁ ଆସିଛି ବୋଲି ରାଜନୈତିକ ବିଶେଷଜ୍ଞମାନେ କହିଛନ୍ତି।

Tags: #Haryana #Results #AssemblyElections #BJP #Congress #Politics

LEAVE A REPLY

Please enter your comment!
Please enter your name here