ଓଡ଼ିଶାଲାଇଭ୍ ବ୍ୟୁରୋ

ପାଖେଇ ଆସୁଛି ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ। ନଭେମ୍ବର ୫ ତାରିଖ ମଙ୍ଗଳବାର ଦିନ ଏଠାରେ ହେବ ମତଦାନ ହେବେ। ଆମେରିକାରେ ନଭେମ୍ବର ମାସର ପ୍ରଥମ ମଙ୍ଗଳବାର ହିଁ ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ ଗ୍ରହଣ ହୋଇଥାଏ। ଆଉ ଏହି ପରମ୍ପରା ୧୮୦ ବର୍ଷ ଧରି ଚାଲି ଆସୁଛି। ହେଲେ ଏବେ ମଙ୍ଗଳବାରରେ ନିର୍ବାଚନୀ ଭୋଟ୍ ଗ୍ରହଣକୁ ବିଭିନ୍ନ ମହଲରୁ ବିରୋଧ କରାଯାଉଛି।  

୧୮୪୦ ଦଶକରେ ପ୍ରଥମ ଥର ପାଇଁ ନଭେମ୍ବର ମାସର ପ୍ରଥମ ମଙ୍ଗଳବାରରେ ମତଦାନ ହୋଇଥିଲା। ଏହା ପରେ ୧୮୪୫ରେ ଆମେରିକାରେ ଏକ ଆଇନ ପ୍ରଣୟନ କରାଯାଇଥିଲା। ଏହି ଆଇନ ଅନୁସାରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ମାସର ପ୍ରଥମ ମଙ୍ଗଳବାରକୁ ହିଁ ଧାର୍ଯ୍ୟ କରାଗଲା।

ଏହି ତାରିଖ ଧାର୍ଯ୍ୟ ହେବା ପୂର୍ବରୁ ଆମେରିକାରେ ପ୍ରତ୍ୟେକ ରାଜ୍ୟ ଡିସେମ୍ବରର ପ୍ରଥମ ବୁଧବାର ପୂର୍ବରୁ ୩୪ ଦିନ ଅବଧି ମଧ୍ୟରେ ନିଜ ସୁବିଧା ଅନୁସାରେ ଯେକୌଣସି ଦିନ ଭୋଟ୍ ଗ୍ରହଣ କରୁଥିଲେ। ପ୍ରତ୍ୟେକ ରାଜ୍ୟର ମୁଖ୍ୟ ନିଜ ନିଜ ସୁବିଧା ଏବଂ ଆଞ୍ଚଳିକ ସ୍ଥିତିକୁ ଦେଖି ଏହାର ତାରିଖ ଧାର୍ଯ୍ୟ କରୁଥିଲେ।

କାହିଁକି ନଭେମ୍ବର ମାସକୁ ବଛାଗଲା?

୧୮୪୦ ପୂର୍ବରୁ ପ୍ରତ୍ୟେକ ରାଜ୍ୟରେ ଅଲଗା ଅଲଗା ଦିନ ମତଦାନ ହେଉଥିଲା। ତେବେ ୧୮୪୦ ପରେ ରେଳ, ରାସ୍ତା ଓ ଟେଲିଗ୍ରାଫ ଆସିବା ପରେ ଆଶଙ୍କା ଆହୁରି ବଢିଗଲା ଯେ, ଭିନ୍ନ ଭିନ୍ନ ଦିନରେ ମତଦାନ ହେବା ଦ୍ୱାରା ଏହା ଭୋଟରଙ୍କ ଉପରେ ପ୍ରଭାବ ପକାଇବ। ଏହାକୁ ରୋକିବା ପାଇଁ ୟୁନିଫର୍ମ ଇଲେକ୍ସନ ତାରିଖର ପ୍ରାବଧାନ କରାଯାଇଥିଲା।

ପ୍ରଥମେ ଏଥିପାଇଁ ମାସ ଏବଂ ଦିନ ଧାର୍ଯ୍ୟ କରିବା ପାଇଁ ବିଚାର ବିମର୍ଷ କରାଗଲା। ତା’ ପରେ ସର୍ବସମ୍ମତିକ୍ରମେ ନଭେମ୍ବର ମାସ ଧାର୍ଯ୍ୟ କରାଗଲା। କାରଣ ନଭେମ୍ବର ପୂର୍ବରୁ ଆମେରିକାରେ ପ୍ରାୟ ସବୁ ଫସଲ ଅମଳ ହୋଇ ସାରିଥାଏ। ଚାଷୀମାନେ ନିଜ ନିଜ ଚାଷ କାମରୁ ମୁକ୍ତ ହୋଇ ସାରିଥାନ୍ତି ଏବଂ ମତଦାନ ପାଇଁ ସେମାନଙ୍କର କୌଣସି ସମସ୍ୟା ନ ଥାଏ। ସେତେବେଳକୁ ଥଣ୍ଡା ବି ବେଶ ପଡ଼ିନଥାଏ। ନଭେମ୍ବର ପୂର୍ବରୁ ଅଧିକ ଗରମ ଥାଏ ଏବଂ ପରେ ପ୍ରବଳ ଶୀତ ପଡ଼ିଥାଏ।  ସେ ଦୃଷ୍ଟିରୁ ମତଦାନ ପାଇଁ ନଭେମ୍ବର ମାସ ଏକପ୍ରକାର ଠିକ ଥିଲା।

ମଙ୍ଗଳବାର କାହିକିଁ?

ଏହାପରେ ବାର ଠିକ୍ କରିବାକୁ ନେଇ ବିଚାର ବିମର୍ଷ ଚାଲିଲା। ଏଥିପାଇଁ ସପ୍ତାହର ଶେଷଦିନ ରଖିବାକୁ ସ୍ଥିର କରାଗଲା। ହେଲେ ଶନିବାର-ରବିବାର ଅଧିକାଂଶ ଆମେରିକୀୟ ବାହାରକୁ କରିବାକୁ ପସନ୍ଦ କରନ୍ତି ନାହିଁ। ତେଣୁ ସପ୍ତାହର ଶେଷ ଦିନକୁ ବାଦ ରଖାଗଲା। ତା’ ଛଡା ରବିବାର ଦିନ ଅଧିକାଂଶ ଆମେରିକୀୟ ଚର୍ଚ୍ଚକୁ ଯାଆନ୍ତି।

ସେ ସମୟରେ ରାଜ୍ୟରେ ପୁଲିଂ ବୁଥ ବହୁତ ଦୂରରେ ଥିଲା। ଯାତାୟାତର ବି ସୁବିଧା ନ ଥିଲା। ତେଣୁ ଭୋଟରମାନଙ୍କୁ ଯଥେଷ୍ଟ ଦୂର ବାଟ ଯାତ୍ରା କରି ପୋଲିଂ ଷ୍ଟେଶନରେ ପହଞ୍ଚିବାକୁ ପଡୁଥିଲା। ଏସବୁକୁ ଦୃଷ୍ଟିରେ ରଖି ସୋମବାର ଯାତ୍ରା ପାଇଁ ଛାଡ଼ି ଦିଆଗଲା। ଏ ସବୁ ସମସ୍ୟାକୁ ଦୃଷ୍ଟିରେ ରଖି ମଙ୍ଗଳବାର ଦିନକୁ ଭୋଟ୍ ଗ୍ରହଣ ପାଇଁ ଧାର୍ଯ୍ୟ କରାଗଲା। ଆଉ ସେବେଠାରୁ ଏହି ପରମ୍ପରା ଚାଲି ଆସୁଛି।

ମଙ୍ଗଳବାରକୁ ନେଇ ବିବାଦ

ଏବେ ମଙ୍ଗଳବାରରେ ନିର୍ବାଚନୀ ଭୋଟ୍ ଗ୍ରହଣକୁ ନେଇ ଉଠୁଛି ବିବାଦ। ବାର ବଦଳାଇବା ପାଇଁ ଗୋଟିଏ ଗୋଷ୍ଠୀ ସୋସିଆଲ ମିଡିଆରେ କ୍ୟାମ୍ପେନ ଚଲାଇଛନ୍ତି। ମଙ୍ଗଳବାର ଏକ ୱାର୍କିଂ ଡେ’ ଥିବାରୁ ଅଧିକରୁ ଅଧିକ ଯୁବଗୋଷ୍ଠୀଙ୍କୁ କାମ ମଧ୍ୟରୁ ଛୁଟି ନେଇ ଭୋଟ ଦେବାକୁ ଆସିବାଟା କଷ୍ଟ ହେଉଛି ବୋଲି ସେମାନେ ଅଭିଯୋଗ କରିଛନ୍ତି। 

Tags: #USPresidentialElections #Tuesday #DemocraticParty #RepublicanParty #Politics #USA   

LEAVE A REPLY

Please enter your comment!
Please enter your name here