ଓଡ଼ିଶାଲାଇଭ୍ ବ୍ୟୁରୋ

ଚଳିତ ବର୍ଷ କୋରାପୁଟ ଜିଲ୍ଲା ସେମିଳିଗୁଡ଼ା ବ୍ଲକ ଅନ୍ତର୍ଗତ ଦୁଧାରୀର ମଉଳୀ ମା’ ମନ୍ଦିର ପ୍ରାଙ୍ଗଣରୁ ଆରମ୍ଭ ହୋଇଛି ରାଜ୍ୟସ୍ତରୀୟ ଲୋକ ମହୋତ୍ସବ ‘ପରବ-୨୦୨୪। ସେମିଳିଗୁଡ଼ା ବ୍ଲକର ଅଧିଷ୍ଠାତ୍ରୀ ଦେବୀ ମା’ ମଉଳୀ ଦେବୀ ମନ୍ଦିରରେ ପୂଜାର୍ଚ୍ଚନା ସହ ଏହି ଲୋକ ମହୋତ୍ସବ ପାଇଁ ବିଗୁଲ ବାଜିଛି।
ଏହି ଉତ୍ସବରେ ସାମିଲ ହୋଇଥିଲେ ୧୪ଟି ବ୍ଲକର ଲୋକପ୍ରତିନିଧି, ସରକାରୀ କର୍ମଚାରୀ ଏବଂ ହଜାର ହଜାର ସଂଖ୍ୟାରେ ସ୍ଥାନୀୟ କଳାକାର ଓ ଜନସାଧାରଣ। ପ୍ରାୟ ୧୦ ହଜାର ଲୋକଙ୍କ ସମାଗମ ସାଙ୍ଗକୁ ନାଚଗୀତରେ ଦୁଲୁକି ଥିଲା ସେମିଳିଗୁଡ଼ା ବ୍ଲକ।
ଆଦିବାସୀଙ୍କ ପାରମ୍ପାରିକ ନୃତ୍ୟ ଗୀତରେ ପ୍ରକମ୍ପିତ ହୋଇଥିଲା ସେମିଳିଗୁଡ଼ା। ରବିବାର ସକାଳ ୮ଟା ସମୟରେ କୋରାପୁଟ ନିଶାଣୀମୁଣ୍ଡାଠାରେ ପରମ୍ପରା ଅନୁସାରେ ପୂଜାର୍ଚ୍ଚନା କରାଯିବା ପରେ ମା’ ମଉଳୀ ମନ୍ଦିର ପ୍ରାଙ୍ଗଣରୁ ପୂଜାର୍ଚ୍ଚନା ସହ ମଶାଲ ପ୍ରଜ୍ଵଳନ କରାଯାଇଥିଲା। ବିରାଟ ମଶାଲ ଶୋଭାଯାତ୍ରାରେ ବାହାରି ଗ୍ରାଉଣ୍ଡରେ ପହଞ୍ଚିଥିଲା। ପରେ ଏକ ସାଧାରଣ ସଭାର ଆୟୋଜନ କରାଯାଇଥିଲା।
ଉଦଘାଟନ ଉତ୍ସବ ପରେ ବିଭିନ୍ନ ବ୍ଲକ ଓ ସହରାଞ୍ଚଳ ସ୍ତରରେ ‘ପରବ’ ପାଳନ କରାଯିବ। ଏହା ପରେ ଜିଲ୍ଲାସ୍ତରୀୟ ଲୋକ ମହୋତ୍ସବ କୋରାପୁଟରେ ଆୟୋଜନ କରାଯିବ।
ଗାଁ ଗହଳିର ପ୍ରତିଭାଙ୍କୁ ଲୋକଲୋଚନକୁ ଆଣିବାରେ ‘ପରବ’ ଏକ ଉତ୍କୃଷ୍ଟ ମାଧ୍ୟମ ବୋଲି କହିଛନ୍ତି ସ୍ଥାନୀୟ ଲୋକ ଓ କଳାକାର। ଏହି ଲୋକ ମହୋତ୍ସବକୁ ସୁନ୍ଦର ଓ ଆକର୍ଷଣୀୟ କରିବାକୁ ଚେଷ୍ଟା କରାଯାଇଥିବା କହିଛନ୍ତି କୋରାପୁଟ ଜିଲ୍ଲାପାଳ।
ଏଥିରେ ସାମିଲ ହୋଇଥିଲେ ସ୍ଥାନୀୟ କଳାକାର ଓ ଜନସାଧାରଣ। ଶୁଭାରମ୍ଭ ଅବସରରେ କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲାକା, ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ସମେତ କୋଟପାଡ଼ ବିଧାୟକ ରୂପ ଭତ୍ରା, କୋରାପୁଟ ବିଧାୟକ ରଘୁରାମ ମାଛ, ପଟାଙ୍ଗୀ ବିଧାୟକ ରାମଚନ୍ଦ୍ର କାଡ଼ାମ, ଲକ୍ଷ୍ମୀପୁର ବିଧାୟକ ପବିତ୍ର ସାଉନ୍ତା, କୋରାପୁଟ ଡିଆଇଜି, କୋରାପୁଟ ଆରକ୍ଷୀ ଅଧିକ୍ଷକ, ସେମିଳିଗୁଡ଼ା ପଞ୍ଚାୟତ ସମିତି ସଭାପତି, ଦୁଧାରୀ ପଞ୍ଚାୟତ ସରପଞ୍ଚ, ଏଡିଏମ୍, ଜିଲ୍ଲା ପରିଷଦ ସଭାପତି ସଶ୍ମିତା ମେଲକା, ଉପାଧ୍ୟକ୍ଷ ରାଧା ବିନୋଦ ସାମନ୍ତରାୟ, ଜୟପୁର ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶକ୍ତି ମହାପାତ୍ର, ଜୟପୁର ପୌରାଧ୍ୟକ୍ଷ ନରେନ୍ଦ୍ର ମହାନ୍ତି ଯୋଗଦେଇ ୨୭ତମ ‘ପରବ’ ମହୋତ୍ସବକୁ ସଫଳ କରିବାକୁ ସମସ୍ତଙ୍କ ସହଯୋଗ କାମନା କରିଥିଲେ।
ବ୍ଳକ ଓ ସହରାଞ୍ଚଳରେ ଆୟୋଜିତ ହେବାକୁଥିବା ‘ପରବ’ରେ ବିଭିନ୍ନ ପ୍ରତିଯୋଗିତା ମାଧ୍ୟମରେ ପ୍ରତିଭା ଚୟନ କରାଯିବ ଓ ଏମାନଙ୍କୁ ସମ୍ବର୍ଦ୍ଧିତ କରାଯିବ।
ପ୍ରତିବର୍ଷ ଜିଲ୍ଲା ସସ୍କୃତି ପରିଷଦ ତରଫରୁ ଜିଲ୍ଲା ସଦର ମହକୁମା କୋରାପୁଟଠାରେ ଆୟୋଜିତ ହେଉଛି ଅଦିବାସୀ ଲୋକ ମହୋତ୍ସବ ପରବ। ଏହା କୋରାପୁଟ ଜିଲ୍ଲାରେ ପାଳିତ ହେଉଥିଲେ ମଧ୍ୟ ଏହା ରାଜ୍ୟସ୍ତରୀୟ ଉତ୍ସବର ମାନ୍ୟତା ପାଇଛି।
ଏକ ମାସ ଧରି ପାଳନ ହେଉଥିବା ଏହି ଉତ୍ସବରେ ଖେଳ, ନାଚ, ଗୀତ, ନୌକା ଚାଳନା, ତୀର ଚାଳନା, କବି ସମ୍ମୀଳନି ଆଦି ଅନୁଷ୍ଠିତ ହୋଇଥାଏ। ଜିଲ୍ଲାର ବିଭିନ୍ନ ବ୍ଳକ ତଥା ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା କଳାକାରମାନେ ଏହି ମହୋତ୍ସବରେ ଭାଗ ନେଇଥାନ୍ତି।
ଜିଲ୍ଲାସ୍ତରରେ ମୁଖ୍ୟ ଉତ୍ସବ ୩ ଦିନ ପାଳିତ ହେଉଥିଲେ ମଧ୍ୟ ପଲ୍ଲୀଶ୍ରୀ ମେଳା ୫ ଦିନ ପର୍ଯ୍ୟନ୍ତ ଚାଲିଥାଏ। ଏହି ମହୋତ୍ସବକୁ ଉପଭୋଗ କରିବାପାଇଁ ଦେଶ ବିଦେଶରୁ ବହୁ ସଂଖ୍ୟାରେ ପର୍ଯ୍ୟଟକ ଆସିଥାନ୍ତି।
Tags: #Culture #Tradition #Koraput #Paraba2024 #InauguralCeremony