ଓଡ଼ିଶାଲାଇଭ୍ ବ୍ୟୁରୋ
କେରଳର ୱାୟନାଡ ଲୋକସଭା ଆସନରେ ଉପନିର୍ବାଚନ ପାଇଁ ବିଗୁଲ୍ ବାଜିଛି। ଉପନିର୍ବାଚନ ତାରିଖ ସ୍ପଷ୍ଟ ହେବା ପରେ କଂଗ୍ରେସ ପକ୍ଷରୁ ଏକ ବଡ଼ ଘୋଷଣା କରାଯାଇଛି। ଦଳର ବରିଷ୍ଠ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ୱାଡ୍ରା ପ୍ରଥମ ଥର ପାଇଁ ୱାୟନାଡରୁ ନିର୍ବାଚନୀ ମୈଦାନକୁ ଓହ୍ଲାଇବେ। ରାହୁଲ ଗାନ୍ଧୀଙ୍କ ଇସ୍ତଫା ପରେ ଏହି ଆସନ ଖାଲି ପଡ଼ିଛି।
୨୦୨୪ ଲୋକସଭା ନିର୍ବାଚନରେ ୱାୟନାଡ ସହ ରାଏବରେଲି ଆସନରୁ ରାହୁଲ ଗାନ୍ଧୀ ନିର୍ବାଚନ ଲଢ଼ି ଜିତିଥିଲେ। ତେବେ ସେ ନିଜ ପାରିବାରିକ ଆସନ ରାଏବରେଲିକୁ ନିଜ ପାଖରେ ରଖି ୱାୟନାଡରୁ ଇସ୍ତଫା ଦେଇଥିଲେ। ଏହି ଆସନରେ ପ୍ରିୟଙ୍କା ଲଢିବେ ବୋଲି ଜୁନ ମାସରୁ ଚର୍ଚ୍ଚା ଚାଲିଥିଲା। ପ୍ରିୟଙ୍କା ନିର୍ବାଚନ ପ୍ରଥମ ଥର ପାଇଁ ନିର୍ବାଚନ ଲଢୁଥିଲେ ମଧ୍ୟ ରାଜନୀତିରେ ଦୀର୍ଘଦିନ ଧରି ସକ୍ରିୟ ଅଛନ୍ତି।
ରାଜନୀତିରେ ପ୍ରଥମ ପାଦ
ପ୍ରିୟଙ୍କା ଗାନ୍ଧୀ ୧୯୯୯ରେ ରାଜନୀତିରେ ପାଦ ରଖିଥିଲେ। ସେତେବେଳେ ସେ ମା’ ସୋନିଆଙ୍କ ସହ ନିର୍ବାଚନ ପ୍ରଚାର ପାଇଁ ଯାଉଥିଲେ। ସେ ପ୍ରଥମ ଥର ପାଇଁ ବିଜେପି ପ୍ରାର୍ଥୀ ଅରୁଣ ନେହେରୁଙ୍କ ବିରୋଧରେ ପ୍ରଚାର କରିଥିଲେ। ଇତିମଧ୍ୟରେ ୨୫ ବର୍ଷ ବିତି ଯାଇଛି। କଂଗ୍ରେସ ନେତାମାନେ ଇନ୍ଦିରା ଆଉ ସୋନିଆଙ୍କ ପରେ ପ୍ରିୟଙ୍କାଙ୍କୁ ତାଙ୍କ ସ୍ଥାନରେ ଦେଖିବାକୁ ଚାହୁଁଥିଲେ ହେଁ କେବେ ବି ପ୍ରିୟଙ୍କା ନିର୍ବାଚନ ଲଢ଼ିବା ପାଇଁ ଆଗେଇ ଆସି ନଥିଲେ।
ଦଳର ଅନେକ ଗୁରୁତ୍ୱପୂର୍ଣ୍ଣ ପଦବୀ ସମ୍ଭାଳିଛନ୍ତି
ପ୍ରିୟଙ୍କା ଗାନ୍ଧୀ ରାଜନୈତିକ ଗୋଟି ଚାଳନାରେ ବେଶ୍ ମାହିର। ୨୦୧୭ ମସିହାରେ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ କଂଗ୍ରେସ ଏବଂ ସମାଜବାଦୀ ପାର୍ଟି ମେଣ୍ଟ ଏବଂ ଆସନ ଭାଗବଣ୍ଟାରେ ପ୍ରିୟଙ୍କା ଗାନ୍ଧୀ ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରିଥିଲେ। ୨୦୧୯ରେ ପ୍ରିୟଙ୍କା ପୂର୍ବ ଉତ୍ତର ପ୍ରଦେଶରେ କଂଗ୍ରେସର ମହାସଚିବ ପଦରେ ଅବସ୍ଥାପିତ ହୋଇଥିଲେ।
୨୦୨୦ରେ ଜ୍ୟୋତିରାଦିତ୍ୟ ସିନ୍ଧିଆ କଂଗ୍ରେସ ଛାଢ଼ିବା ପରେ ପ୍ରିୟଙ୍କାଙ୍କୁ ସମଗ୍ର ଉତ୍ତରପ୍ରଦେଶର ପ୍ରଭାରୀ ଭାବେ ନିଯୁକ୍ତ କରାଯାଇଥିଲା। ୨୦୨୩ରେ ଦଳରେ ସାଂଗଠନିକ ଅଦଳବଦଳ ସମୟରେ ତାଙ୍କ ପାଖରୁ ଉତ୍ତରପ୍ରଦେଶର ପ୍ରଭାରୀ ପଦରୁ ହଟାଇ ଦିଆଗଲା, ହେଲେ ସେ ଦଳର ମହାସଚିବ ପଦରେ ରହିଥିଲେ।
କାହିଁକି ୱାଇନାଡକୁ ବାଛିଲେ ପ୍ରିୟଙ୍କା
ଦକ୍ଷିଣ ଭାରତରେ ବିଶେଷ କରି କେରଳରେ କଂଗ୍ରସ ନିଜ ସ୍ଥିତି ମଜବୁତ ରଖିବାକୁ ଚାହୁଁଛି। କର୍ଣ୍ଣାଟକ ଏବଂ ତେଲେଙ୍ଗାନାରେ ଏବେ କଂଗ୍ରେସର ସରକାର ରହିଛି। ଡିଏମକେ ସହ ମିଶି ତାମିଲନାଡୁରେ ମଧ୍ୟ କ୍ଷମତାରେ ଅଛି ଦଳ।
ଉତ୍ତର ଭାରତରେ ବିଜେପିର ସ୍ଥିତି ମଜବୁତ ଥିବାବେଳେ କଂଗ୍ରେସ ଦକ୍ଷିଣରେ ନିଜର ସ୍ଥିତିକୁ ମଜବୁତ କରିବାକୁ ଚାହୁଁଛି। ଏଥିଲାଗି ଦଳ ୱାୟନାଡରେ ପ୍ରିୟଙ୍କାଙ୍କୁ ପ୍ରାର୍ଥୀ କରିଛି ବୋଲି ରାଜନୈତିକ ବିଶେଷଜ୍ଞମାନେ ମତ ଦେଇଛନ୍ତି।
ଗାନ୍ଧୀ ପରିବାର ୩ ସଦସ୍ୟ ସଂସଦରେ ବସିବେ!
ୱାୟନାଡ ଆସନ କଂଗ୍ରେସ ପାଇଁ ଏକ ସୁରକ୍ଷିତ ଆସନ ବୋଲି କୁହାଯାଏ। ଏହି ଉପନିର୍ବାଚନରେ କଂଗ୍ରେସ ଜିତିଲେ ଏକ ରେକର୍ଡ ସୃଷ୍ଟି ହେବ। ଏହା ହେଉଛି ଗାନ୍ଧୀ ପରିବାରର ୩ ଜଣ ସଦସ୍ୟ ଏକା ସାଙ୍ଗରେ ସଂସଦରେ ବସିବେ। ରାହୁଲ ଓ ପ୍ରିୟଙ୍କା ଗାନ୍ଧୀ ଲୋକସଭାରେ ଏବଂ ସୋନିଆ ଗାନ୍ଧୀଙ୍କୁ ରାଜ୍ୟସଭାରେ ଦେଖିବାକୁ ମିଳିବ।
କେରଳରେ ୱାୟନାଡ ଲୋକସଭା ଆସନ ସମେତ ୨ଟି ବିଧାନସଭା ଆସନରେ ଉପନିର୍ବାଚନ ହେବ। ଏହି ଆସନଗୁଡ଼ିକରେ ନଭେମ୍ବର ୧୩ ତାରିଖରେ ଭୋଟ୍ ଗ୍ରହଣ କରାଯିବ। ଏଥିପାଇଁ ଅକ୍ଟୋବର ୧୮ ତାରିଖରେ ବିଜ୍ଞପ୍ତି ଜାରି ହେବ। ଅକ୍ଟୋବର ୨୫ ପ୍ରାର୍ଥିପତ୍ର ଦାଖଲର ଶେଷ ଦିନ ରହିଛି। ସେହିପରି ନଭେମ୍ବର ୨୩ ତାରିଖରେ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବ।
Tags: #WayanadByelections #PriyankaGandhi #Congress #Loksabha #Kerela