ମିନତି ମିଶ୍ର

ଆମେରିକାର ୪୭ତମ ରାଷ୍ଟ୍ରପତି ଭାବେ ଦାୟିତ୍ୱ ନେବେ ଡୋନାଲ୍ଡ ଟ୍ରମ୍ପ। ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ସମସ୍ତଙ୍କୁ ଚମକାଇ ଦ୍ଵିତୀୟ ଥର ପାଇଁ କ୍ଷମତାକୁ ଆସିଛନ୍ତି ଟ୍ରମ୍ପ। ସେ ଡେମୋକ୍ରାଟିକ ପ୍ରାର୍ଥୀ କମଳା ହ୍ୟାରିସଙ୍କୁ ପରାସ୍ତ କରିଛନ୍ତି। ନିର୍ବାଚନ ଜିତିବା ପରେ ସାରା ବିଶ୍ୱରୁ ତାଙ୍କ ନିକଟକୁ ଛୁଟିଛି ଶୁଭେଚ୍ଛାର ସୁଅ।

ବନ୍ଧୁ ଟ୍ରମ୍ପଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା – ନରେନ୍ଦ୍ର ମୋଦି

ଡୋନାଲ୍ଡ ଟ୍ରମ୍ପ ନିର୍ବାଚନ ଜିତିବା ପରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ଶୁଭେଚ୍ଛା ଜଣାଇ ସୋସିଆଲ ମିଡିଆରେ କିଛି ପୁରୁଣା ଫଟୋ ଛାଡ଼ି ଉଭୟଙ୍କ ମଧ୍ୟରେ ଥିବା ଅତୁଟ ବନ୍ଧୁତ୍ୱର ସ୍ମୃତିଚାରଣ କରିଛନ୍ତି।

ଟ୍ରମ୍ପଙ୍କୁ ଶୁଭେଚ୍ଛା ଜଣାଇ ମୋଦୀ କହିଛନ୍ତି, “ମୋର ବନ୍ଧୁ ଡୋନାଲ୍ଡ ଟ୍ରମ୍ପଙ୍କୁ ଐତିହାସିକ ବିଜୟ ପାଇଁ ହାର୍ଦ୍ଦିକ ଶୁଭେଚ୍ଛା। ପୂର୍ବ କାର୍ଯ୍ୟକାଳରେ ଯେପରି ଆମେ ସଫଳତାକୁ ଆଗକୁ ବଢାଇଥିଲେ, ଏବେ ଭାରତ-ଆମେରିକାର ସହଯୋଗକୁ ପୁଣି ଆହୁରି ଆଗକୁ ନେବା। ବିଶ୍ୱର ଶାନ୍ତି, ସ୍ଥିରତା ଓ ସମୃଦ୍ଧିକୁ ପାଇଁ କାର୍ଯ୍ୟ କରିବା।”

ଏହି ଅବସରରେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ଏକ କଳାକୃତି ତିଆରି କରି ଡୋନାଲ୍ଡ ଟ୍ରମ୍ପଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ଟ୍ରମ୍ପଙ୍କ ବିଜୟ ଜନତାଙ୍କ ଭରସା ଓ ବିଶ୍ୱାସର ପ୍ରମାଣ – ଶେଖ ହାସିନା

ବାଂଲାଦେଶ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା ଡୋନାଲ୍ଡ ଟ୍ରମ୍ପଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ରାଷ୍ଟ୍ରପତି ନିର୍ବାଚନରେ ଟ୍ରମ୍ପଙ୍କୁ ଜିତାଇ ଆମେରିକା ଜନତା ସେମାନଙ୍କର ବିଶ୍ୱାସ ଓ ଭରସାର ପ୍ରମାଣ ଦେଇଛନ୍ତି ବୋଲି ସେ କହିଛନ୍ତି। ପ୍ରଧାନମନ୍ତ୍ରୀ ଥିବା ସମୟରେ ଟ୍ରମ୍ପଙ୍କ ସହ ଅନେକ ବୈଠକ କରିଥିଲେ, ଅନେକ ଆଲୋଚନା କରିଥିଲେ। ସେ ସବୁର ସ୍ମୃତି ବି ମନେ ପକେଇଥିଲେ ହାସିନା।

ଶେଖ ହାସିନାଙ୍କ ଦଳ ଆୱାମୀ ଲିଗର ଏକ୍ସ ହାଣ୍ଡେଲରେ ଡୋନାଲ୍ଡ ଟ୍ରମ୍ପଙ୍କୁ ଶୁଭେଚ୍ଛା ଜଣାଯାଇ ଶେଖ ହାସିନା ଓ ଟ୍ରମ୍ପଙ୍କ ଫଟୋ ସେୟାର କରାଯାଇଛି।

ସେହିପରି ୟୁକ୍ରେନର ରାଷ୍ଟ୍ରପତି ଭୋଲଦୋମିର ଜେଲେନସ୍କି ଟ୍ରମ୍ପଙ୍କୁ ତାଙ୍କର ପ୍ରଭାବଶାଳୀ ବିଜୟ ଉପରେ ଶୁଭେଚ୍ଛା ଜଣାଇ କହିଛନ୍ତି, “ଟ୍ରମ୍ପଙ୍କ ସହ ସେପ୍ଟେମ୍ବରରେ ହୋଇଥିବା ସାକ୍ଷାତ ମୋର ମନେ ଅଛି। ୟୁକ୍ରେନ-ଆମେରିକାର ରାଜନୈତିକ ସହାଭାଗିତା, ବିଜୟ ଯୋଜନା, ୟୁକ୍ରେନ ବିରୋଧରେ ରୁଷ ଆକ୍ରମଣକୁ ସମାପ୍ତ କରିବା ଉପରେ ଆଲୋଚନା ହୋଇଥିଲା। ବିଶ୍ୱ ମାମଲାରେ ଟ୍ରମ୍ପଙ୍କ ‘ଶକ୍ତି ମାଧ୍ୟମରେ ଶାନ୍ତି’ ଦୃଷ୍ଟିକୋଣକୁ ମୁଁ ପ୍ରଶଂସା କରୁଛି। ଏହାଦ୍ୱାରା ବ୍ୟାବହାରିକ ରୂପରେ ୟୁକ୍ରେନରେ ନ୍ୟାୟପୂର୍ଣ୍ଣ ଶାନ୍ତି ମିଳିପାରିବ।”

ଟ୍ରମ୍ପଙ୍କୁ ବିଜୟୀ ଶୁଭେଚ୍ଛା ଜଣାଇ ଇଟାଲି ପ୍ରଧାନମନ୍ତ୍ରୀ ଜିୟୋର୍ଜିୟା ମିଲୋନୀ ଇଟାଲି-ଆମେରିକାକୁ ସିଷ୍ଟର କଣ୍ଟ୍ରି ବୋଲି କହିଛନ୍ତି। ସେ ତାଙ୍କ ବାର୍ତ୍ତାରେ କହିଛନ୍ତି, “ମୁଁ ଏବଂ ମୋର ସରକାରଙ୍କ ପକ୍ଷରୁ ଆମେରିକାର ନୂଆ ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଉଛି। ଦୁଇ ଦେଶ ଏକ ଅତୁଟ ମେଣ୍ଟ ଏବଂ ଐତିହାସିକ ମିତ୍ରତା ବନ୍ଧନରେ ବାନ୍ଧି ହୋଇଛନ୍ତି। ଆମେ ଏହାକୁ ଆହୁରି ଆଗକୁ ନେବୁ।”

ହ୍ୱାଇଟ ହାଉସକୁ ଟ୍ରମ୍ପଙ୍କ ପ୍ରତ୍ୟାବର୍ତ୍ତନ ଏକ ନୂଆ ଶୁଭାରମ୍ଭ – ନେତେନ୍ୟାହୁ

ଇସ୍ରାଏଲର ପ୍ରଧାନମନ୍ତୀ ବେଞ୍ଜାମିନ ନେତେନ୍ୟାହୁ ଟ୍ରମ୍ପଙ୍କୁ ଏକ ଭାବପୂର୍ଣ୍ଣ ଶୁଭେଚ୍ଛା ବାର୍ତ୍ତା ଜଣାଇଛନ୍ତି। ସେ ତାଙ୍କ ବାର୍ତ୍ତାରେ ଲେଖିଛନ୍ତି, “ପ୍ରିୟ ଡୋନାଲ୍ଡ ଟ୍ରମ୍ପ, ଇତିହାସରେ ସବୁଠାରୁ ବଡ଼ ରାଜନୈତିକ ପ୍ରତ୍ୟାବର୍ତ୍ତନ ପାଇଁ ଆପଣଙ୍କୁ ଶୁଭେଚ୍ଛା। ହ୍ୱାଇଟ ହାଉସକୁ ଆପଣଙ୍କର ଫେରିବା ଆମେରିକା ପାଇଁ ଏକ ନୂଆ ଶୁଭାରମ୍ଭ। ଇସ୍ରାଏଲ-ଆମେରିକା ମଧ୍ୟରେ ସହଯୋଗୀତା ବୃଦ୍ଧି ପାଇଁ ଏହା ଏକ ଶକ୍ତିଶାଳୀ ପ୍ରତିବଦ୍ଧତା ପ୍ରଦାନ କରୁଛି।”

ସ୍ପେନର ପ୍ରଧାନମନ୍ତ୍ରୀ ପେଡ୍ରୋ ସାଞ୍ଚଜେ ଡୋନାଲ୍ଡ ଟ୍ରମ୍ପଙ୍କୁ ଶୁଭେଚ୍ଛା ବାର୍ତ୍ତା ପଠାଇ କହିଛନ୍ତି, “ଆପଣଙ୍କ ବିଜୟ ଏବଂ ଆମେରିକାର ୪୭ ତମ ରାଷ୍ଟ୍ରପତି ହେବା ପାଇଁ ଆପଣଙ୍କୁ ଅଭିନନ୍ଦନ। ଆମର ରାଜନୈତିକ ତଥା ଦ୍ୱିପାକ୍ଷିକ ସମ୍ପର୍କ ଆଉ ଏକ ଶକ୍ତିଶାଳୀ ଟ୍ରାନ୍ସଆଟଲାଣ୍ଟିକ ସହଭାଗିତା ଉପରେ କାମ କରିବ।”

ସେହିପରି ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଏନ୍ଥୋନୀ ଅଲବାନୀଜ ଡୋନାଲ୍ଡ ଟ୍ରମ୍ପଙ୍କୁ ଶୁଭେଚ୍ଛା ଜଣାଇ ସୋସିଆଲ ମିଡିଆ ଏକ୍ସରେ ଲେଖିଛନ୍ତି, “ଅଷ୍ଟ୍ରେଲିଆ ଏବଂ ଆମେରିକା ଭଲ ମିତ୍ର ଏବଂ ଭଲ ସହଯୋଗୀ। ସାଥୀ ହୋଇ କାମ କରି ଆମେ ଏହା ସୁନିଶ୍ଚିତ କରିପାରିବୁ ଯେ ଆମ ଦେଶ ଏବଂ ଆମ ଲୋକଙ୍କ ମଧ୍ୟରେ ବୁଝାମଣା ଆହୁରି ମଜବୁତ ହେବ।”

Tags: #USPresidentialElections2024 #DonaldTrump #RepublicanParty #Politics #USA

LEAVE A REPLY

Please enter your comment!
Please enter your name here