ଓଡ଼ିଶାଲାଇଭ୍ ବ୍ୟୁରୋ

କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ମାଣ୍ଡିପଙ୍କା ଗାଁରେ ଆମ୍ବ ଟାକୁଆ ଯାଉ ଖାଇ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଓଡ଼ିଶା ରାଜନୀତିରେ କମ୍ପନ ସୃଷ୍ଟି ହୋଇଛି। ଏହି ଘଟଣାକୁ ନେଇ ଗୁରୁବାର ଦିନ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ। ନବୀନ କହିଛନ୍ତି, “ଆମର ୧୨ ବର୍ଷର ତପସ୍ୟାକୁ ବିଜେପି ସରକାର ଶୁଖୁଆ ପୋଡ଼ାରେ ସାରିଦେଲେ।”

ନବୀନ ପଟ୍ଟନାୟକ ଆହୁରି କହିଛନ୍ତି, ରାଜ୍ୟ ସରକାର ଗରିବ ଆଦିବାସୀ ଭାଇଭଉଣୀଙ୍କ ଚାଉଳ ବନ୍ଦ କରିଛନ୍ତି। ଫଳରେ ଖାଦ୍ୟର ଅଭାବ ପୂରଣ କରିବା ପାଇଁ ସେମାନେ ଆମ୍ବର ଟାକୁଆକୁ ଖାଉଛନ୍ତି। ବହୁତ ଦୁଃଖର କଥା ଯେ, ଆମ୍ବା ଟାକୁଆ ଖାଇବା ଯୋଗୁଁ ଦୁଇ ଜଣ ଆଦିବାସୀ ମହିଳାଙ୍କ ମୃତ୍ୟୁ ହୋଇଛି। ଆଉ କିଛି ଲୋକ ଗୁରୁତର ଭାବେ ଅସୁସ୍ଥ ହୋଇଛନ୍ତି। ଲୋକଙ୍କ ଖାଦ୍ୟ ସୁରକ୍ଷା ସହ ସାଲିସ କରାଯିବ ନାହିଁ ବୋଲି ନବୀନ କହିଛନ୍ତି।

ଆମ୍ବ ଟାକୁଆ ମୃତ୍ୟୁ ଘଟଣାକୁ ନେଇ ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକଙ୍କ କଡ଼ା ସମାଲୋଚନା ପରେ ପ୍ରତିକ୍ରିୟା ରଖିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ସେ କହିଛନ୍ତି, “ବିଜେଡି ସରକାର ଆଦୌ ତପସ୍ୟା କରିନାହନ୍ତି, ୨୪ ବର୍ଷ କାଳ ଓଡ଼ିଶାକୁ ଲୁଟିଛନ୍ତି। ତପସ୍ୟା କଥା ତାଙ୍କ ମୁହଁରେ ଶୋଭା ପାଉନାହିଁ।”

ମନ୍ତ୍ରୀ ଆହୁରି କହିଛନ୍ତି ବିଜେଡି ଅମଳରେ ଟିକିରି ଏବଂ କାଶୀପୁର ବ୍ଲକରେ ଆମ୍ବ ଟାକୁଆ ଖାଇ ୧୬ ଜଣ ଲୋକଙ୍କର ଜୀବନ ଯାଇଥିଲା। ସେତେବେଳେ ଶାସନରେ ଥିବା ବିଜେଡି ସରକାର ଲୋକଙ୍କୁ ଚାଉଳ ଯୋଗାଇବାରେ ଅସମର୍ଥ ଥିଲେ କି ବୋଲି ସେ ଓଲଟା ପ୍ରଶ୍ନ କରିଛନ୍ତି।

ସେ କହିଛନ୍ତି, ଏଭଳି ମନ୍ତବ୍ୟ ଦେଇ ବିଜେଡି ଲୋକଙ୍କୁ ବିଭ୍ରାନ୍ତ କରୁଛି। ଖାଦ୍ୟ ବିଷାକ୍ତ ହେବା କାରଣରୁ ଲୋକଙ୍କର ମୃତ୍ୟୁ ହୋଇଥିବା ମେଡିକାଲ ଟିମ୍ ସ୍ପଷ୍ଟ କରିଛି ବୋଲି ସେ କହିଛନ୍ତି।

ଏହି ଘଟଣାକୁ ନେଇ ରାଜନୈତିକ ଫାଇଦା ଉଠାଇବା ଲାଗି ପୂର୍ବତନ ମୁଖ୍ୟମନ୍ତ୍ରୀ ଯେଉଁଭଳି ଚେଷ୍ଟା କରୁଛନ୍ତି ତାକୁ ଲୋକ ଗ୍ରହଣ କରିବେ ନାହିଁ ବୋଲି ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି।

ଆମ୍ବଟାକୁଆ ଜାଉ ଖାଇ ଗତ ଅକ୍ଟୋବର ୩୧ ତାରିଖରେ ମାଣ୍ଡିପଙ୍କା ଗ୍ରାମର ରମିତା ପାଟମାଝୀ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିଲ। ୭ ଜଣଙ୍କ ସ୍ଵାସ୍ଥ୍ୟାବସ୍ଥା ଗୁରୁତର ହେଇଥିଲା। ନଭେମ୍ବର ୧ ତାରିଖରେ ଅନ୍ୟ ଜଣେ ମହିଳା ରୁନୁ ମାଝୀଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିଲା।

Tags: #Politics #OdishaPolitics #NaveenPatnaik #BJP #BJD #MangoKernelDeathCase

LEAVE A REPLY

Please enter your comment!
Please enter your name here