ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି ପୁରୀ ଶ୍ରୀମନ୍ଦିରରେ ପାଳିତ ହେଉଛି ଦୀପାବଳି ନୀତି। ପୟା ଶ୍ରାଦ୍ଧ ପକାଇ ଭକ୍ତମାନେ ବଡ଼ବଡ଼ିଆଙ୍କୁ ଡାକିବେ। ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସବୁ ପ୍ରକାର ବ୍ୟବସ୍ଥା କରାଯାଇଛି। ଗତକାଲି ସାରା ଦେଶରେ ଦୀପାବଳି ପାଳନ କରାଯାଇଥିବାବେଳେ ଶୁକ୍ରବାର ମଧ୍ୟ ଓଡ଼ିଶାର ଅନେକ ସ୍ଥାନରେ ଦୀପାବଳି ପାଳନ କରାଯିବ।
ଚଳିତ ବର୍ଷ ଦୀପାବଳି ତିଥିକୁ ନେଇ ବିଭିନ୍ନ ପଞ୍ଜିକା ମଧ୍ୟରେ ଅସାମଞ୍ଜସ୍ୟ କାରଣରୁ ଅନେକ ଲୋକ ଗତକାଲି ଦୀପାବଳି ସାଙ୍ଗକୁ ବଡ଼ବଡ଼ିଆ ଡାକିଛନ୍ତି ତ ଅନେକ ଆଜି ପୟା ଶ୍ରାଦ୍ଧ ଦେବାକୁ ଯାଉଛନ୍ତି।
ଦୀପାବଳି ଦିନ ପୂର୍ବଜମାନଙ୍କୁ ମନେ ପକାଇଥା’ନ୍ତି ହିନ୍ଦୁ ସମ୍ପ୍ରଦାୟର ଲୋକେ। ପରିବାରର ସଦସ୍ୟମାନେ ପୂର୍ବ ପୁରୁଷଙ୍କ ଆତ୍ମା ଶାନ୍ତି କରିବା ପାଇଁ କାଉଁରିଆ କାଠି ଜଳାଇ ବଡ଼ବଡ଼ିଆ ଡାକି ଥା’ନ୍ତି। ଶ୍ରୀମନ୍ଦିର ସମ୍ମୁଖରେ ଅନେକ ଭକ୍ତ ଏକତ୍ରିତ ହୋଇ ବଡ଼ବଡ଼ିଆ ଡାକିବାର ପରମ୍ପରା ରହିଛି।
ଶ୍ରୀମନ୍ଦିରରେ ଦୀପାବଳି ପାଳନ ସାଙ୍ଗକୁ କାର୍ତ୍ତିକ ମାସରେ ଭକ୍ତମାନଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ପୋଲିସ ପକ୍ଷରୁ ସ୍ଵତନ୍ତ୍ର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ସହରରେ ୩ ଜଣ ଅତିରିକ୍ତ ଏସପି, ୧୧ ଜଣ ଡିଏସପି, ୧୮ ଜଣ ଇନ୍ସପେକ୍ଟରଙ୍କ ସହ ୨୬ ପ୍ଲାଟୁନ ଫୋର୍ସ ମୃତୟନ ହୋଇଛନ୍ତି।
Tags: #SriMandir #Deepavali #Tradition #Celebration #Culture #Puri