ଓଡ଼ିଶାଲାଇଭ୍ ବ୍ୟୁରୋ

ଆମେରିକାର ରାଷ୍ଟ୍ରପତି ନିର୍ବାଚନ ପାଇଁ ସରି ଯାଇଛି ମତଦାନ। ବୁଧବାର ଚାଲିଛି ଭୋଟ ଗଣତି। ବର୍ତ୍ତମାନ ସୁଦ୍ଧା ଆସିଥିବା ଫଳାଫଳ ଅନୁସାରେ, ରିପବ୍ଲିକାନ ପାର୍ଟିର ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ୨୪୮ଟି ଆସନ ଜିତିଥିବାବେଳେ ଡେମୋକ୍ରାଟିକ ପାର୍ଟିର ପ୍ରାର୍ଥୀ କମଳା ହ୍ୟାରିସ ୨୧୪ଟି ଆସନ ହାସଲ କରି ପଛରେ ଅଛନ୍ତି।

ଏବେ ସୁଦ୍ଧା ଡୋନାଲ୍ଡ ଟ୍ରମ୍ପ ୫୧.୧ ପ୍ରତିଶତ ଭୋଟ ପାଇଥିବାବେଳେ କମଳା ହ୍ୟାରିସ ୪୭.୪ ପ୍ରତିଶତ ଭୋଟ ପାଇଛନ୍ତି। ମୋଟାମୋଟି ଭାବେ ଦେଖିଲେ ୨୫ଟି ରାଜ୍ୟରେ ଟ୍ରମ୍ପ ଜିତି ଯାଇଥିବାବେଳେ କମଳା ହ୍ୟାରିସ ୧୭ ରାଜ୍ୟରେ ବିଜୟୀ ହୋଇଛନ୍ତି। ଆମେରିକା ୨ ବଡ଼ ରାଜ୍ୟ ମଧ୍ୟରେ କାଲିଫର୍ଣ୍ଣିଆରେ କମଳା ହ୍ୟାରିସ ଜିତି ୫୪ଟି ଇଲେକ୍ଟୋରାଲ ଭୋଟ ହାସଲ କରିଛନ୍ତି। ସେହିପରି ଡୋନାଲ୍ଡ ଟ୍ରମ୍ପ ଟେକ୍ସାସ ଉପରେ କବ୍ଜା କରି ଏଠାରୁ ସର୍ବାଧିକ ୪୦ଟି ଇଲେକ୍ଟୋରାଲ ଭୋଟ ଅକ୍ତିଆର କରିଛନ୍ତି।

ତେବେ ଏହି ନିର୍ବାଚନରେ ଆରିଜୋନା, ଜର୍ଜିଆ, ମିଶିଗନ, ନେଭେଡା, ନର୍ଥ କ୍ୟାରୋଲିନା, ପେନସିଲଭାନିୟା ଓ ୱିସକନସିନ ଭଳି ଆମେରିକାର ୭ଟି ସୁଇଂ ଷ୍ଟେଟ ଉପରେ ସମସ୍ତଙ୍କ ନଜର ରହିଛି। ପୂର୍ବେ ହୋଇଥିବା ରାଷ୍ଟ୍ରପତି ନିର୍ବାଚନଗୁଡ଼ିକରେ ଏହି ସବୁ ରାଜ୍ୟର ଫଳାଫଳ ବାଜି ପଲଟାଇବାର ନଜିର ରହିଛି।  

ବର୍ତ୍ତମାନ ସୁଦ୍ଧା ଆସିଥିବା ସୂଚନା ଅନୁସାରେ ଜର୍ଜିଆ, ନର୍ଥ କ୍ୟାରୋଲିନାରେ ଡୋନାଲ୍ଡ ଟ୍ରମ୍ପ ବିଜୟୀ ହୋଇ ସାରିଛନ୍ତି। ତେବେ ଅନ୍ୟ ୫ଟି ସୁଇଂ ଷ୍ଟେଟରେ ଟ୍ରମ୍ପ ଆଗୁଆ ଥିବାବେଳେ କମଳା ହ୍ୟାରିସ କଡ଼ା ପ୍ରତିଦ୍ଵନ୍ଦ୍ଵିତା କରୁଛନ୍ତି।

ଏବେ ବି ଡୋନାଲ୍ଡ ଟ୍ରମ୍ପ ଏବଂ କମଳା ହ୍ୟାରିସଙ୍କ ମଧ୍ୟରେ ଜୋରଦାର ଲଢ଼େଇ ଜାରି ରହିଛି। ଆମେରିକାର ୫୦ଟି ରାଜ୍ୟରେ ମୋଟ ୫୩୮ଟି ଇଲେକ୍ଟୋରାଲ ଭୋଟ ରହିଛି। ନିର୍ବାଚନ ଜିତିବା ପାଇଁ ଦରକାର ୨୭୦ଟି ଇଲେକ୍ଟୋରାଲ ଭୋଟ। ତେବେ ଚୂଡ଼ାନ୍ତ ଫଳାଫଳ ଆସିବାକୁ ଆଉ କିଛି ସମୟ ଲାଗିବାର ସମ୍ଭାବନା ରହିଛି।   

Tags: #USPresidentialElections2024 #KamalaHarris #DemocraticParty #DonaldTrump #RepublicanParty #Politics #USA

Comment