ମିନତି ମିଶ୍ର

ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ପାଇଁ ରାଜନୈତିକ ମାହୋଲ ସରଗରମ ରହିଛି। ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ କରିବା ଲାଗି ମଙ୍ଗଳବାର ଶେଷ ଦିନ ରହିଥିଲେ ମଧ୍ୟ ଉଭୟ ମହାୟୁତି (ଏନଡିଏ) ଓ ମହାବିକାଶ ଅଘାଡି (ଇଣ୍ଡିଆ) ମେଣ୍ଟରେ ନିଜ ନିଜ ମଧ୍ୟରେ ଆସନ ବୁଝାମଣା ଛିଣ୍ଡୁନାହିଁ। ଶେଷ ସମୟ ପର୍ଯ୍ୟନ୍ତ ଉଭୟ ମେଣ୍ଟ ମହାରାଷ୍ଟ୍ରର ସମସ୍ତ ୨୮୮ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିପାରି ନାହାନ୍ତି।

ମହାୟୁତି ମେଣ୍ଟରେ ବିଜେପି, ଏକନାଥ ସିନ୍ଦେଙ୍କ ନେତୃତ୍ୱରେ ଥିବା ଶିବସେନା ଏବଂ ଅଜିତ ପୱାରଙ୍କ ନେତୃତ୍ୱଧୀନ ଏନସିପି ସମେତ ଅନ୍ୟ ଛୋଟଛୋଟ ଆଞ୍ଚଳିକ ଦଳ ଅଛନ୍ତି। ସେହିପରି ମହାବିକାଶ ଅଘାଡିରେ କଂଗ୍ରେସ, ଉଦ୍ଧବ ଠାକରେଙ୍କ ଅଧୀନ ଶିବସେନା ଏବଂ ଶରଦ ପୱାରଙ୍କ ନେତୃତ୍ୱରେ ଥିବା ଏନସିପି ରହିଛି।

ଛିଣ୍ଡୁନି ଆସନ ବୁଝାମଣା

ଗୋଟିଏ ପଟେ ଆସନ ବୁଝାମଣାକୁ ନେଇ ମହାବିକାଶ ଅଘାଡିର ଉଦ୍ଧବ ଠାକରେ, ଶରଦ ପୱାର ଓ କଂଗ୍ରେସ ମଧ୍ୟରେ କଳି ତୁଟୁନି। ଅନ୍ୟପଟେ ମହାୟୁତି ମେଣ୍ଟରେ ମଧ୍ୟ ସମାନ ପରିସ୍ଥିତ ଦେଖିବାକୁ ମିଳିଛି।

ଏ ପର୍ଯ୍ୟନ୍ତ ମହାୟୁତି ୨୭୯ଟି ଆସନରେ ପ୍ରାର୍ଥୀ ଦେଇଛି। ଏଥିମଧ୍ୟରୁ ୧୪୬ଟି ଆସନରେ ବିଜେପି, ୮୦ଟିରେ ଶିବସେନା ଏବଂ ୫୩ଟି ଆସନରେ ଅଜିତ ପାୱାରଙ୍କ ଏନସିପି ପାର୍ଥୀ ଘୋଷଣା କରିଛି। ସେହିପରି ମହାବିକାଶ ଅଘାଡି ବର୍ତ୍ତମାନ ସୁଦ୍ଧା ୨୭୨ ଆସନ ପାଇଁ ପାର୍ଥୀ ଦେଇଥିବାବେଳେ ଅନ୍ୟ ଆସନରେ ପ୍ରାର୍ଥୀ ଘୋଷଣା କରିପାରିନି। ଏଥିରୁ କଂଗ୍ରେସ ୧୦୩ଟି, ଉଦ୍ଧବ ଠାକରେଙ୍କ ଅଧୀନ ଶିବସେନା ୮୭ଟି ଓ ଶରଦ ପୱାରଙ୍କ ଏନସିପି ୮୨ଟି ଆସନରେ ପ୍ରାର୍ଥୀ ଦେଇଛି।

ପ୍ରାର୍ଥିପତ୍ର ପ୍ରତ୍ୟାହାର କଲେ ଉଦ୍ଧବ ଠାକରେଙ୍କ ନେତା

ମହାବିକାଶ ଅଘାଡି ମେଣ୍ଟରେ ଆସନ ବୁଝାମଣା ତୁଟି ନଥିବାବେଳେ ମେଣ୍ଟ ପାଇଁ ଆଉ ଏକ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି। ସମ୍ଭାଜୀନଗର-ମଧ୍ୟ ଆସନରେ ଉଦ୍ଧବ ଠାକରେଙ୍କ ଦଳର ପ୍ରାର୍ଥୀ କିଶନଚନ୍ଦ ତନବାନୀ ତାଙ୍କର ପ୍ରାର୍ଥିପତ୍ର ପ୍ରତ୍ୟାହାର କରିନେଇଛନ୍ତି। ସେତିକି ନୁହେଁ, ସେ ଏକନାଥ ସିନ୍ଦେଙ୍କୁ ସମର୍ଥନ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି। ନିର୍ବାଚନ ପୂର୍ବରୁ ଏହା ଉଦ୍ଧବଙ୍କ ଦଳକୁ ଏକ ବଡ଼ ଧକ୍କା ବୋଲି କୁହାଯାଉଛି।

ଛତ୍ରପତି ସମ୍ଭାବୀନଗର ଶିବସେନାର ଗଡ଼ ବୋଲି କୁହାଯାଏ। ଏଠାରେ ଅଧିକାଂଶ ଆସନରେ ଏକନାଥ ସିନ୍ଦେଙ୍କ ଶିବସେନା ଏବଂ ଉଦ୍ଧବ ଠାକରେଙ୍କ ଶିବସେନା ମଧ୍ୟରେ ଲଢେଇ ହେବାର ସମ୍ଭାବନା ରହିଛି। ସମ୍ଭାଜୀନଗର-ମଧ୍ୟ ଆସନରୁ ସିନ୍ଦେଙ୍କ ଶିବସେନା ପ୍ରଦୀପ ଜୟସ୍ୱାଲଙ୍କୁ ପ୍ରାର୍ଥୀ କରିଥିବାବେଳେ ଉଦ୍ଧବଙ୍କ ଶିବସେନା କିଶନଚନ୍ଦ ତନବାନୀଙ୍କୁ ପ୍ରାର୍ଥୀ କରିଥିଲା।

ତନବାନୀ ସୋମବାର ନାମାଙ୍କନ ଭରିବା ପାଇଁ ରାଲି କରିଥାନ୍ତେ। ହେଲେ ବଜାରରେ ଭିଡ଼ ହେବ ଏବଂ ସାଧାରଣ ଜନତା ଅସୁବିଧାରେ ପଡ଼ିବେ ବୋଲି ଦର୍ଶାଇ ଏହାକୁ ସ୍ଥଗିତ ରଖିଥିଲେ। ତେବେ ଅଚାନକ ସୋମବାର ସନ୍ଧ୍ୟାରେ ସାମ୍ବାଦିକ ସମ୍ମିଳନୀ କରି ନିଜର ପ୍ରାର୍ଥିପତ୍ର ପ୍ରତ୍ୟାହାର କରି ନେଇଛନ୍ତି। ଏଥିସହିତ ସିନ୍ଦେଙ୍କ ଶିବସେନା ପ୍ରାର୍ଥୀ ପ୍ରଦୀପ ଜୟସ୍ୱାଲଙ୍କୁ ସହଯୋଗ କରିବେ ବୋଲି କହିଛନ୍ତି।

କାହିଁକି ପ୍ରାର୍ଥିପତ୍ର ପ୍ରତ୍ୟାହାର କଲେ ତନବାନୀ?

ପ୍ରଦୀପ ଜୟସ୍ୱାଲ ଓ କିଶନଚନ୍ଦ ତନବାନୀ ଦୁହେଁ ଶିବସେନାର ନେତା ପୁରୁଣା ନେତା। ଉଭୟଙ୍କ ମଧ୍ୟରେ ବନ୍ଧୁତା ବି ରହିଛି। ୨୦୧୪ ବିଧାନସଭା ନିର୍ବାଚନରେ ଦୁହେଁ ପରସ୍ପର ବିରୋଧରେ ଲଢିଥିଲେ। ଫଳରେ ଭୋଟ ବାଣ୍ଟି ହୋଇଯାଇଥିଲା ଯାହାର ଫାଇଦା ନେଇଥିଲା ଏଆଇଏମଆଇଏମ। ଏଆଇଏମଆଇଏମ ନେତା ଇମତିୟାଜ ଜଲିଲ୍ ଏହି ଆସନରୁ ବିଜୟୀ ହୋଇଥିଲେ। ଏଥର ମଧ୍ୟ ପ୍ରଦୀପ ଜୟସ୍ୱାଲ ଏହି ଆସନରୁ ପ୍ରାର୍ଥୀ ହୋଇଥିବାବେଳେ ଏଆଇଏମଆଇଏମରୁ ନାସିର ସିଦ୍ଦିକି ପ୍ରାର୍ଥୀ ହୋଇଛନ୍ତି। ତେଣୁ କିଶନଚନ୍ଦ ନିଜର ପ୍ରାର୍ଥିପତ୍ର ପ୍ରତ୍ୟାହାର କରି ନେଇଥିବା କହିଛନ୍ତି।

ମହାରାଷ୍ଟ୍ରରେ ନଭେମ୍ବର ୨୦ ତାରିଖରେ ବିଧାନସଭା ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ହେବ। ନଭେମ୍ବର ୨୩ ତାରିଖରେ ଫଳାଫଳ ଘୋଷଣା କରାଯିବ। 

Tags: #MaharashtraAssemblyElections #MVA #Mahayuti #Politics #India

Comment