ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି ଧନ ତ୍ରୟୋଦଶୀରେ ପାଳିତ ହେଉଛି ‘ଧନତେରସ୍‌’। ଏହାକୁ ଧନ ଓ ସମ୍ପଦର ଉତ୍ସବ ବୋଲି କୁହାଯାଏ। ଏହି ଦିନ ଧନଦାତ୍ରୀ ଦେବୀ ମା’ ଲକ୍ଷ୍ମୀ ପୂଜା ପାଆନ୍ତି। ଆଜିର ଦିନରେ ସୁନା ଓ ଅନ୍ୟାନ୍ୟ ଅଳଙ୍କାର କିଣିବା ଶୁଭ ବୋଲି ମନେ କରାଯାଏ।

ପୌରାଣିକ ତଥ୍ୟ ଅନୁଯାୟୀ, କାର୍ତ୍ତିକ ମାସ କୃଷ୍ଣପକ୍ଷ ତ୍ରୟୋଦଶୀରେ ଦେବତା ଓ ରାକ୍ଷସମାନଙ୍କ ମଧ୍ୟରେ ହୋଇଥିବା ସମୁଦ୍ର ମନ୍ଥନରେ ସମୁଦ୍ରରୁ ଦେବତା ଧନ୍ଵନ୍ତରୀ ଅମୃତ କଳସ ଓ ଆୟୁର୍ବେଦ ଔଷଧୀ ନେଇ ପ୍ରକଟ ହୋଇଥିଲେ।

ସେଥିପାଇଁ ଏହି ସମୟରେ ସୁନା ରୂପା କିଣିଲେ ମା’ ଲକ୍ଷ୍ମୀ ପ୍ରସନ୍ନ ହୁଅନ୍ତି। ଘରକୁ ସୁଖ ସମୃଦ୍ଧି ଆସେ, ବ୍ୟବସାୟରେ ବୃଦ୍ଧି ହୁଏ ବୋଲି ବିଶ୍ଵାସ ରହିଛି। ଆଜିର ଦିନରେ ଦେବତା କୁବେରଙ୍କୁ ବି ପୂଜା କରାଯାଏ।

ଧନତେରସ୍ ଦିନ ଲୋକେ ସୁନା ରୂପା ଅଳଙ୍କାର କିଣିବା ପାଇଁ ଗହଣା ଦୋକାନରେ ଭିଡ଼ ଜମାଇଥାନ୍ତି। ଗ୍ରାହକଙ୍କୁ ଆକୃଷ୍ଠ କରିବାକୁ ସୁନା ବ୍ୟବସାୟୀମାନେ ନୂଆ ଡ଼ିଜାଇନ୍ ସହିତ ଆକର୍ଷଣୀୟ ଅଫର ମଧ୍ୟ ରଖିଥାନ୍ତି। 

ଆଜି ଦିନରେ ବ୍ୟବସାୟ ସମ୍ବନ୍ଧୀୟ ଜିନିଷ କିଣି ଦିପାବଳୀ ଦିନ ପୂଜା କଲେ ବ୍ୟବସାୟରେ ବିଶେଷ ଲାଭବାନ ହେବେ ବୋଲି ବିଶ୍ୱାସ ରହିଛି। ଏହି ଦିନ ଲୋକେ ଟିଭି, ଫ୍ରିଜ୍, କମ୍ପ୍ୟୁଟର୍, ମୋବାଇଲ୍ ଫୋନ୍ ଭଳି ଇଲେକ୍ଟ୍ରୋନିକ୍ ଜିନିଷ ମଧ୍ୟ କିଣିଥାନ୍ତି। ଏହାସହ ଧନତେରସରେ ପିତଳ ବାସନ କିଣିବା ମଧ୍ୟ ଶୁଭ ହୋଇଥାଏ ବୋଲି ମାନ୍ୟତା ରହିଛି।

Tags: #Dhanteras #MaaLaxmi #GoldOrnaments #Diwali #Festival #India

Comment