ଓଡ଼ିଶାଲାଇଭ୍ ବ୍ୟୁରୋ

ବଢ଼ୁଛି ବିଜେଡି କନ୍ଦଳ। ୨୦୨୪ ସାଧାରଣ ନିର୍ବାଚନରେ ବିଜେଡିର ପରାଜୟ ପରେ ଦଳୀୟ ନେତାଙ୍କ ମଧ୍ୟରେ ଅସନ୍ତୋଷ ସୀମା ଟପିବାକୁ ଲାଗିଛି। ଆଜି ଏମିତି କିଛି ଦେଖିବାକୁ ମିଳିଛି। ବରିଷ୍ଠ ନେତା ଅମର ପ୍ରସାଦ ଶତପଥୀଙ୍କ ଏକ ବୟନକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ବିଜେଡି ମୁଖପାତ୍ର ଲେନିନ ମହାନ୍ତି।

ଲେନିନ କହିଛନ୍ତି, “ବିଜେଡିର ନିନ୍ଦା କରୁଥିବା ବ୍ୟକ୍ତି ଦଳ ରହିବା ଉଚିତ ନୁହେଁ। ଯେଉଁମାନଙ୍କୁ ଦଳ ଭିତରେ ଅଣନିଶ୍ଵାସୀ ଲାଗୁଛି ସେମାନେ ଦଳ ଛାଡ଼ି ଚାଲିଯିବା ଭଲ ହେବ। ସେମାନେ ଦଳ ଛାଡ଼ିଲେ, ଦଳର ଟଙ୍କାଟିଏକର ବି କ୍ଷତି ହେବ ନାହିଁ।”

ସେ ଆହୁରି କହିଛନ୍ତି, ଯେଉଁମାନେ ଦଳ ଡେଇଁଛନ୍ତି, ସେମାନେ ପୂର୍ବରୁ ବିଜେପି ସମ୍ପର୍କରେ ରହିଥିଲେ। ଯେଉଁମାନେ ବିଜେଡି ଛାଡ଼ି ବିଜେପିକୁ ଯାଇଛନ୍ତି, ସେମାନେ କ’ଣ ପାଇଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ଲେନିନ।

କେବଳ ସେତିକି ନୁହେଁ, ଯେଉଁମାନେ ଦଳ ଛାଡ଼ିବାକୁ ଚାହୁଁଛନ୍ତି, ଚାଲିଗଲେ ବିଜେଡି ଆହୁରି ସୁଦୃଢ଼ ହେବ ବୋଲି ଲେନିନ ମହାନ୍ତି କହିଛନ୍ତି।

ଲେନିନ ମହାନ୍ତିଙ୍କ ମନ୍ତବ୍ୟ ପରେ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ ନେତା ଅମର ପ୍ରସାଦ ଶତପଥୀ। ସେ କହିଛନ୍ତି, “ମୁଁ ବିଜେଡିରେ ନାହିଁ, ଏବେ ମୁଁ ସ୍ଵାଧୀନ। କିଛି ଦିନ ହେଲା ମୁଁ ସକ୍ରିୟ ରାଜନୀତିରେ ମୁଁ ନାହିଁ। ବିଜେଡିର ସଭ୍ୟ ସଂଗ୍ରହ ଅଭିଯାନରେ ମୁଁ ମୋ ସଭ୍ୟପଦ ନବୀକରଣ କରିନାହିଁ।”  

ଅମର ଶତପଥୀ ନିଜ ପୁତୁରାଙ୍କୁ ବିଜେପିରେ ମିଶାଇଥିବା ନେଇ ଲେନିନ ମହାନ୍ତି ଯେଉଁ ଅଭିଯୋଗ ଆଣିଛନ୍ତି, ତାକୁ ସେ ଖଣ୍ଡନ କରିଛନ୍ତି।

ଅମର ଶତପଥୀ କହିଛନ୍ତି, “ମୋର କେହି ପୁତୁରା ବିଜେପିକୁ ଯାଇନାହାନ୍ତି। ଯଦି ଅଭିଯୋଗ ଆଣୁଛନ୍ତିୁ ନାଁ କହିଲେ ଭଲ ହୁଅନ୍ତା। ବିଜେପି ତଥା ଅନ୍ୟାନ୍ୟ ଦଳ ମୋ ସହ ଯୋଗାଯୋଗରେ ଅଛନ୍ତି। ମୁଁ କେଉଁ ଦଳକୁ ଯିବି ନଯିବି ତାକୁ ନେଇ କାହାର ପରାମର୍ଶର ଆବଶ୍ୟକତା ନାହିଁ। ବିଜେଡି ପାଇଁ ମୁଁ କ’ଣ କରିଛି ତାହା ରାଜ୍ୟବାସୀ କହିବେ। ଲେନିନଙ୍କ ଅରିପକ୍ଵତା ପ୍ରତି ମୋର ଦୟା ଆସୁଛି।”

ଦୁଇଦିନ ତଳେ ଅମର ଶତପଥୀ ବିଜେଡିର ପରାଜୟ ପାଇଁ ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ ଦାୟୀ କରିଥିଲେ। ସେ କହିଥିଲେ ଯଦି ନିର୍ବାଚନ ଜିତିବାର ଶ୍ରେୟ ନବୀନ ପଟ୍ଟନାୟକ ନେଉଥିଲେ, ତେବେ ପରାଜୟର ଦାୟିତ୍ଵ ମଧ୍ୟ ସେ ମୁଣ୍ଡାଇବା କଥା।

ଅମର ଶତପଥୀଙ୍କ ଏହି ବୟାନକୁ ନେଇ ବିଜେଡି ଶିବିରରେ ଝଡ଼ ଉଠିଛି। ଏହି ଝଡ଼ କେବେ ଥମିବ ତା’ ଉପରେ ରହିଛି ସମସ୍ତଙ୍କ ନଜର।

Tags: #Politics #OdishaPolitics #BJD #Controversy #InternalConflict #Odisha

LEAVE A REPLY

Please enter your comment!
Please enter your name here