ଓଡ଼ିଶାଲାଇଭ୍ ବ୍ୟୁରୋ

ଆମେରିକାର ୪୭ତମ ରାଷ୍ଟ୍ରପତି ହେବାକୁ ଯାଉଛନ୍ତି ରିପବ୍ଲିକାନ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ। ସେ ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ଡେମୋକ୍ରାଟିକ ପ୍ରାର୍ଥୀ କମଳା ହ୍ୟାରିସଙ୍କୁ ପରାସ୍ତ କରିଛନ୍ତି। ଏହି ନିର୍ବାଚନରେ ବର୍ତ୍ତମାନ ସୁଦ୍ଧା ଟ୍ରମ୍ପ ୨୭୭ଟି ଆସନ ଜିତି ନିଜର ବିଜୟ ସୁନିଶ୍ଚିତ କରିନେଇଛନ୍ତି। ଅନ୍ୟପଟେ କମଳା ହ୍ୟାରିସ ୨୨୭ଟି ଆସନ ହାସଲ କରି ପଛରେ ରହିଯାଇଛନ୍ତି।

ଡୋନାଲ୍ଡ ଟ୍ରମ୍ପ ୨୦୧୬ ମସିହାରେ ପ୍ରଥମଥର ପାଇଁ ଆମେରିକାର ରାଷ୍ଟ୍ରପତି ହୋଇଥିଲେ। ତେବେ ୨୦୨୦ ମସିହା ରାଷ୍ଟ୍ରପତି ନିର୍ବାଚନରେ ସେ ଜୋ ବାଇଡେନଙ୍କଠାରୁ ପରାସ୍ତ ହୋଇଥିଲେ। ଏବେ ୨୦୨୪ ମସିହାର ରାଷ୍ଟ୍ରପତି ନିର୍ବାଚନ ଜିତି ସେ ପୁଣି ଆମେରିକାର ରାଷ୍ଟ୍ରପତି ହେବାକୁ ଯାଉଛନ୍ତି। ସେହିପରି ଟ୍ରମ୍ପଙ୍କ ରନିଂ ମେଟ୍ ଜେ ଡି ଭାନ୍ସ ଆମେରିକାର ଉପରାଷ୍ଟ୍ରପତି ହେବାକୁ ଯାଉଛନ୍ତି।

ଏବେ ସୁଦ୍ଧା ଡୋନାଲ୍ଡ ଟ୍ରମ୍ପ ୫୧.୨ ପ୍ରତିଶତ ଭୋଟ ପାଇଥିବାବେଳେ କମଳା ହ୍ୟାରିସ ୪୭.୪ ପ୍ରତିଶତ ଭୋଟ ପାଇଛନ୍ତି। ମୋଟାମୋଟି ଭାବେ ଦେଖିଲେ ୨୬ଟି ରାଜ୍ୟରେ ଟ୍ରମ୍ପ ଜିତି ଯାଇଥିବାବେଳେ କମଳା ହ୍ୟାରିସ ୧୮ ରାଜ୍ୟରେ ବିଜୟୀ ହୋଇଛନ୍ତି। ଆମେରିକା ୨ ବଡ଼ ରାଜ୍ୟ ମଧ୍ୟରେ କାଲିଫର୍ଣ୍ଣିଆରେ କମଳା ହ୍ୟାରିସ ଜିତି ୫୪ଟି ଇଲେକ୍ଟୋରାଲ ଭୋଟ ହାସଲ କରିଛନ୍ତି। ସେହିପରି ଡୋନାଳ୍ଡ ଟ୍ରମ୍ପ ଟେକ୍ସାସ ଉପରେ କବ୍ଜା କରି ଏଠାରୁ ସର୍ବାଧିକ ୪୦ଟି ଇଲେକ୍ଟୋରାଲ ଭୋଟ ଅକ୍ତିଆର କରିଛନ୍ତି।

ଏହି ଅବସରରେ ଡୋନାଲ୍ଡ ଟ୍ରମ୍ପ ତାଙ୍କ ସମର୍ଥକଙ୍କ ଦ୍ଵାରା ଫ୍ଲୋରିଡାରେ ଆୟୋଜିତ ହୋଇଥିବା ବିଜୟ ଉତ୍ସବରେ ଯୋଗ ଦେଇ ଆମେରିକା ବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏନେଇ ଟ୍ରମ୍ପ କହିଛନ୍ତି, “ଆମେରିକା ପୁଣି ଥରେ ମହାନ୍ ହେବାକୁ ଯାଉଛି। ମୋତେ ଜିତାଇଥିବାରୁ ମୁଁ ସବୁ ଆମେରିକାବାସୀଙ୍କୁ ଧନ୍ୟବାଦ ଜଣାଉଛି। ଆମେରିକା ଇତିହାସରେ ଏ ସବୁଠୁ ବଡ଼ ରାଜନୈତିକ ବିଜୟ।”

ବର୍ତ୍ତମାନ ସୁଦ୍ଧା ଆସିଥିବା ସୂଚନା ଅନୁସାରେ ଜର୍ଜିଆ, ନର୍ଥ କ୍ୟାରୋଲିନା ଓ ପେନସିଲଭାନିୟା ଭଳି ସୁଇଂ ଷ୍ଟେଟରେ ଡୋନାଳ୍ଡ ଟ୍ରମ୍ପ ବିଜୟୀ ହୋଇ ସାରିଛନ୍ତି। ତେବେ ଅନ୍ୟ ୪ଟି ସୁଇଂ ଷ୍ଟେଟ ଆରିଜୋନା, ମିଶିଗନ, ନେଭେଡା ଓ ୱିସକନସିନରେ ମଧ୍ୟ ଟ୍ରମ୍ପ ଆଗୁଆ ରହିଛନ୍ତି।  

Tags: #USPresidentialElections2024 #DonaldTrump #RepublicanParty #KamalaHarris #DemocraticParty #Politics #USA

LEAVE A REPLY

Please enter your comment!
Please enter your name here