ଓଡ଼ିଶାଲାଇଭ୍ ବ୍ୟୁରୋ

ଅକ୍ଟୋବର ୨୪ ତାରିଖରେ ପୁରୀ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିବେ। ରାଷ୍ଟ୍ରପତିଙ୍କ ଗସ୍ତ ସମୟରେ ଶ୍ରୀମନ୍ଦିରରେ ୩ ଘଣ୍ଟା ପାଇଁ ସାଧାରଣ ଦର୍ଶନ ବନ୍ଦ ରହିବ। ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅକ୍ଟୋବର ୨୪ ତାରିଖ ଦିନ ୧୨ଟା ସମୟରେ ମୟୂରଭଞ୍ଜରୁ ଆସି ପୁରୀରେ ପହଞ୍ଚିବେ। ସେ ଦିନ ୧୨ଟା ୩୦ରୁ ଦିନ ୧ଟା ୧୫ ମଧ୍ୟରେ ମହାପ୍ରଭୁଙ୍କ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ଏଥିପାଇଁ ଦିନ ୧୧ଟାଠାରୁ ସାଧାରଣ ଲୋକଙ୍କୁ ଦର୍ଶନ ପାଇଁ ଶ୍ରୀମନ୍ଦିର ଭିତରକୁ ପ୍ରବେଶ ଅନୁମତି ଦିଆଯିବ ନାହିଁ।

ରାଷ୍ଟ୍ରପତି ମହାପ୍ରଭୁଙ୍କ ଦର୍ଶନ କରି ଫେରିବା ପରେ ଶ୍ରୀମନ୍ଦିରରେ ଦୈନଦିନ ନୀତିମାନ କରାଯିବା ସହ ସର୍ବସାଧାରଣ ଦର୍ଶନ ଆରମ୍ଭ ହେବ।

ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ପୋଲିସ ବିଭାଗ ତତ୍ପରତା ଦେଖେଇଛି। ସୁରକ୍ଷା ଦୃଷ୍ଟିରୁ ପୋଲିସ ଅଧିକାରୀମାନେ ମୟୂରଭଞ୍ଜ ଓ ପୁରୀରେ ସ୍ଥିତି ଅନୁଧ୍ୟାନ କରିବା ସହ ପ୍ରସ୍ତୁତି ବୈଠକ କରୁଛନ୍ତି।

ଅକ୍ଟୋବର ୨୩ ତାରିଖରେ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସେ ମୟୂରଭଞ୍ଜରେ ପହଞ୍ଚି ୩ଟି ନୂଆ ରେଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ। ଏହାପରେ ୨୪ ତାରିଖରେ ପୁରୀ ଗସ୍ତ ସାରି ଦିଲ୍ଲୀ ଫେରିଯିବେ।

Tags: #PresidentofIndia #DroupadiMurmu #OdishaVisit #SriMandir #Puri #Mayurbhanj

LEAVE A REPLY

Please enter your comment!
Please enter your name here