ଓଡ଼ିଶାଲାଇଭ୍ ବ୍ୟୁରୋ

ଭୁବନେଶ୍ଵରସ୍ଥିତ ‘ନନ୍ଦନକାନନ’ ପ୍ରାଣୀ ଉଦ୍ୟାନରେ ଶନିବାର ଦିନ ୪ଟି ବାଘ ଶାବକଙ୍କୁ ଜନ୍ମ ଦେଲା ଧଳା ବାଘୁଣୀ ରୁପା। ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ତରଫରୁ ଏହି ସୂଚନା ଦିଆଯାଇଛି। ଖୁବଶୀଘ୍ର ଏହି ନୂଆ ଅତିଥିଙ୍କ ନାମକରଣ କରାଯିବ।
୨୦୧୮ ମସିହା ସେପ୍ଟେମ୍ବର ୨୨ ତାରିଖରେ ରୁପା ଜନ୍ମ ହୋଇଥିବାବେଳେ ଆଜି ସେ ୪ଟି ଛୁଆର ମା’ ହୋଇଛି। ‘ରୁପା’ ତୃତୀୟ ଥର ପାଇଁ ମା’ ହୋଇଛି।
ଏହା ପୂର୍ବରୁ ୨୦୨୨ ମସିହା ମାର୍ଚ୍ଚ ୧୧ ତାରିଖରେ ପ୍ରଥମ ଥର ପାଇଁ ୩ଟି ଶାବକଙ୍କୁ ଜନ୍ମ ଦେଇଥିଲା ରୁପା। ତେବେ ଦୁଇଟି ଶାବକଙ୍କର ଏକ ମାସ ମଧ୍ୟରେ ମୃତ୍ୟୁ ହୋଇଥିଲା। ତୃତୀୟ ଶାବକ ‘ହିମାଂଶୁ’କୁ ପ୍ରାଣୀ ଅଦଳବଦଳ କ୍ରମେ ଗତ ଜୁଲାଇ ୯ ତାରିଖରେ ରାଞ୍ଚିର ଚକଲାସ୍ଥିତ ଭଗବାନ ବିର୍ସା ପ୍ରାଣୀ ଉଦ୍ୟାନକୁ ପଠାଯାଇଥିଲା।
ଦ୍ଵିତୀୟ ଥର ପାଇଁ ୨୦୨୩ ଜାନୁଆରିରେ ଦୁଇଟି ଶାବକ ଅମ୍ରିତା ଏବଂ ଶିବାଙ୍କୁ ଜନ୍ମ ଦେଇଥିଲା ରୁପା। ଅମ୍ରିତା ଏବଂ ଶିବା ଏବେ ନନ୍ଦନକାନନରେ ଅଛନ୍ତି। ଶନିବାର ଦିନ ୪ଟି ଶାବକ ଜନ୍ମ ନେବା ପରେ ନନ୍ଦନକାନନରେ ବାଘ ସଂଖ୍ୟା ୨୮କୁ ବୃଦ୍ଧି ପାଇଛି।
Tags: #Nandankanan #Cubs #Birth #WhiteTigress #Bhubaneswar #Odisha