ଓଡ଼ିଶାଲାଇଭ୍ ବ୍ୟୁରୋ
ଶ୍ରୀମନ୍ଦିରର ବରିଷ୍ଠ ସୁପରଭାଇଜର ବକ୍ସି ରାମଚନ୍ଦ୍ର ପ୍ରତିହାରୀଙ୍କ ଉପରେ ଆକ୍ରମଣ ହୋଇଛି। ଏହି ଘଟଣାରେ ସମ୍ପୃକ୍ତି ଥିବା ଅଭିଯୋଗରେ ପନ୍ତିବଡୁ ସେବକ ଚନ୍ଦନ ସାମନ୍ତରାୟଙ୍କୁ ନିଲମ୍ବିତ କରାଯାଇଛି। ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ କୁମାର ପାଢ଼ୀ ଚନ୍ଦନଙ୍କୁ ନିଲମ୍ବିତ କରିଛନ୍ତି।
ଶ୍ରୀମନ୍ଦିର ଆଇନ ଆଧାରରେ ଚନ୍ଦନ ସାମନ୍ତରାୟଙ୍କୁ ମହାପ୍ରଭୁଙ୍କ ସେବା ପୂଜାରୁ ନିଲମ୍ବନ କରାଯାଇଛି। ଶ୍ରୀମନ୍ଦିର ପରିସର କିମ୍ବା ରୋଷ ଘରେ ତାଙ୍କ ପ୍ରବେଶ ନିଷିଦ୍ଧ ହୋଇଛି।
ଶୁକ୍ରବାର ଶ୍ରୀମନ୍ଦିର ବରିଷ୍ଠ ସୁପରଭାଇଜର ବକ୍ସି ରାମଚନ୍ଦ୍ର ପ୍ରତିହାରୀଙ୍କ ଉପରେ ଆକ୍ରମଣ କରିଥିଲେ କିଛି ଦୁର୍ବୃତ୍ତ। ଶ୍ରୀମନ୍ଦିର ପଶ୍ଚିମ ଦ୍ଵାର ନିକଟରେ ତାଙ୍କ ଉପରେ ଆକ୍ରମଣ ହୋଇଥିଲା। ଏଥିରେ ସେ ଆହତ ହୋଇଥିଲେ। ପରେ ତାଙ୍କୁ ଚିକିତ୍ସା ପାଇଁ ପୁରୀ ସଦର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।
ଏନେଇ ସିଂହଦ୍ୱାର ଥାନାରେ ମାମଲା ରୁଜୁ ହେବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା। ଆକ୍ରମଣରେ ପନ୍ତିବଡ଼ୁ ସେବକ ଚନ୍ଦନ ସାମନ୍ତରାୟଙ୍କ ସମ୍ପୃକ୍ତି ଥିବା ଅଭିଯୋଗ ହୋଇଥିଲା। ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଶ୍ରୀମନ୍ଦିରରେ କୌଣସି ପ୍ରକାର ବିଶୃଙ୍ଖଳା ବରଦାସ୍ତ କରାଯିବନି ବୋଲି କହିଛନ୍ତି ମୁଖ୍ୟ ପ୍ରଶାସକ।
Tags: #Srimandir #AttackonSupervisor #Police #Puri