ଭାସ୍କର ପରିଚ୍ଛା

“ସାହିତ୍ୟରେ ଆଦର୍ଶବାଦ ପ୍ରଚାର କରିବା ଥିଲା ଜାତୀୟ କବି ସାରଳା ଦାସଙ୍କ ଅନ୍ୟତମ ଲକ୍ଷ୍ୟ। ସାମାଜିକ ଆଦର୍ଶବୋଧର ପ୍ରତିଷ୍ଠା ପାଇଁ ସେ ଆପଣାର ବିଶାଳ ଗ୍ରନ୍ଥ ମହାଭାରତର କଥନକ ମଧ୍ୟରେ ଯେଉଁଠି ଅବକାଶ ପାଇଛନ୍ତି ଏହି ଆଦର୍ଶବୋଧକୁ ବିଭିନ୍ନ ଚରିତ୍ରରାଜିର ମୁଖରେ ପ୍ରଦାନ କରିଯାଇଛନ୍ତି।

ସାରଳା ଦାସଙ୍କ ଉଲ୍ଲିଖିତ ଆଦର୍ଶ ଥିଲା ସମସାମୟିକ ଉତ୍କଳର ସାମାଜିକ ଆଦର୍ଶ। ଏସବୁ ମୂଳରେ କବିଙ୍କ ଉଦ୍ଦେଶ୍ୟ ଥିଲା ସାଧାରଣ ଲୋକର ଚରିତ୍ର ଗଠନ ଏବଂ ନୈତିକ ଚେତନାର ଜାଗରଣ। କବିଙ୍କ ବିରଚିତ ମହାଭାରତ ତତ୍କାଳୀନ ଉତ୍କଳରେ ପ୍ରଚଳିତ ରାଶି ପ୍ରବାଦ ରୂପକ ସୁରଭିତ ସୁମନର ଏକ ନନ୍ଦନକାନନ। ବସ୍ତୁତଃ ,ଏସବୁ ପ୍ରବାଦଗୁଡ଼ିକ ମଧ୍ୟରୁ କେତେକ କବି କଳ୍ପନା ସମ୍ଭୂତ ଆଉ କେତେକ ତତ୍କାଳୀନ ଉତ୍କଳୀୟ ଲୋକ ମୁଖରେ ପ୍ରଚଳିତ କଥା। ଏସବୁ କବିଙ୍କ ପାଣ୍ଡିତ୍ୟ, ବହୁ ଶାସ୍ତ୍ରଦର୍ଶିତା ତଥା ଦୂର ଦୃଷ୍ଟିର ସୁସମନ୍ୱୟରେ କବି ଲେଖନୀରେ ମନୋଜ୍ଞ ଭାବେ ପ୍ରକାଶ ପାଇଛି।

କବି ସ୍ୱକୀୟ ଅନୁଭୂତି ସଂଜାତ ବିଚାରବୋଧରୁ ଯେଉଁ ମହନୀୟ ଆଦର୍ଶବଳୀର ପ୍ରଚାର କରିଯାଇଛନ୍ତି ତାହା ହିଁ ତାଙ୍କର ଆଦର୍ଶଗତ ଐକାନ୍ତିକତାର ଯଥାର୍ଥ ପରିଚାୟକ। କବିଙ୍କ ଏହି ଆଦର୍ଶବୋଧ କେତେବେଳେ ପ୍ରଚାର ଧର୍ମତାକୁ ଆଶ୍ରୟ କରିଛି ତ କେତେବେଳେ ବିଭିନ୍ନ ଲୋକ କଥା ଦେଇ ଆତ୍ମ ପ୍ରକାଶ କରିଛି।

ନୀତି ବାଣୀ ବା ନୀତି ଉପଦେଶ ସୁସ୍ଥ ସୁନ୍ଦର ଜୀବନଚର୍ଯ୍ୟାର ମହାର୍ଘ ଉପାଦାନ ହେଲେ ସୁଦ୍ଧା ସାହିତ୍ୟିକ ରସାବେଦନ ଦୃଷ୍ଟିରୁ ତାହା ନିରସ ଓ ଶୁଷ୍କ ପ୍ରତୀୟମାନ ହୋଇଥାଏ। ଏଣୁ ଏହି ରସ ଶୂନ୍ୟ ଉପଦେଶାବଳୀକୁ ସରସ ଓ ସ୍ୱାଦିଷ୍ଟ କରିବା ଲକ୍ଷ୍ୟରେ କବି ଲୋକ ପ୍ରଚଳିତ ପ୍ରବାଦଗୁଡ଼ିକୁ ମାଧ୍ୟମ ରୂପେ ଗ୍ରହଣ କରିଛନ୍ତି। ସ୍ୱକୀୟ ପୁରାଣ ଗର୍ଭିତ ବିଭିନ୍ନ ଉପାଖ୍ୟାନ ତଥା ଚରିତ୍ରାବଳୀର କର୍ମ କୁଶଳତାକୁ ଜନଚିତ୍ତଗ୍ରାହୀ ପ୍ରବାଦ ମାଧ୍ୟମରେ ପ୍ରକାଶ ପୂର୍ବକ ସୁପରିକଳ୍ପିତ ଆଦର୍ଶବୋଧକୁ ପ୍ରଚାର କରିଯାଇଛନ୍ତି।” 

ସାରଳା ମହାଭାରତ ସମ୍ପର୍କରେ ମୁକ୍ତ ଜ୍ଞାନକୋଷରେ ଏଇ ମାତ୍ର କେତୋଟି ଧାଡ଼ିର ଉଲ୍ଲେଖ ମିଳେ। 

ଷାଠିଏ ବର୍ଷ ତଳେ ସାରଳା ମହାଭାରତକୁ ଲୋକଲୋଚନକୁ ଆଣିବା ପାଇଁ ଆର୍ତ୍ତବଲ୍ଲଭ ମହାନ୍ତିଙ୍କ ଉଦ୍ୟମ ସର୍ବାଗ୍ରେ ସ୍ଵୀକାର କରାଯାଏ। ଓଡ଼ିଶା ସରକାରଙ୍କ ସଂସ୍କୃତି ବିଭାଗ ପକ୍ଷରୁ ପ୍ରକାଶିତ ସେହି ସଂସ୍କରଣର ଭିତ୍ତିରେ ହିଁ  ଏହି ଗଦ୍ୟ ରୂପାନ୍ତର କରିଛନ୍ତି ସୁପ୍ରିୟା ପ୍ରଶାନ୍ତ। ସାରଳା ସାହିତ୍ୟ ପରମ୍ପରାର ଉତ୍ତରାଧିକାରୀ, ସାରଳା ମହାଭାରତର ଭାଷ୍ୟକାର ଓ ଅନୁବାଦକ ଭାବରେ ସୁପ୍ରିୟା ନିଜର ପରିଚୟ ରଖନ୍ତି।

ମୁଖବନ୍ଧରେ ସୁପ୍ରିୟା କହନ୍ତି, “ସାରଳା ମହାଭାରତର ଗଦ୍ୟ ରୂପାନ୍ତର ‘କଥା’ ପତ୍ରିକାରେ ଜୁଲାଇ ୨୦୨୦ ମସିହାରୁ ମାର୍ଚ୍ଚ ୨୦୨୨ ମସିହା ପର୍ଯ୍ୟନ୍ତ ଧାରବାହିକ ରୂପେ ପ୍ରକାଶ ପାଇଥିଲା। ଧାରାବାହିକ ରୂପେ ପ୍ରକାଶ ପାଇ ନଥିଲେ ଏହି ଗଦ୍ୟ ରୂପାନ୍ତର ବର୍ତ୍ତମାନର ରୂପନେବାକୁ କେଜାଣି ଆହୁରି କେତେ ସମୟ ନେଇଥାଆନ୍ତା। ‘କଥା’ର ଜନପ୍ରିୟ ସଂପାଦକ ଡକ୍ଟର ଗୌରହରି ଦାସ ଏପରି ଏକ ଲେଖାକୁ ଧାରାବାହିକ ରୂପେ ପ୍ରକାଶିତ କରାଇବାର ନିଷ୍ପତ୍ତି ନେଇ ମୋତେ ତ ଅନୁଗୃହୀତ କରିଛନ୍ତି, ତାଙ୍କର ଏହି ଦୂରଦର୍ଶିତା ଫଳରେ ଏକ ବୃହତ୍ତର ଓଡ଼ିଆ ପାଠକ ଗୋଷ୍ଠୀ ସାରଳା ମହାଭାରତକୁ ଜାଣିବାର ସୁଯୋଗ ପାଇଛନ୍ତି।”

ଏହି ପୁସ୍ତକଟି ସାରଳା ମହାଭାରତର ମହଜୁଦ ସାହିତ୍ୟ କ୍ଷେତ୍ରରେ ଏକ ମହନୀୟ ଯୋଗଦାନ ଏଥିରେ ଦ୍ୱିମତ ନାହିଁ । ୫୪୦ ପୃଷ୍ଠା ବିଶିଷ୍ଟ ଏହି ଗ୍ରନ୍ଥର ବିଷୟ ପ୍ରବେଶ ଓ ସାଜସଜ୍ଜା ଚମତ୍କାର। ସମୁଦାୟ ଅଠରଟି ପର୍ବକୁ ଛୋଟ ଛୋଟ କଥାବସ୍ତୁ /ଘଟଣା ଭିତରେ ଗୁନ୍ଥା ହୋଇଛି। ଗଦ୍ୟ ରୂପାନ୍ତର ସହଜ, ମନଲୋଭା ଓ ସରଳ।

ଉଦାହରଣ               

‘ଦୁର୍ଯ୍ୟୋଧନଙ୍କ ଆଜ୍ଞାନୁସାରେ ଦୁଃଶାସନ ଯାଇ ଦ୍ରୌପଦୀଙ୍କ କେଶ ଟାଣି ଟାଣି ତାଙ୍କୁ ସଭା ଭିତରକୁ ଆଣିଲେ।

ଦୁର୍ଯ୍ୟୋଧନ ଦ୍ରୌପଦୀଙ୍କୁ କହିଲେ, “ଦେଖେ, ତୋର ପାଞ୍ଚ ପାଞ୍ଚ ଜଣ ପତି ଥାଇ ବି ତୋତେ କେହି ରକ୍ଷା କରି ପାରିଲେନି। ସେମାନେ ସବୁବେଳେ ନିଜର ବହୁତ ଗାରିମା କରନ୍ତି, ଏବେ ରଖନ୍ତୁ ତ। ହଁ, ଶ୍ରୀକୃଷ୍ଣ ତ ତୁମର ରକ୍ଷାକର୍ତ୍ତା। ସେ ପରା ସବୁବେଳେ ପାଣ୍ଡବଙ୍କୁ ରକ୍ଷା କରନ୍ତି। ତୁ ଏତେ ଆରତ ହେଉଛୁ, କାଇଁ ସେ ତ ତୋତେ ଋକ୍ଷା କରୁନାହାନ୍ତି?

ଦ୍ରୌପଦୀ କୁରୁସଭାରେ ଠିଆ ହୋଇ ଦୁର୍ଯ୍ୟୋଧନଙ୍କ ଆଡ଼କୁ ଦେଖାଇ କହିଲେ, “ଏଠାରେ ଏତେ ଧାର୍ମିକ, ବିବେକବନ୍ତ ବ୍ୟକ୍ତି ଉପସ୍ଥିତ। ସେ ଏମିତି ଅନୀତି କରୁଛି, କେହି ପଦେ ବି କିଛି କହୁନାହାନ୍ତି? ପ୍ରଥମେ ଧର୍ମନୃପବର ନିଜକୁ ହାରିଲେ। ତା’ପରେ ମୋ ଉପରେ ତାଙ୍କର ଅଧିକାର କେମିତି ରହିଲା?”

ସଭାରେ ଉପସ୍ଥିତ କେହି କିଛି କହିଲେ ନାହିଁ; ଦୁର୍ଯ୍ୟୋଧନଙ୍କୁ ଭୟ କରି ସମସ୍ତେ ମୌନ ରହିଲେ।

“ସୁନ୍ଦରୀ, ତୋର ତ ଚକ୍ରଧାରୀ ରକ୍ଷାକାରୀ; ତୁ ତାଙ୍କୁ କାହିଁକି ମନେ ପକାଉନୁ?” ଦୁର୍ଯ୍ୟୋଧନ ଟିଟିକାରୀ ମାରିଲେ।

(ଦ୍ରୌପଦୀ ବସ୍ତ୍ରହରଣ)

ଗଦ୍ୟ ରୂପାନ୍ତର ପାଇଁ ସୁପ୍ରିୟା ଅନେକ ସହାୟକ ଗ୍ରନ୍ଥକୁ ଉପଜୀବ୍ୟ କରିଛନ୍ତି। ଏହି କାର୍ଯ୍ୟ ପାଇଁ ସେ ସାରଳା ମହାଭାରତ ବିଶେଷଜ୍ଞ ପ୍ରଫେସର ବିବୁଧେନ୍ଦ୍ର ନାରାୟଣ ପଟ୍ଟନାୟକଙ୍କ ବିଶେଷ ସାହାଯ୍ୟ ନେଇଥିବା ସ୍ଵୀକାର କରିଛନ୍ତି।

ସାରଳା ମହାଭାରତର ଏହା ପ୍ରଥମ ଓ ସମ୍ଭବତଃ ଶେଷ ଗଦ୍ୟ ରୂପାନ୍ତର ହୋଇଥିବା କାରଣରୁ ଯେଉଁମାନେ ଶୂଦ୍ରମୁନିଙ୍କ ମୂଳ କୃତିର ସ୍ଵାଦ ଆହରଣ ପାଇଁ ଆଗ୍ରହୀ, ଏହି ଗ୍ରନ୍ଥଟି ସେମାନଙ୍କ ପାଇଁ ଏକ ଅପରିହାର୍ଯ୍ୟ ଆବଶ୍ୟକତା।

ସାରଳା ମହାଭାରତ -ଗଦ୍ୟ ରୂପାନ୍ତର 

ସୁପ୍ରିୟା ପ୍ରଶାନ୍ତ 

କୁନୁ ବହି 

ମଣିକୋଣ୍ଡା 

ହାଇଦ୍ରାବାଦ 

(ଲେଖକ ଜଣେ ବରିଷ୍ଠ ସାମ୍ବାଦିକ ତଥା ଓଡ଼ିଶାଲାଇଭ୍‌ର ପରାମର୍ଶଦାତା ସମ୍ପାଦକ)

Tags: #BookReview #SaralaMahabharat #Translation #Book #Odia

Comment