ଓଡ଼ିଶାଲାଇଭ୍ ବ୍ୟୁରୋ

ମୁଣ୍ଡ ଗୁଞ୍ଜିବାକୁ ଜାଗା ମିଳୁନଥିବାରୁ ପୁରୀରେ ହନ୍ତସନ୍ତ ହେଉଛନ୍ତି ହବିଷ୍ୟାଳି। ହବିଷ୍ୟାଳି ଯୋଜନାରେ ପଞ୍ଜୀକରଣ କରିନଥିବା କାର୍ତ୍ତିକ ବ୍ରତଧାରୀଙ୍କୁ ରହିବାକୁ ଅନୁମତି ମିଳୁନାହିଁ। ଫଳରେ ଏହି ହବିଷ୍ୟାଳି ମା’ମାନେ ପୁରୀ ବୃନ୍ଦାବତୀ ନିବାସ ଆଗରେ ଧାରଣାରେ ବସିଛନ୍ତି।

କାର୍ତ୍ତିକ ମାସରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଶ୍ରୀକ୍ଷେତ୍ର ପୁରୀକୁ ଆସିଥାନ୍ତି ହବିଷ୍ୟାଳି। ହବିଷ୍ୟାଳି ଯୋଜନାରେ ହବିଷ୍ୟାଳି ମା’ମାନଙ୍କ ରହିବା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି। ଚଳିତ ବର୍ଷ ଏହି ଯୋଜନାର ଲାଭ ଉଠାଇବା ପାଇଁ ଅକ୍ଟୋବର ୬ରୁ ୧୧ ତାରିଖ ତାରିଖରୁ ଅନଲାଇନ ଆବେଦନ କରାଯାଇଥିଲା।

ଚଳିତ ବର୍ଷ ହବିଷ୍ୟାଳି ମା’ମାନଙ୍କ ପାଇଁ ପୁରୀର ୪ଟି ସ୍ଥାନରେ ବ୍ୟବସ୍ଥା ହୋଇଛି। କିନ୍ତୁ ଯେଉଁମାନେ ଚଳିତ ଥର ଅନଲାଇନ ମାଧ୍ୟମରେ ଆବେଦନ କରିନାହାନ୍ତି ସେମାନଙ୍କୁ ସମ୍ପୃକ୍ତ ସ୍ଥାନରେ ରହିବା ପାଇଁ ଅନୁମତି ମିଳୁନାହିଁ।

ଫଳରେ ପୁରୀରେ ରହିବାକୁ ଜିଦ୍ ଧରିଛନ୍ତି ପଞ୍ଜୀକରଣ କରିନଥିବା ହବିଷ୍ୟାଳି ମା’ମାନେ। ସେମାନଙ୍କ ରହିବା ଲାଗି ବ୍ୟବସ୍ଥା କରାନଯିବା ପର୍ଯ୍ୟନ୍ତ ଆନ୍ଦୋଳନରୁ ହଟିବେ ନାହିଁ ବୋଲି ହବିଷ୍ୟାଳିମାନେ ନିଜ ଜିଦରେ ଅଡ଼ି ବସିଛନ୍ତି।

ଖବର ପାଇ ପୁରୀ ଅତିରିକ୍ତ ଜିଲ୍ଲାପାଳ ଓ ଉପଜିଲ୍ଲପାଳ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନରେ ବସିଥିବା ହବିଷ୍ୟାଳି ମା’ମାନଙ୍କୁ ବୁଝାସୁଝା କରିଛନ୍ତି। ପଞ୍ଜୀକରଣ କରିଥିବା ହବିଷ୍ୟାଳିମାନଙ୍କ ରହିବା ବ୍ୟବସ୍ଥା କରାଯିବା ପରେ ସ୍ଥାନ ଫାଙ୍କା ରହିଲେ ପଞ୍ଜୀକୃତ କରିନଥିବା ହବିଷ୍ୟାଳିମାନଙ୍କ ଲାଗି ବ୍ୟବସ୍ଥା କରାଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।

ଏହି ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଆଇନ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ। ସେ କହିଛନ୍ତି, ହବିଷ୍ୟାଳି ଯୋଜନାରେ ଆବେଦନ କରିବା ପାଇଁ ନିର୍ଦ୍ଦିଷ୍ଟ ସମୟ ସୀମା ଥିଲା, ସେହି ସମୟ ମଧ୍ୟରେ  ପଞ୍ଜୀକରଣ କରିଥିଲେ ଭଲ ହେଇଥାନ୍ତା। ଯେଉଁମାନେ ଚଳିତ ବର୍ଷ ପଞ୍ଜୀକରଣ କରିନାହାନ୍ତି, ଆସନ୍ତା ବର୍ଷକୁ ପଞ୍ଜୀକରଣ କରି ସମସ୍ତ ସରକାରୀ ସବୁଧା ପାଇପାରିବେ।

Tags: #Puri #ShreeMandir #Habisyaliyojana #OnlineRegistration #Habisyali #ShreeJagannathTemple

Comment